ଭାସିଗଲା ୨୫ ଲକ୍ଷର ଟଙ୍କାର ଚେକ୍‌ଡ୍ୟାମ୍‌

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା କ୍ଷୁଦ୍ର ଜଳସେଚନ ବିଭାଗର କାମରେ ହୋଇଥିବା ଅନିୟମିତତା ପଦାରେ ପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏକାଧିକ ଚେକ୍‌ଡ୍ୟାମ୍‌ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି କ୍ରମରେ ତେଲରାଇ ପଞ୍ଚାୟତର ଗୋଟିଏ ନାଳରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଚେକ୍‌ଡ୍ୟାମ୍‌ । ଉଦ୍ଦେଶ୍ୟ ଥିଲା ଆଖପାଖ ଅଞ୍ଚଳର ଚାଷୀ ଏହି ଡ୍ୟାମ୍‌ରେ ଯେଉଁ ପାଣି ଗଚ୍ଛିତ ହେବ, ତାହାକୁ ଚାଷରେ ବ୍ୟବହାର କରିବେ । ଚାଷୀଙ୍କ ଆର୍ଥିକ ସ୍ଥିତିରେ ବି ସୁଧାର ଆସିବ ।

କିନ୍ତୁ ଚେକ୍‌ଡ୍ୟାମ୍‌ ନିର୍ମାଣ ସରିବାର ଦୁଇବର୍ଷ ପରେ ସରକାରଙ୍କ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପାଣିରେ ପଡ଼ିଛି । ସାମାନ୍ୟ ବର୍ଷାରେ ୨୫ ଲକ୍ଷ ଟଙ୍କାରେ ନିର୍ମିତ ଚେକ୍‌ଡ୍ୟାମ୍‌ କ୍ଷତିଗ୍ରସ୍ତ ହେବା ସହ ଭାସିଯାଇଛି । ଡ୍ୟାମ୍‌ର ଉଭୟପଟେ ଥିବା ଗେଟ୍‌ରେ ବାଲି ମାଡ଼ି ଯାଇ ପୋତି ହୋଇଯାଇଛି । ବଡ଼ ବଡ଼ ସିମେଣ୍ଟ କଂକ୍ରିଟ୍‌ ୱାଲ୍‌ ଗୁଡ଼ିକ ଖଣ୍ତ ଖଣ୍ତ ହୋଇ ତଳକୁ ଭାସି ଯାଇଛି। ଚେକ୍‌ଡ୍ୟାମ୍‌ର ଗୋଟିଏ ପଟ ସଂପୂର୍ଣ୍ଣ ଭାବେ ଭାସିଯାଇ ସେଠାରେ ୨୦ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି। ସେଠାରେ ପଡ଼ିଥିବା ଶୁଖିଲା ଗଛ ଉପରେ ସିମେଣ୍ଟ ୱାଲ କରାଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାମ ଯୋଗୁ ୨୫ ଲକ୍ଷ ଟଙ୍କାର ଚେକ୍‌ଡ୍ୟାମ୍‌ ଅବସ୍ଥା ଆଜି ଏପରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।

Leave a Reply

Your email address will not be published. Required fields are marked *