ପିଆର୍‌ଏମ୍‌ ହସ୍ପିଟାଲରେ ଶବ ରଖିବାକୁ ବ୍ୟବସ୍ଥା ନାହିଁ

ବାରିପଦା: ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ନାହିଁ ଶୀତତାପ ନିୟନ୍ତ୍ରିତ ଶବ ସଂରକ୍ଷଣ ଗୃହ । ଅସୁରକ୍ଷିତ ଭାବେ ଏକ କ୍ୟାବିନ‌ରେ ପଡ଼ି ରହୁଛି ଶବ । ଯେଉଁ ମୃତକଙ୍କ ପରିଚୟ ମିଳୁନି କିମ୍ବା ତାଙ୍କ ପରିବାର ଲୋକ ପହଞ୍ଚିବାରେ ବିଳମ୍ବ ହେଉଛି ସେଭଳି ପରିସ୍ଥିତିରେ କ୍ୟାବିନ ଭିତରେ ୨-୩ ଦିନ ଶବ ପଡ଼ି ରହୁଛି । ଫଳରେ ଶବ ପଚିବା ସହ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏଥିପାଇଁ ରୋଗୀ ଓ ସମ୍ପର୍କୀୟ ଏକରକମ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି । ତେବେ ପୂର୍ବରୁ ଥିବା ସଂରକ୍ଷିତ ଗୃହ ଅକାମୀ ହେବାର ୫ ବର୍ଷ ହେଲାଣି । ନୂତନ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ନିର୍ମାଣ ସରିଲାଣି । ସେଠାରେ ଆବଶ୍ୟକ ଉପକରଣ ବି ଲଗାଗଲାଣି । ବିଦ୍ୟୁତ ୱାରିଂ ବି ସରିଛି । ହେଲେ ଏଠାରେ ୩ ଫେଜ୍ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି ।

ବାରିପଦା ହସ୍ପିଟାଲରେ ବର୍ଷକୁ ୩୦୦ ରୁ ୪୦୦ ମୃତଦେହ ବ୍ୟବଚ୍ଛେଦ ହୁଏ । ସେଥି ମଧ୍ୟରୁ ଅଧିକାଂଶ ମୃତଦେହ ବିଭିନ୍ନ କାରଣରୁ ସଂରକ୍ଷଣ ଗୃହରେ ୨-୩ ଦିନ ଧରି ପଡ଼ି ରହିଥା‌ଏ । ପୂର୍ବରୁ ସ୍ବତନ୍ତ୍ର ଶବ ସଂରକ୍ଷଣ ଗୃହ ରହିଥିଲା । ଏକାଥରେ ୪ଟି ମୃତଦେହ ରହିବାର ସୁବିଧା ଥିଲା । ତେବେ ୨୦୧୩ ମସିହା ଫାଇଲିନ ବାତ୍ୟାରେ ବାରିପଦାର ଅଧା ସହର ବୁଡି ଯାଇଥିବା ବେଳେ ଶବ ସଂରକ୍ଷଣ ଗୃହ ବି ଏଥରୁ ବାଦ୍ ପଡ଼ି ନଥିଲା । ୪-୫ ଦିନ ପାଣିରେ ଶବ ସଂରକ୍ଷଣ ଗୃହ ବୁଡି ରହିବା ଫଳରେ ସେଥିରେ ଥିବା ସରଞ୍ଜାମ ଖରାପ ହୋଇଯାଇଥିଲା । ତା’ପରେ ବହୁ ଉଦ୍ୟମ କରି ଏହାକୁ ସ୍ବାଭାବିକ କରାଯାଇଥିଲା । ହେଲେ ୨୦୧୭ ରୁ ଉକ୍ତ ସଂରକ୍ଷଣ ଗୃହ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି । ଯଦିଓ ମେଡିକାଲ କଲେଜରେ ଶବ ସଂରକ୍ଷଣ ଗୃହ ରହିଛି, ହେଲେ ସେଠାରେ ବ୍ୟବଛେଦ ପାଇଁ ବ୍ୟବସ୍ଥା ନାହିଁ । ଏପଟେ ନୂତନ ସଂରକ୍ଷଣ ଗୃହ କାର୍ଯ୍ୟକ୍ଷମ ହେଲେ ଏକାଥରେ ୬ଟି ମୃତଦେହ ରହିପାରିବ । ତେଣୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି । ଏନେଇ ହସ୍ପିଟାଲ ମ୍ୟାନେଜର ଡ. ସମୀର ରଂଜନ ମହାପାତ୍ରଙ୍କୁ ପଚାରିବାରୁ ୩ ଫେଜ୍ ବିଦ୍ୟୁତ ସଂଯୋଗ ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *