ଯଶିପୁର : ଯଶିପୁର ବ୍ଲକର ବଣପାହାଡ଼ ଘେରା ଅନୁସୂଚିତ ଜନଜାତି ଅଧ୍ୟୁଷିତ ପୋଡ଼ାଗଡ଼ ପଞ୍ଚାୟତର ଅଧିକାଂଶ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି । ପଞ୍ଚାୟତର ଟିଙ୍ଗିରିଆଣି ଗ୍ରାମରେ ୫ ଶହରୁ ଊର୍ଦ୍ଧ୍ବ ବାସିନ୍ଦା ବସବାସ କରୁଥିବାବେଳେ ଏଠାରେ ସୋଲାର ପରିଚାଳିତ ପାଣି ଟାଙ୍କି ମାସାଧିକ କାଳ ଅଚଳ ହୋଇପଡ଼ିଛି । ବସ୍ତିବାସୀ ଏକ ପରିତ୍ୟକ୍ତ କୂପ ଓ ନଦୀକୂଳର ଚୁଆରୁ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବହୁବାର ବିଭାଗୀୟ କର୍ମଚାରୀ ପହଞ୍ଚି ମଧ୍ୟ ପ୍ରତିକାର ବ୍ୟବସ୍ଥା କରି ପାରିନାହାନ୍ତି ।
ସେହିପରି ନିକଟବର୍ତ୍ତୀ ଜାମୁଆଣି ଏକ ଜନବହୁଳ ଗ୍ରାମ ହୋଇଥିବାବେଳେ ଏଠାରେ ମଧ୍ୟ ଜଳ ସଙ୍କଟ ଦେଖାଦେଇଛି । ଏଠାରେ ନଳ କୂଅ ଅଛି, ହେଲେ ଗୋଟିଏ ହେଲେ ବି ନଳକୂଅର ପାଣି ପିଇବା ଉପୋଯୋଗୀ ନୁହଁ । ଲୋକେ ବାଧ୍ୟ ହୋଇ ପାଖ ନାଳରେ ଚୁଆ ଖୋଳି ପାଣି ବ୍ୟବହାର କରୁଛନ୍ତି । ପାଖକୁ ଲାଗିଥିବା ବୃନ୍ଦେଇପୋଷି ଗ୍ରାମବାସୀ ମଧ୍ୟ ପାଣି ପାଇଁ ହଟହଟା ହେଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ନଳକୂପକୁ ଛାଡ଼ି ଦେଲେ ଅନ୍ୟ ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ । ବାଧ୍ୟ ହୋଇ ମହିଳାମାନେ ବିଲ ହିଡ଼ ଦୂର ରାସ୍ତା ଅତିକ୍ରମ କରି ଖଡ଼ିଆ କଲୋନିରେ ବସିଥିବା ସୋଲାର ଚଳିତ ପାଣି ଟାଙ୍କିରୁ ଘଣ୍ଟା ଘଣ୍ଟା ଜଗି ରହି ଗୋରାଏ, ବାଲଟିଏ ପାଣି ସଂଗ୍ରହ କରିବାକୁ ହୀନସ୍ତା ହେଉଛନ୍ତି । କରଞ୍ଜବାଲି ଗ୍ରାମର ଏକ ସାହିବାସିନ୍ଦା ମଧ୍ୟ ଜଳ ଯନ୍ତ୍ରଣାର ଶିକାର ହେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ଜନଜାତି ଅଧ୍ୟୁଷିତ ପଞ୍ଚାୟତବାସୀଙ୍କ ଜଳ ସଙ୍କଟ ଦୂର କରି ପାଇଁ ପ୍ରୟାସ କରିବା ଜରୁରି ହୋଇ ପଡ଼ିଛି । ବ୍ଲକ ଓ ଜିଲ୍ଲାପ୍ରଶାସନ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
