ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣା, ନିଲମ୍ବିତ ହେଲେ ମହୁଲଡ଼ିହା ଥାନା ଏଏସଆଇ

ବାରିପଦା : ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିଥିବା ଜଣାଯାଇଛି । କ୍ୱାକ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିବାପରେ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ।
ଉଲ୍ଲେଖଯୋଗ୍ୟ, ଅଣ୍ଟା ବ୍ୟଥା ଉପଶମ ପାଇଁ ମଣିଷଙ୍କୁ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ୍ ଦେଇଥିବା ନକଲି ଡାକ୍ତର (କ୍ବାକ୍) କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଣ୍ଟିପାଳ ଗ୍ରାମର ବିଶ୍ବନାଥ ବେହେରା (୬୫)ଙ୍କୁ ଧରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ପୁଲିସ ଧରପଗଡ଼ ଆରମ୍ଭ କରିଥିଲା । ମହୁଲଡ଼ିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୨୨/୨୨, ଆଇପିସି ୪୧୭, ୩୩୭, ୩୦୭ରେ ଏକ ମାମଲା ରୁଜୁ କରିଥିଲା । ବିଶ୍ବନାଥ ଫେରାର୍ ଥିବା ଥାନାଧିକାରୀ ରଞ୍ଜୁ ହାସିନ କୁଲୁ ସୂଚନା ଦେଇଛନ୍ତି ।

ତେବେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇଥିବା ଗୌଡିଆବାହାଳୀ ଗ୍ରାମର ବୃଦ୍ଧ ଦୈତାରୀ ମହାନ୍ତ(୮୦)ଙ୍କ ଶରୀରରେ ୧୭ ତାରିଖ ଠାରୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । ରବିବାର ରାତିରେ ଜ୍ବର, ମୁଣ୍ଡ ବୁଲାଇବା ଓ ପତଳା ଝାଡ଼ା ହେବାରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ଜ୍ବର ସାମାନ୍ୟ କମିଥିବାବେଳେ ଝାଡ଼ା ଲାଗି ରହିଥିବା ପୁଅ ଗଜେନ୍ଦ୍ର ମହାନ୍ତ କହିଛନ୍ତି । କ୍ବାକଙ୍କ ଚିକିତ୍ସାରେ ଦୈତାରୀ ଅସୁସ୍ଥ ହୋଇ ପଡ଼ିବାରୁ ଭଲ ହୋଇ ଘରକୁ ଗଲେ ଥାନାରେ ଏତଲା ଦାଏର କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୧୬ ତାରିଖରେ ନକଲି ଡାକ୍ତର ବିଶ୍ବନାଥ ବେହେରା ମହୁଲଡିହା ଗାଁ’ର ଶ୍ରୀକାନ୍ତଙ୍କ ଅଣ୍ଟା ବ୍ୟଥା ଓ ଗୌଡ଼ିଆବାହାଳି ଗ୍ରାମର ଦୈତାରୀଙ୍କୁ ଅଣ୍ଟାବ୍ୟଥା ଓ ଜ୍ବର ପାଇଁ (ମେଲୋକ୍ସିକାମ/ MELOXICAM) ଇଞ୍ଜେକସନ, ୧୦ଟି ଟାବ୍ଲେଟ୍ ଦେଇଥିଲା । ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ୍ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲେଖା ଦେଖି ପ୍ରତିବାଦ କରିଥିଲେ । ଏହାକୁ ନେଇ ବିଶ୍ବନାଥ ଓ ଗ୍ରାମବାସୀଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଗ୍ରାମବାସୀଙ୍କ ସହ ବିଶ୍ବନାଥ ଥାନାକୁ ଯାଇ ସେଠାରେ କାହାର କିଛି କ୍ଷତି ଘଟିଲେ ନିଜେ ଦାୟୀ ରହିବେ ବୋଲି ଲେଖି ଚାଲି ଯାଇଥିଲେ । ଏଣେ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିଥିଲା ।

Leave a Reply

Your email address will not be published. Required fields are marked *