ଭୁବନେଶ୍ବର : ବନ୍ଦ ପଡ଼ିଛି ୬ ରୁ ୪ ଚିନି କଳ । ଆବଶ୍ୟକତା ପୂରଣ କରୁନି ରାଜ୍ୟ । ଏଥିଯୋଗୁଁ ଆମଦାନି ଚିନି ଉପରେ ପଡ଼ିଛି ପେଟ୍ରୋଲିୟମ ଦରବୃଦ୍ଧିର ମାଡ଼ । ୨୦୧୯ ମସିହାରେ ବିଧାନସଭାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ୨.୨୧ ଲକ୍ଷ ମେଟ୍ରିକ ଟନ୍ ଚିନିର ଚାହିଦା ରହିଛି । ଢେଙ୍କାନାଳ, ଆସ୍କା ବ୍ୟତୀତ ବରଗଡ଼, ବଲାଙ୍ଗୀର, ନୟାଗଡ଼, ବଡ଼ମ୍ବା ସମବାୟ ଚିନି କଳ ବନ୍ଦ ହୋଇଯାଇଥିବାରୁ ଚିନି ପାଇଁ ଓଡ଼ିଶାକୁ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଯାହାର ଦୂରତା ଏକ ହଜାର କିଲୋମିଟରରୁ ଅଧିକ ଅଟେ । ତେଣୁ ଡିଜେଲ ଦର ବୃଦ୍ଧି ମାଡ଼ ଗ୍ରାହକଙ୍କ ଉପରେ ପଡ଼ୁଛି ।
ମୁଖ୍ୟତଃ କଟକ, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା, ନବରଙ୍ଗପୁର ଓ କୋରାପୁଟରେ ଆଖୁ ଚାଷ ହୁଏ । ଅଣ ଚିନି କଳ ଅଞ୍ଚଳ ନବରଙ୍ଗପୁର ଏବଂ କୋରାପୁଟରେ ଗୁଡ଼ ପ୍ରୋସେସିଂ ୟୁନିଟ୍ କରାଯାଇଛି । କୋରାପୁଟରେ ଆଖୁ ଜୁସ୍ ପ୍ରୋସେସିଂ ୟୁନିଟ୍ କରାଯାଇଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚିନି କଳ ପୁନଃ ଖୋଲିବା ନେଇ କୌଣସି ଆଗ୍ରହ ନାହିଁ । ଆଖି ଚାଷୀଙ୍କ ଲାଭ ପାଇଁ ଗୁଡ଼ ଏବଂ ଜୁସ୍ ପ୍ରୋସେସିଂ ୟୁନିଟ୍କୁ ଗୁରୁତ୍ବ ଦିଆଯାଉଛି । ତେବେ ବାସ୍ତବରେ ଏହାର କାର୍ଯ୍ୟକ୍ଷମକୁ ନେଇ ପ୍ରଶ୍ନବାଚୀ ରହିଛି ।
