କରଞ୍ଜିଆ : ଗ୍ରୀଷ୍ମପ୍ରବାହ ଯୋଗୁ ଅନେକ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି । ଭୂତଳ ଜଳସ୍ତର ନିମ୍ନଗାମୀ ହେବା ସହିତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଲାଣି । ରରୁଆଁ ବ୍ଲକ ଅନ୍ତର୍ଗତ ଦୟାପୋଷି ଗାଁ ସ୍କୁଲସାହି ଓ ମଝିସାହିରେ ଏହି ସମସ୍ୟା ଦେଖାଦେଇଛି । ଏଠାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଏହି ଦୁଇ ସାହି ମଧ୍ୟରେ ରାତି ପାହିଲେ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଯାଏ । କିଏ ଆଗ ଘରକୁ ପାଣି ନେବ । କେବଳ ଖରାଦିନ ନୁହଁ ସବୁଦିନ ଏହି ସମସ୍ୟା ଲାଗି ରହିଥାଏ । ଦୁଇ ସାହିରେ ପ୍ରାୟ ୧୩୦ ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି ।
ଆଗରୁ ୨ଟି ନଳକୂଅ ଥିଲା । ସେଥିରୁ ସ୍କୁଲସାହିର ନଳକୂଅ ଅଚଳ । ଏହା ଉପରେ ୬୦ ପରିବାର ଚଳି ଆସୁଥିଲେ । ଏବେ ପ୍ରବଳ ଖରା ଯୋଗୁ ୬୦ ପରିବାର ଡହଳବିକଳ ହେଉଛନ୍ତି । ପ୍ରତିଦିନ ୧ କିମି ଚାଲି ମଝିସାହିକୁ ପାଣି ପାଇଁ ଯାଉଛନ୍ତି । ହେଲେ ଦୁଇସାହି ପାଇଁ ଗୋଟିଏ ନଳକୂଅ ଥିବାରୁ ବେଳେ ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥାଏ । ସ୍କୁଲସାହିଙ୍କ ଅଭିଯୋଗକ୍ରମେ ନଳକୂଅ ଖରାପ ହେବା ପରେ ବ୍ଲକ୍ ପ୍ରଶାସନିକ ଅଧିକାରୀ, ସରପଞ୍ଚ ଠାରୁ ଆରମ୍ଭ କରି ପିଇଓ, ବିଡିଓ, ଜଳ ଯୋଗାଣ ବିଭାଗର ଜେଇ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ମରାମତିର ନାଁ ନେଉନାହାନ୍ତି । ଶେଷରେ ସାହିବାସୀ ଆନ୍ଦୋଳନପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ବସୁଧା ଯୋଜନାଏଠି ଫେଲ୍ ମାରିଛି । ଯୋଜନାରେ ଗାଁରେ ନିର୍ମାଣ ହୋଇଥିବା ପାଣିଟାଙ୍କି ମଧ୍ୟ ଅଚଳ । ପାଇପ୍ ଲାଇନ ଘରକୁ ଘରକୁ ଯୋଡ଼ି ହୋଇଛି ସତ ହେଲେ ପାଣି ଆସୁନି । ପାଣି ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ ପିଇଓ, ଜେଇ, ବିଡିଓଙ୍କୁ ମେସିନ ଖରାପ ହୋଇଥିବା ନେଇ ଜଣାଇଛନ୍ତି । ହେଲେ କାହିଁକି ମରାମତି ହେଉନାହିଁ ସେକଥା ସେମାନେ ଜାଣନ୍ତି । ଦିନକୁ ଦିନ ତାତି ବଢୁଥିବାବେଳେ ୭ ଦିନ ଭିତରେ ପାଣି ସମସ୍ୟା ଦୂର ନ ହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସ୍କୁଲସାହିବାସୀ ଚେତାବନୀ ଦେଇଛନ୍ତି ।
