ପଟାଙ୍ଗି : ଓଡ଼ିଶାରେ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ଆନ୍ଧ୍ର । କିନ୍ତୁ ଓଡ଼ିଶା ପ୍ରଶାସନର ତାଗିଦ୍ ପରେ ସାମୟିକ ଭାବେ ବନ୍ଦ ରଖିଥିଲା । କିଛିଦିନ ଚୁପ୍ ରହିବା ପରେ ପୁଣି କାମ ଆରମ୍ଭ କରିଥିଲା । ଯାହାକୁ ଆଜି ଦ୍ବିତୀୟ ଥର ପାଇଁ ବନ୍ଦ କରିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପ୍ରଶାସନ ।
କୋଟିଆକୁ ନିଜର ବୋଲି ଦର୍ଶାଇ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର । ଏପରିକି ନିଜ ରାଜ୍ୟର ଯୋଜନାରେ ଏହି ବିବାଦୀୟ ଅଞ୍ଚଳରେ ଲାଗୁ କରିଛି । ଏହି କ୍ରମରେ ଫଗୁଣସିନେଣୀ ଗାଁରେ କିଛି ମାସ ତଳେ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ କରିଥିଲେ । ଏହି ଖବର ପାଇ ଓଡ଼ିଶାର ପ୍ରଶାସନିକ ଅଧିକାରୀ ପହଞ୍ଚି ବିରୋଧ କରିଥିଲେ । ତୁରନ୍ତ କାମ ବନ୍ଦ କରିବକୁ ନିର୍ଦ୍ଦେଶ ଦେଇଥିଲେ । ଚାପ ପଡ଼ିବାରୁ ଏହି କାମକୁ ବନ୍ଦ କରି ଦେଇଥିଲା ଆନ୍ଧ୍ର । ତେବେ ଗୁପ୍ତ ମନ୍ତ୍ରଣା କରି କିଛି ଦିନ ତଳେ ପୁଣି କାମ ଆରମ୍ଭ କରିଥିଲା । ଏହି କଥା ଯେମିତି ବାହାରେ ପ୍ରଘଟ ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଥିଲା । ଯାହା ଫଳରେ ବର୍ତ୍ତମାନ ଉକ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଛାତ ପଡ଼ିବା ପର୍ଯ୍ୟନ୍ତ ଶେଷ ହୋଇଯାଇଛି ।
ବିଶ୍ବସ୍ତ ସୂତ୍ରରୁ ଆନ୍ଧ୍ରର ଏହି କାରସାଦି ପଟାଙ୍ଗି ବ୍ଲକ୍ ପ୍ରଶାସନ ନିକଟରେ ପହଞ୍ଚିଥିଲା । ଆଜି ପଟାଙ୍ଗି ବିଡିଓ ସୌଭ୍ୟ ସାର୍ଥକ ମିଶ୍ର, କୋଟିଆ ଏଏସ୍ଆଇ ପି.କେ ଦଣ୍ଡସେନା, କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ ସମେତ କିଛି ଅଧିକାରୀ ଫଗୁଣସିନେରୀ ପହଞ୍ଚିଥିଲେ । ନିର୍ମାଣାଧୀନ ଅଙ୍ଗନବାଡି କେନ୍ଦ୍ର ସଂପର୍କରେ ପ୍ରଥମେ ଗ୍ରାମବାସୀଙ୍କୁ ପଚାରିଥିଲେ । କିଏ କରୁଛି ଓ କ’ଣ ପାଇଁ କରେଇବାକୁ ଦେଉଛ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇ ନଥିଲେ ଗ୍ରାମବାସୀ । ଗାଁରେ ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ରହିଛି । ଏହା ସତ୍ତ୍ବେ ଆନ୍ଧ୍ରକୁ କାହିଁକି ପ୍ରଶ୍ରୟ ଦେଉଛ ବୋଲି ପ୍ରଶ୍ନ କରିବାରୁ ଗ୍ରାମବାସୀ ନିରବ ରହିଥିଲେ । ଏହା ପରେ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଆନ୍ଧ୍ର ସରକାର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ଗଠନ କରିବା ସହ ବିବାଦୀୟ କୋଟିଆ ପଞ୍ଚାୟତକୁ ପାର୍ବତୀପୁରମ ମାନ୍ୟମ ଜିଲ୍ଲାରେ ସାମିଲ କରିଛନ୍ତି । ପଛୁଆ ଜିଲ୍ଲାର ମାନ୍ୟତା ଦେଇ ଉଭୟ କେନ୍ଦ୍ର ଓ ନିଜ ରାଜ୍ୟର ଯୋଜନା ଏଠାରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖଛନ୍ତି ଆନ୍ଧ୍ର ସରକାର । ଏଥିପାଇଁ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ମଧ୍ୟ ଦିଆଯାଇଛି । ଏହା ଦ୍ବାରା ସୀମାନ୍ତ ଗାଁର ଲୋକ ପ୍ରଭାବିତ ହେବେ ଏବଂ କୋଟିଆକୁ ଅକ୍ତିଆର କରିବା ସହଜ ବୋଲି ଯୋଜନା କରିଛନ୍ତି । ତେଣୁ ଆଗକୁ ଅନୁପ୍ରବେଶ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଆନ୍ଧ୍ରକୁ ଚେକ୍ ଦେବାକୁ ଓଡ଼ିଶା ମଧ୍ୟ ତତ୍ପରତା ପ୍ରକାଶ କରିଛି । କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତ ଆସିଥିଲେ । କୋଟିଆ ପରିଦର୍ଶନ କରିବା ସହ ବାସ୍ତବ ସ୍ଥିତିର ସମୀକ୍ଷା କରିଥିଲେ । ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
