ଜାଗା ମିଶନ ନାଁରେ ବସ୍ତିବାସିନ୍ଦାଙ୍କୁ ଧୋକା : ଆର୍‌ଏମ୍‌ସି ଘେରିଲେ ଗାଢ଼ାଟୋଲାବାସିନ୍ଦା

ରାଉରକେଲା : ନିର୍ବାଚିତ ପ୍ରତିନିଧି ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ବିଭାଗୀୟ ଅଧିକାରୀ ମନଇଛା କାମ କରୁଛନ୍ତି । ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠିରକୁ ହରିଲୁଟ୍‌ କରିବାକୁ ମସୁଧା ଚଳାଇଛନ୍ତି । ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଗାଢ଼ାଟୋଲା ବସ୍ତି ଏହାର ଜ୍ବଳନ୍ତ ଉଦାହରଣ । ଜାଗା ମିଶନ ନାଁରେ ବସ୍ତିରେ ବିକାଶମୂଳକ କାମ ହୋଇଛି । ଯେତିକି କାମ ହୋଇଛି, ତା’ଠାରୁ ଢ଼େର ଦୁର୍ନୀତି ହୋଇଛି । ଏମିତି ଅଭିଯୋଗ ଆଣିଛନ୍ତି ବସ୍ତିର ମହିଳା । ବସ୍ତିରର ବିକାଶ ପାଇଁ ବସ୍ତି ଉନ୍ନୟନ ସଂଘ (ଏସ୍‌ଡିଏ) ଗଠନ ହୋଇଛି ।

ବିଡମ୍ବନା, ଏ ସଂକ୍ରାନ୍ତରେ ବସ୍ତିର ୮୦%  ମହିଳା ଜାଣିନାହାନ୍ତି । ବସ୍ତିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ଅଛନ୍ତି । କାହାକୁ  ନ ଡାକି କମିଟି ଗଠନ କରାଯାଇଛି । ତେଣୁ ବସ୍ତିର ଏସ୍‌ଡିଏ ପୁନର୍ଗଠନ ଦାବିରେ ଆଜି ବସ୍ତିର ଶତାଧିକ ମହିଳା ଆର୍‌ଏମ୍‌ସି ଅଫିସ୍‌ ଘେରାଉ କରିଥିଲେ । ପୁଷ୍ପା ଲେଙ୍କା, ରମେଶ କୁମାର ବଳଙ୍କ ନେତୃତ୍ବରେ ମହିଳାମାନେ ଆର୍‌ଏମ୍‌ସି ଡେପୁଟି କମିସନର ସୁଧାଂଶୁ ଭୋଇଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ବସ୍ତିରେ ଏସ୍‌ଡିଏ ଗଠନ କରିବାକୁ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ବସ୍ତିରେ ଏସ୍‌ଡିଏ ପୁନର୍ଗଠନ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି  ରହିବ ବୋଲି ପୁଷ୍ପା ଲେଙ୍କା କହିଛନ୍ତି । ଦାବିପତ୍ରରେ ଦର୍ଶାଇଛନ୍ତି, ବସ୍ତିରେ ସୌଭାଗ୍ୟ ଲକ୍ଷ୍ମୀ ମହାସଂଘକୁ ଅବହେଳା କରାଯାଇଛି ।

ସରକାର ଏସ୍‌ଏଚ୍‌ଜି ଗ୍ରୁପଙ୍କ ପାଇଁ କୋଟି କୋଟି ଟଙ୍କା ଘୋଷଣା କରିଛନ୍ତି । ସେ ଟଙ୍କା କୁଆଡେ ଯାଉଛି ? ଆର୍‌ଏମ୍‌ସିରେ ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ରାଜନୀତିକରଣ କରାଯାଉଛି । ସମ୍ପର୍କୀୟ ଓ ଜଣାଶୁଣା ଏସ୍‌ଏଚ୍‌ଜି ଗ୍ରୁପକୁ କାମ ଦିଆଯାଉଛି । କେବଳ ଗାଢ଼ାଟୋଲା ବସ୍ତି ନୁହେଁ ସିଭିଲଟାଉନସିପ୍‌ ମାନଟୋଲା (ବି) ବସ୍ତିରେ  ଶୌଚାଳୟକୁ ନେଇ ରାଜନୀତି କରାଯାଉଛି । ରାଜନୀତି ଚାପରେ ବଶବର୍ତ୍ତୀ ନହୋଇ ବସ୍ତିର ବିକାଶ ସହ ସମସ୍ତ କାମର ସ୍ବଚ୍ଛତା ଅବଲମ୍ବନ କରିବାକୁ ପୁଷ୍ପା ଲେଙ୍କା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *