ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ନିମନ୍ତେ ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ବଣାଇ : ବଣାଇ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ପିଠାଚୋର ଗ୍ରାମର ଲମସି ଖେଳପଡିଆ ଠାରେ ପୋଲିସ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନସମ୍ପର୍କ ଶିବିରରେ ସ୍ଥାନୀୟ ଯୁବକମାନଙ୍କୁ ନେଇ ଏକ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ୮ଟି ଦଳ ଅଂଶଗ୍ରହଣ କରି ନକଆଉଟ ପର୍ଯ୍ୟାୟରେ ଖେଳିଥିବା ବେଳେ ଫାଇନାଲ୍ ଖେଳରେ ବରାଛାପଲ ସହିତ ବଡ଼ବିଲ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିବା ବେଳେ ଏଥିରେ ବଡବିଲ ଦଳ ଚମ୍ପିଆନ୍ ହେବାର ଗୌରବ ଅର୍ଜନ କରିଥିଲେ ।

ଏହି ଜନସମ୍ପର୍କ ଶିବିରରେ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ଓତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିଠାଚୋର ସରପଞ୍ଚ ସୁନିକା ହେମ୍ରମ, ସମିତି ସଭ୍ୟ ଗଦାଧର ନାଏକ, ଟିକାଏତପାଲି ଥାନା ଅଧିକାରୀ ସରସ୍ଵତୀ ଟୁଡୁ, ପୂର୍ବତନ ସରପଞ୍ଚ ସନ୍ଦିପ ଜାରିକା, ପୋଲିସ ସର୍ଜନ ସମିର ସ୍ଵାଇଁ, ଡାକ୍ତର ମୟୂରୀ ଗାଗୁଂଲି ମୁନି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଫୁଟବଲ ପ୍ରତିଯୋଗିତାରେ ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଟ୍ରଫି ପ୍ରଦାନ କରିବା ସହ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଜନସମ୍ପର୍କ ଶିବିର ପୋଲିସ ଓ ଲୋକମାନଙ୍କ ମଧ୍ୟରେ ସୁସମ୍ପର୍କ ରହିବ ଏହାର ମୂଳ ଲକ୍ଷ୍ୟ ରଖି ଜନସମ୍ପର୍କ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଖେଳାଳିମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ଓ ଆଦିବାସୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ବଣ୍ଟନ କରିବା ସହିତ ଆଦିବାସୀ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧପତ୍ର ବଣ୍ଟନ କରାଯାଇଥିଲା । ଏହି ଶିବିରରେ ବହୁ ସଂଖ୍ୟାରେ ଦର୍ଶକ ଓ ଗ୍ରାମର ଲୋକେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *