ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍ ଘଣ୍ଟବାହାଲି ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଅନ୍ୟପକ୍ଷରେ ଭୋଟ ଦେଇ ନଥିବାରୁ ସରପଞ୍ଚଙ୍କ ସ୍ବାମୀ ବି ଦାଉ ସାଧୁଛନ୍ତି । ଜଳଯୋଗାଣ ପାଇଁ ଆସିଥିବା ଟ୍ୟାଙ୍କରକୁ ଫେରାଇ ଦେଇଛନ୍ତି ସରପଞ୍ଚଙ୍କ ସ୍ବାମୀ ବୋଲି ଅଭିଯୋଗ କରିବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ଘଂଟବାହାଲି ଗାଁରେ ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲା ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଇପ ବିଛାଯାଇଛି । ଅନେକ ସ୍ଥାନରେ ଷ୍ଟାଣ୍ତପୋଷ୍ଟ ବି ଲାଗିଛି । ସେଥିରୁ କିଛି ପୋଷ୍ଟ ଭାଙ୍ଗିରୁଜି ଗଲାଣି ତ ଆଉ କେତେକ ଅଳିଆଗଦାରେ ପରିପୂର୍ଣ୍ଣ ହୋଇସାରିଲାଣି । ହେଲେ ଆଜି ଯାଏ ପାଇପରେ କେବେ ପାଣି ଆସି ନାହିଁ । ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ । ନବନିର୍ବାଚିତ ସରପଞ୍ଚ ପଦକ୍ଷେପ ନେବେ ବୋଲି ଆଶା କରିଥିଲେ । ହେଲେ ଗ୍ରାମବାସୀ ତାଙ୍କୁ ଭୋଟ୍ ଦେଇ ନଥିବା ଦର୍ଶାଇ ସରପଞ୍ଚଙ୍କ ସ୍ବାମୀ ଆକ୍ରୋଶମୂଳକ ଭାବେ ସେମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି । ଆସୁଥିବା ଏକ ଟ୍ୟାଙ୍କରକୁ ଫେରାଇ ନେଇଛନ୍ତି ।
ପାନୀୟ ଜଳ ସମସ୍ୟାରେ ଉବୁଟୁବୁ ହେଉଥିବା ଗାଁ ଲୋକେ ଶେଷରେ ବୁଧବାର ବାଲଟି, ଗରିଆ, ଡେକଚି, ପାଣି ଡବା ଆଦି ଧରି ପଞ୍ଚାୟତ ଅଫିସ ଘେରାଓ କରିବାକୁ ଯାଇଥିଲେ । ପଞ୍ଚାୟତ ଅଫିସ ବନ୍ଦ ଥିବାରୁ ଗାଁ ମଝିରେ ରାସ୍ତାରୋକ କରିଥିଲେ । ଏହା ଉପରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଘଂଟବାହାଲିବାସୀଙ୍କୁ ପାନୀୟ ଜଳ ନିୟମିତ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଟିଟିଲାଗଡ଼ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି । ପାନୀୟ ଜଳ ପାଇବାରୁ ଗାଁ ଲୋକେ ବଂଚିତ ହେଲେ କିଂବା ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
