ଦିବ୍ୟାଙ୍ଗ ପୁଅ ପାଇଁ ଆଶାବାଡ଼ି ସାଜିଲେ ବାପା

ନବରଙ୍ଗପୁର : ଗୋଟିଏ ବୋଲି ପୁଅ । ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ପୁଅ ବଡ଼ ସ୍ବପ୍ନ ଦେଖିଛି । ତାହାକୁ ନିଶ୍ଚିତ ପୂରଣ କରିବେ । ଏହି ଲକ୍ଷ୍ୟ ନେଇ ଅଭାବ ସତ୍ତ୍ବେ ସବୁ କାମଧନ୍ଦା ଛାଡ଼ି ସାଜିଛନ୍ତି ପୁଅର ଆଶାବାଡ଼ି । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପୁଅ ସହ ରହୁଛନ୍ତି ଛାଇ ଭଳି । ଜଣେ ଗରିବ ବାପାର ଏମିତି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ମତ ପ୍ରକାଶ ପାଇଛି ।

ନବରଙ୍ଗପୁର ସହର ଠାରୁ ୧୦ କିଲୋମିଟର ଦୂରରେ ରହିଛି ପୂଜାରୀଗୁଡ଼ା ଗାଁ । ଏହି ଆଦିବାସୀ ଗାଁର ବାସିନ୍ଦା ହେଲେ ଜଳନ୍ଧର ରନ୍ଧାରୀ । ପରିବାର କହିଲେ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ବୋଲି ପୁଅ ଅରୂପାନନ୍ଦ ରନ୍ଧାରୀ । ପିଲାଦିନେ ଅରୂପାନନ୍ଦ ପୋଲିଓରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟିଗଲେ । ଗାଁ ସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ବଡ଼ ସ୍ବପ୍ନ ଦେଖିଲେ ଅରୂପାନନ୍ଦ । ଅଧିକ ପାଠ ପଢ଼ିବେ ଏବଂ ଚାକିରି କରି ପରିବାରର ଅଭାବ ଅସୁବିଧାକୁ ଦୂର କରିବେ । କିନ୍ତୁ ଏହି ସ୍ବପ୍ନକୁ ସାକାର କରିବାକୁ ଜଳନ୍ଧର ପୂରା ଦମ୍‌ ଲଗାଇ ଦେଇଛନ୍ତି । ଦିନ ମଜୁରିଆ ହୋଇଥିବା ସତ୍ତ୍ବେ ପ୍ରତିଦିନ ଘରୁ ପୁଅକୁ ନେଇ ସାଇକଲରେ ବାହାରୁଛନ୍ତି । ୧୦ କିଲୋମିଟର ଦୂରରେ ଥିବା ନବରଙ୍ଗପୁର କଲେଜରେ ପହଞ୍ଚିବା ପରେ ଉପର ମହଲରେ ଥିବା ଶ୍ରେଣୀ ଗୃହକୁ ପୁଅକୁ କୋଳରେ ଧରି ଯାଉଛନ୍ତି ।

ପାଠପଢ଼ା ସରିବା ପରେ ପୁଣି କୋଳରେ ଧରି ତଳ ମହଲାକୁ ଆସି ସାଇକଲରେ ଗାଁକୁ ଫେରୁଛନ୍ତି । ପୁଅର ପାଠପଢ଼ାରେ ଯେମିତି କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ରଖିବା ସହ ଦିନର ଅଧିକାଂଶ ସମୟ ପୁଅ ସହ ବିତାଉଛନ୍ତି । ଏଥିପାଇଁ ଠିକ୍‌ ରୂପେ କାମ କରିବାକୁ ବି ଯାଇପାରୁ ନାହାନ୍ତି । ସରକାରୀ ସହାୟତା କହିଲେ ଏହି ପରିବାରକୁ ମାସିକ କେବଳ ୨୫ କିଲୋ ଚାଉଳ ମିଳୁଛି । ଅନ୍ୟ କୌଣସି ପ୍ରକାର ସହାୟତା ମିଳୁ ନଥିବା ବେଳେ ଘୋର ଅଟନଟ ମଧ୍ୟରେ ରହିଛନ୍ତି । ତଥାପି‌ କ୍ଷୋଭ ନାହିଁ, ସବୁ ସମସ୍ୟାକୁ ମୁଣ୍ଡ ପାତି ସହି ନେଉଛନ୍ତି । ଅରୂପାନନ୍ଦ ହଷ୍ଟେଲରେ ରହି କୌଣସି ବଡ଼ କଲେଜରେ ପାଠ ପଢ଼ିବ ବୋଲି ଇଚ୍ଛା କରିଥିଲା । କିନ୍ତୁ ଅର୍ଥାଭାବ ଯୋଗୁ ବାଧ୍ୟ ହୋଇ ଘର ନିକଟରେ ଥିବା ନବରଙ୍ଗପୁର କଲେଜରେ ନାମ ଲେଖାଇଥିବା ଜଣାପଡ଼ିଛି । ଦିବ୍ୟାଙ୍ଗ ପୁଅକୁ ସକ୍ଷମ ମଣିଷ ଭାବେ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଜଣେ ଗରିବ ବାପାର ଏଭଳି ପରିଶ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *