ପାଟଣା : କାଳବୈଶାଖୀ ପବନ ତୁରୁମୁଙ୍ଗା ଓ ଘଟଗାଁ ଥାନା ଅଂଚଳକୁ ଥରହର କରାଇଛି । ଗୁରୁବାର ଅପରାହ୍ନରେ କାଳବୈଶାଖୀ କାରଣରୁ ବହୁ ଜୋରରେ ପବନ ବହିବା ସହ ଘନଘନ ଘଡଘଡି ଓ ବର୍ଷା ହୋଇଥିଲା । ଏହି ସମୟରେ ପାଟଣା ବ୍ଲକ ବାଉଁଶୁଳୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସର ଛପର ଉଡାଇ ନେଇଛି । ସୌଭାଗ୍ୟ ବଶତଃ ଟିଣ ଚଦର ବାହାରକୁ ଉଡାଇ ନେଇଥିବାରୁ ଛାତ୍ରମାନେ ବର୍ଷାରେ ଓଦା ହୋଇଯିବା ସହ ଆସବାବ ପତ୍ର ଓଦା ହୋଇଥିଲେ ମଧ୍ୟ ଅନ୍ୟ କୌଣସି ଅଘଟଣ ଘଟିନାହିଁ ।
ବର୍ଷକ ତଳେ ଏହି ଛାତ୍ରାବାସଟି ଆଇଟିଡିଏ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା । ତେବେ ପୁରୁଣା ଛପର ବଦଳା ଯାଇନଥିବା ପାର୍ଶ୍ଵ କାଳବୈଶାଖୀରେ ଉଡାଇ ନେଇଛି । କାଳବୈଶାଖୀ ସମୟରେ ଛାତ୍ରାବାସରେ ୨୨ ଜଣ ଛାତ୍ର ଥିଲେ । ସେହିପରି କାଳବୈଶାଖୀରେ କେତେକ ଟାଇଲ ଛପର ଓ ଆଜବେଷ୍ଟସ ଘର ମଧ୍ୟ ଆଂଶିକ କ୍ଷତି ଘଟିଥିବା ସୂଚନା ମିଳିଛି । ଭଅଁରପୁର ଗ୍ରାମର ଗୋବର୍ଦ୍ଧନ ନାଏକଙ୍କ ଆଜବେଷ୍ଟସ ଘର ଛପର ଉଡ଼ାଇ ନେଇଛି । ଚେମଣା ଓ ଧନୁର୍ଜ୍ଜୟପୁର ନିକଟରେ ବିଦ୍ୟୁତ ଲାଇନରେ ବାଉଁଶ ଗଛ ଉପୁଡି ପଡିଥିବାରୁ ଏହାକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

କାଳ ବୈଶାଖୀ ଝଡ଼ରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ଫସଲ ନଷ୍ଟ ହୋଇଛି । ପାଟଣା ଓ ଘଟଗାଁ ବ୍ଲକ୍ ଅଂଚଳରେ ଆଜି ଝଡ଼ବର୍ଷା ଫଳରେ ୫୦ ପ୍ରତିଶତରୁ ଉର୍ଦ୍ଧ ଆମ୍ବ ଗଛରୁ ଝଡି ପଡିଛି । ଯାହା ଫଳରେ ଚଳିତ ବର୍ଷ ଆମ୍ବ ଉତ୍ପାଦନ ହ୍ରାସ ପାଇବାସହ ଚାଷୀମାନେ କ୍ଷତିରେ ପଡ଼ିବେ ବୋଲି କୁହାଯାଇଛି । ବିଶେଷ କରି ଭଲ ଦେଶୀ ବିଦେଶୀ ଆମ୍ବଚାଷ କରିଥିବା ଉଦ୍ୟାନ ଚାଷୀମାନେ ବହୁତ କ୍ଷତିର ସମ୍ମୁଖୀନ ହେବେ ବୋଲି ଏରେଣ୍ଡେଇ, ଡୁମୁରିୁଆ ଅଞ୍ଚଳର ଚାଷୀମାନେ ମତ ରଖିଛନ୍ତି ।
କାଳବୈଶାଖୀ ପ୍ରଭାବରେ ପାଟଣା-ପିପିଳିଆ ରାସ୍ତାର ପିପିଳିଆ ଗ୍ରାମ ନିକଟରେ ଏକ ବଡ ଆମ୍ବଗଛ ରାସ୍ତା ଉପରେ ଭାଙ୍ଗି ପଡିଛି । ଯାହା ଫଳରେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ ସହ ଅନ୍ୟାନ୍ୟ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ପିପିଳିଆ ଗ୍ରାମର କିଛି ଟାଇଲି ଛପର ଓ ଚାଳଘର କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ପବନ ସାଙ୍ଗକୁ ଘଡଘଡି ଯୋଗୁଁ ପିପିଳିଆ ଆଖପାଖ ଗ୍ରାମରେ ଅପରାହ୍ନରେ ଯେଉଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ହାଲୁକାଏ ବର୍ଷା ତାକୁ ଶାନ୍ତ କରିଦେଇଛି । ତେବେ ଆଜି ସନ୍ଧ୍ୟାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ ଖଣ୍ଡଖଣ୍ଡ କରି କାଟି ଅଲଗା କରିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି ।
ସେହିପରି କାଳବୈଶାଖୀ ପ୍ରଭାବରେ ପାଟଣା ବ୍ଲକ ବାଉଁଶୂଳି -ଶରଧାପୁର ରାସ୍ତାର ଜଡିଚାତର ନିକଟରେ ରାସ୍ତା ଉପର ଗଛ ଉପୁଡ଼ି ପଡ଼ିଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥଲା । ତେବେ ଜଡିଚାତର ଯୁବକ ସଂଘର ସଦସ୍ୟ ଓ ଗ୍ରାମବାସୀମାନେ ଗଛକାଟି ରାସ୍ତା ଉପରୁ ହଟାଇବା ପରେ ସନ୍ଧ୍ୟାରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି । ଯୁବକ ସଂଘର ମହତ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।