ମୟୂରଭଞ୍ଜ : ପ୍ରଚଣ୍ଡ ଖରାରେ ପାଣିର ଅଭାବ । ପାଣି ପାଇଁ ମହିଳାଙ୍କ ରଣହୁଙ୍କାର । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ “ଧନପୁର” ଗ୍ରାମରେ ଦୀର୍ଘଦିନ ହେବ ପାନୀୟ ଜଳର ଘୋର ଅଭାବ ଲାଗି ରହିଛି । ଗାଁ ପାଖରେ ବସୁଧା ଯୋଜନାରେ ଟାଙ୍କି ବସିଛି, ପାଇପ୍ ମଧ୍ୟ ବିଛା ଯାଇଛି ହେଲେ ଭୂତଳ ଜଳ ନିମ୍ନଗାମୀ ହେବା ଫଳରେ ବୋରିଂ ରୁ ପାଣି ନଉଠିବାରୁ ପାଣି ସପ୍ଲାଇ ଯାଇ ପାରୁନାହିଁ ।
ଏବେ ପାଣି ପାଇଁ ୨ କିଲୋମିଟର ଚାଲି ବୋହି ଆଣିବା ପାଇଁ ପଡୁଛି । ପାନୀୟ ଜଳ ଯୋଗାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପାଣି ଟୋପାଏ ମିଳିଲା ନାହିଁ । ଯାହାଫଳରେ ଆଜି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯଦି ସମାସ୍ୟାର ସମାଧାନ ନହୁଏ ତାହାହେଲେ ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି । ଦିନ ୯ଟା ବେଳୁ ଖରା ଜୋରରେ ଆରମ୍ଭ ହୋଇ ଯାଉଛି । ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ସୋନପୁର ।
ସୋନପୁରର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଥିବା ବେଳେ ଆଗାମୀ ୨ ଦିନ ଯାଏଁ ଦିନର ତାପମାତ୍ରା ଆଭ୍ୟନ୍ତରୀଣ ଓଡିଶାରେ ଅନେକ ସ୍ଥାନରେ ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।
