ଜନବସତି ଭିତରେ ବେଆଇନ ରାଇସ୍‌ ମିଲ

ବାଲେଶ୍ବର : ଗୋଟିଏ ପଟେ ସରକାର ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ଆହ୍ବାନ ଦେଉଥିବା ବେଳେ ବାଲେଶ୍ବର ସହର ଉପକଣ୍ଠ‌ରେ ଥିବା ଏକ ରାଇସମିଲ ଆ‌ଖପାଖ ଅଞ୍ଚଳକୁ ଏତେ ମାତ୍ରାରେ ପ୍ରଦୂଷିତ କରୁଛି ତାହା ସ୍ଥାନୀୟ ଲୋକଙ୍କ ପାଇଁ ଏବେ ବିପଦର କାରଣ ପାଲଟିଛି । ଏକଥା ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ସତ୍ୟବ୍ରତ ସ, କାରୁ ସିଂ, ବିଶ୍ବନାଥ ଦାସ, ମନୋଜ ସ, କାଞ୍ଚି ଥାପ୍ପା, ଶକୁନ୍ତଳା ମଲ୍ଲିକ ପ୍ରମୁଖ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବାଲେଶ୍ବର ସହରରୁ ମାତ୍ର ୨ କିଲୋମିଟର ଦୂରତା ତଥା ରେମୁଣା ବ୍ଲକର କୁରୁଡ଼ା ପଞ୍ଚାୟତରେ ଜନବସତି ଭିତରେ ଏହି ରାଇସମିଲ ଗଢ଼ି ଉଠିଛି । ତେବେ ଆଜିକୁ କିଛିବର୍ଷ ହେଲା ଏହି ରାଇସମିଲରୁ ନିର୍ଗତ ହେଉଥିବା ପାଉଁଶଗୁଣ୍ଡ ଓ ପଚା ଦୁର୍ଗନ୍ଧ ପାଣିକୁ ରାଇସମିଲ ମାଲିକ ଟ୍ରିଟ୍‌ମେଣ୍ଟ୍‌ ନକରି ସିଧା ବାହାରକୁ ଛାଡ଼ି ଦେଉଛନ୍ତି । ଫଳରେ ଗାଁ ପୋଖରୀ ଏବଂ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବାକୁ ବସିଲାଣି । ପାଉଁଶ ଗୁଣ୍ଡ ଉଡ଼ି ଘରଦ୍ବାର ଅପରିଷ୍କାର ଓ ପ୍ରଦୂଷିତ ହେଉଥିବାରୁ ଗାଁର ଅନେକ ଲୋକ ଆଖି ଓ ଚର୍ମ ରୋଗରେ ଶିକାର ହେଲେଣି । ଲୋକେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅଭିଯୋଗ କରି ନାଚାର ହୋଇ ପଡ଼ିଛନ୍ତି ।

ଲୋକଙ୍କ ଅଭିଯୋଗକୁ କୌଣସି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରୁନଥିବା ହେତୁ ମିଲ ମାଲିକର ଦୌରାତ୍ମ୍ୟ ଦିନକୁଦିନ ବଢ଼ିଚାଲିଛି । ଗତବର୍ଷ ଗ୍ରାମବାସୀ ଏକାଠି ହୋଇ ଜାତୀୟ ରାଜପଥ ଅବରୋଧ କରିବାରୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିଲା । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ଏବେ ବି ସେମିତି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି କୁରୁଡ଼ା ଗ୍ରାମବାସୀ । ତେବେ ମିଲର, ସ୍ଥାନୀୟ ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମଧୁ ଚନ୍ଦ୍ରିକା ହେତୁ ଏଭଳି ଅସୁବିଧା ହେଉଛି । ଆଗାମୀ ଦିନରେ ଯଦି ଏ ବାବଦରେ ପ୍ରଶାସନ କିଛି ନ ଶୁଣେ ତାହେଲେ ସ୍ଥାନୀୟ ଲୋକେ ମିଲ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଏନେଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମିତ୍ରସେନ୍‌ ମାଝୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିବା ବେଳେ ସେ ଏହାର ଉତ୍ତର ଦେବାକୁ ପ୍ରାଧିକୃତ ଅଧିକାରୀ ନୁହନ୍ତି ବୋଲି କହିଛନ୍ତି । ସେହିପରି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ କହିଛନ୍ତି ମିଲ୍‌ ମାଲିକଙ୍କୁ ଯେତେବେଳେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ମଗାଯାଉଛି ସେତେବେଳେ ସେମାନେ ଯେଉଁ ପ୍ରମାଣପତ୍ର ଦେଉଛନ୍ତି ତାହା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ବୈଧ ପ୍ରମାଣିତ ହୋଇଥିବା ଦେଖିବାକୁ ମିଳୁଛି। ଗୋଟିଏ ସରକାରୀ ବିଭାଗ ଯେତେବେଳେ ପ୍ରମାଣପତ୍ର ବୈଧ ଥିବା ଦର୍ଶାଇଛି ତାହା ଆଉ ଯାଞ୍ଚ୍‌ କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ତେବେ ସମ୍ପୃକ୍ତ ରାଇସମିଲ ଦ୍ବାରା ଆଖପାଖ ଅଞ୍ଚଳ ପ୍ରଦୂଷିତ ହେଉଥିବାରୁ ଲୋକେ ଛଟପଟ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ କେଉଁ ଆଧାରରେ ପ୍ରଦୂଷଣ ପ୍ରମାଣପତ୍ର ପ୍ରଦାନ କଲା ସେନେଇ ମଧ୍ୟ ଉଚ୍ଚସ୍ତରୀୟ ଯାଞ୍ଚ୍‌ ହେବା ଉଚିତ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *