ଭଞ୍ଜନଗର : ଏପ୍ରିଲ୍ରୁ ହିଁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ସାଙ୍ଗକୁ ମାତ୍ରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଇସାରିଛି । ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥିତି ଶୋଚନୀୟ । ତେବେ ଗ୍ରୀଷ୍ମରେ ଗଞ୍ଜାମରେ ପିଇବା ପାଣି ସମସ୍ୟା ଦେଖାଦେବା କିଛି ନୂଆ କଥା ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସରକାର ଆଗ୍ରହ ଦେଖାଉନାହାନ୍ତି । ବିଶୁଦ୍ଧ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ଓ କେନ୍ଦ୍ର ସରକାର ଜଳ ଜୀବନଜୀବିକା ମିସନ୍ ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।
କିନ୍ତୁ ଏହାର ୫୦ ପ୍ରତିଶତ ଲକ୍ଷ୍ୟ ବି ହାସଲ ହୋଇପାରୁନି । ଏପରିକି ଅନେକ ମେଗା ପ୍ରକଳ୍ପ କେବଳ ପ୍ରସ୍ତାବରେ ଓ ଫାଇଲ୍ର ନାଲିଫିତା ତଳେ ସୀମିତ ହୋଇରହିଯାଇଛି । ଏହାର ଜ୍ବଳନ୍ତ ଉଦାହରଣ ହେଲା, ଭଞ୍ଜନଗର ଗ୍ରାମ୍ୟ ପାଇପ୍ ଜଳଯୋଗାଣ ବିଭାଗ ଅଧୀନରେ ଥିବା ୧୧ଟି ବ୍ଲକର ୧୩୦୨ଟି ଗାଁ ଓ ୩ଟି ଏନ୍ଏସିକୁ ମହାନଦୀ ପାଣି ଯୋଗାଣର ପରିକଳ୍ପନା । ଏହି ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୨ ଶହ କୋଟି ଟଙ୍କା ବ୍ୟୟଅଟକଳ ମଞ୍ଜୁର କରିଛନ୍ତି । ୨୦୨୪ ପୂର୍ବରୁ ଏହି ପ୍ରକଳ୍ପ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭଞ୍ଜନଗର ଆରଡବ୍ଲୁଏସ୍ଏସ୍ ବିଭାଗ ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଆସିକା, ପୋଲସରା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବୁଗୁଡ଼ା ଧରାକୋଟ ଓ ପୁରୁଷୋତ୍ତମପୁର ବ୍ଲକ୍ ୨୫୮ ପଞ୍ଚାୟତର ୧୩୦୨ଟି ଗ୍ରାମ ରହିଛି । ପ୍ରାୟ ୩ ଲକ୍ଷ ଘରେ ପାଖାପାଖି ୧୪ ଲକ୍ଷ ଲୋକ ବସବାସ କରୁଛନ୍ତି । ଆଗାମୀ ୩୦ ବର୍ଷକୁ ନଜରରେ ରଖି ନୟାଗଡ଼ ଜିଲ୍ଲା ଗଣିଆ ନିକଟ ମହାନଦୀରୁ ପାଣି ଆଣି ସମସ୍ତ ୧୧ଟି ବ୍ଳକ୍ ସହ କୋଦଳା, ବୁଗୁଡ଼ା ଓ ବେଲଗୁଣ୍ଠା ଏନ୍ଏସିରେ ଯୋଗାଣ ପାଇଁ ଏହି ମେଗା ପ୍ରକଳ୍ପର ପରିକଳ୍ପନା କରାଯାଇଛି ।
ପାଇପ୍ ଦ୍ବାରା ନିରନ୍ତର ପାଣି ଯୋଗାଇଦିଆଯିବ । ଏଥିପାଇଁ ଦଶପଲ୍ଲା ଓ ଜଗନ୍ନାଥପ୍ରସାଦର ସୀମାନ୍ତ ଅଞ୍ଚଳ ରୁଢ଼ାପଦର ନିକଟରେ ଜଳ ବିଶୋଧାନାଗାର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଅନ୍ୟ ସବୁଠି ଓଭର୍ହେଡ୍ ଟାଙ୍କି ନିର୍ମାଣ ଓ ପାଇପଲାଇନ୍ ବିଛାଯିବା କାର୍ଯ୍ୟ ଉକ୍ତ ପ୍ରକଳ୍ପ ଅଧୀନରେ କରାଯିବ । କିନ୍ତୁ ଟେଣ୍ଡର୍ ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇ ନଥିବାରୁ ଏହି ପ୍ରକଳ୍ପ କେବେ ବାସ୍ତବ ରୂପ ନେବ ଏହା ଆଲୋଚନାର ପ୍ରସଙ୍ଗ ପାଲଟିଛି ।
ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ଏହି ମେଗା ପ୍ରକଳ୍ପର ଡିପିଆର୍ ଶେଷ ହୋଇଛି । ବିଭାଗରୁ ସବୁଜ ସଙ୍କେତ ଆସିବା ପରେ ଆଗାମୀ ଦିନରେ ଟେଣ୍ଡର୍ ପ୍ରକ୍ରିୟା ଶେଷ କରାଯାଇ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷରେ ଭଞ୍ଜନଗର ଡିଭିଜନ୍ ଅଧୀନରେ ୬୪୨ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହ ପାହାଡ଼ିଆ ଇଲାକାରେ ୧୮୩ ଗୋଟି ସୋଲାର୍ ପ୍ରକଳ୍ପ ରହିଥିବା ବେଳେ ଆଗାମୀ ଦିନରେ ୨୫୦ଟି ନୂଆ ସୋଲାର୍ ପ୍ରକଳ୍ପ ନିର୍ମାଣ ନେଇ ପ୍ରସ୍ତାବ ରହିଛି । କିନ୍ତୁ ଦୁର୍ଗମ ଇଲାକାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା । ୨୦୨୦-୨୧ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ୩୦ଟି ପ୍ରକଳ୍ପର ଟେଣ୍ଡର୍ ପ୍ରକ୍ରିୟା ଶେଷ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତଥାପି ଏହି ପ୍ରକଳ୍ପ ପିଇବା ପାଣି ସମସ୍ୟାକୁ ଦୂର କରିବାରେ ସଫଳ ହୋଇନି ।
