ଦେଓଗାଁରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗ; ବାରମ୍ବାର ଗାଡ଼ି ଫିଲଟର ବଦଳାଇ ନୟାନ୍ତ ଲୋକେ

ଦେଓଗାଁ : ଗ୍ରାମଞ୍ଚଳରେ ମଟରଯାନର ଚାହିଦା ବଢ଼ୁଥିବାରରୁ ଅଧିକ ମାତ୍ରାରେ ପେଟ୍ରୋଲର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଗାଁଗୁଡିକରେ ପେଟ୍ରୋଲ ପମ୍ପ ଖୋଲିବାରେ ଲାଗିଛନ୍ତି । କିନ୍ତୁ ପେଟ୍ରୋଲ ପମ୍ପର ମାଲିକମାନେ ଅଧିକ ଲାଭ ଆଶାରେ ତେଲ ଅପମିଶ୍ରଣ କରି ତେଲ ବିକ୍ରି କରୁଥିବାରୁ ଗାଡ଼ି ମାଲିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକ ଅଞ୍ଚଳରୁ । ଲୋକଙ୍କ ଚାହିଦାକୁ ପୂରଣ କରିବା ପାଇଁ ଦେଓଗାଁ ବସଷ୍ଟାଣ୍ଡ, ଡାକ ବଙ୍ଗଳା ଓ ତୁଷୁରା ରେଲଗେଟ ନିକଟରେ ଗତ ଆର୍ଥିକ ବର୍ଷରେ ବିଭିନ୍ନ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ପମ୍ପ ଖୋଲିଛନ୍ତି । ହେଲେ ଏହି ପେଟ୍ରୋଲ ପମ୍ପଗୁଡିକରେ ସରକାରଙ୍କ ନିୟମକୁ ଅଣଦେଖା କରି କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ଅଣଓଡ଼ିଆ ରାଜନେତା ବ୍ୟବସାୟୀ ଜଣକ ଖୋଲିଥିବା ପେଟ୍ରୋଲ ପମ୍ପରେ ଅଧିକା ମାତ୍ରାରେ ପେଟ୍ରୋଲରେ ପାଣି ମିଶ୍ରଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ଅନ୍ୟ ଦୁଇଟି ଟାଙ୍କିରେ ବିଭିନ୍ନ କେମିକାଲ ମିଶାଇ ତେଲ ଅପମିଶ୍ରଣ କରୁଥିବା ଅଭିଯୋଗ ହେଉଛି । ଏନେଇ କଛି ଦିନ ତଳେ ଦେଓଗାଁ ଅଞ୍ଚଳରେ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କର ନୂତନ ଗାଡ଼ିରେ ଦେଓଗାଁ ଜାତୀୟ ରାଜପଥ ଉପରେ ଥିବା ଦୁଇଟି ଟାଙ୍କିରେ ବିଭିନ୍ନ ସମୟରେ ତେଲ ଭର୍ତ୍ତି କରିଥିଲେ । ହେଲେ ସେ ତେଲ ପକାଇଥିବା ଦିନ କାମ ସାରି ଫେରିବା ବାଟରେ ସିନଖମନ ନିକଟରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ତାଙ୍କ ଅକଲ ଗୁଡୁମ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ମେକାନିକ ଡାକି ଗାଡ଼ି ମରାମତି କରାଇଥିଲେ, ହେଲେ ଗାଡିରେ ଭର୍ତ୍ତି ହୋଇଥିବା ପେଟ୍ରୋଲରୁ କେବଳ ପାଣି ବହାରିଥିବା ଅଭିଯୋଗ କରିଛନ୍ତି । ଖାଲି ସେ ନୁହନ୍ତି ଆଉ ଜଣେ ଦେଓଗାଁର ସ୍କୁଟି ମାଲିକ ମଧ୍ୟ ଦିନେ ଦେଓଗାଁ ଓ ଦିନେ ବଙ୍ଗଳାରେ ଥିବା ଟାଙ୍କିରେ ପେଟ୍ରୋଲ ଭର୍ତ୍ତି କରିଥିଲେ । ସେ ଗତ ବୁଧବାର ଦିନ ବଲାଙ୍ଗୀର ଯିବା ସମୟରେ ରତନପୁର ଛକଠାରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯାଥିବା କହିଛନ୍ତି । ହେଲେ କୌଶଳ କ୍ରମେ ବୁଦ୍ଧି ପ୍ରୟୋଗ କରି ବଲାଙ୍ଗୀର ସ୍ଥିତ ଅମରନାଥ ହୋଣ୍ଡା ଶୋରୁମକୁ ଗାଡ଼ି ନେଇ ପହଞ୍ଚିଯିବାରୁ ବଞ୍ଚିଗଲି ବୋଲି ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ମାର୍କେଟରେ ପେଟ୍ରୋଲ ଅପମିଶ୍ରଣ ବଡୁଥିବାରୁ ଦୁଇ ଚକିଆ ମଟର ଯାନର କେବଳ ପେଟ୍ରୋଲ ଫିଲଟର ଜାମ ହୋଇ ଖରାପ ହେଉଛି । ଫଳରେ ଗାଡ଼ି ସର୍ଭିସିଂ କରିବା ପାଇଁ ଆସୁଥିବା ଗ୍ରାହକମାନେ କେବଳ ପେଟ୍ରୋଲ ଫିଲଟର ବଦଳାଇ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅମରନାଥ ଶୋ’ରୁମରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ଜଣକ କହିଛନ୍ତି । ବର୍ତ୍ତମାନର ମହଙ୍ଗା ଯୁଗରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଗୋଟିଏ ସ୍କୁଟିରୁ ମାସକରେ ଦୁଇ ଦୁଇଟି ଫିଲଟର ଖରାପ ହେବା ଗାଡ଼ି ମାଲିକଙ୍କ ଚିନ୍ତା ବଢାଇ ଦେଇଛି । ଏଣୁ ଦେଓଗାଁ, ତୁଷୁରା ଗୁଡ଼ଭେଳା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକକୁ ସରକାର ଅଚାନକ ଚଢ଼ାଉ କରି ତେଲର ନମୁନା ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *