ଭୁବନେଶ୍ବର : ସାଇବର ଅପରାଧର ଗ୍ରାଫ୍ ରାଜ୍ୟରେ ଉପରମୁହାଁ ହୋଇ ରହିଆସିଛି । ଗତ କିଛି ବର୍ଷ ହେଲା ଓଡ଼ିଶାକୁ ଟାର୍ଗେଟ୍ କରିଛନ୍ତି ସାଇବର ଦସ୍ୟୁ । ଏହି ଅଦୃଶ୍ୟ ଅପରାଧୀ ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି । ନୂଆ ନୂଆ ତଥା ଅଭିନବ ଢଙ୍ଗରେ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି । ଅଭିଯୋଗ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ପୁଲିସ ପ୍ରତି ଏହା ଚ୍ୟାଲେଞ୍ଜ ହୋଇ ରହିଆସିଛି । ତେଣୁ ଏଥିରେ ଲଗାମ୍ ଲଗାଇବାକୁ ରାଜ୍ୟ ଗୃହ ବିଭାଗ ଗତବର୍ଷ ଡିସେମ୍ବରରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲା । ରାଜ୍ୟରେ ନୂତନ ଭାବେ ୧୧ଟି ସାଇବର ଥାନା ଓ ଅର୍ଥନୈତିକ ଅପରାଧା ଶାଖା ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ୧୫ ଦିନ ମଧ୍ୟରେ ୧୧ଟି ଜାଗାରେ ସାଇବର ଥାନା ଉଦ୍ଘାଟିତ ହେଲା । ଏହି କ୍ରମରେ ମୋଟ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ୧୫୪ ଜଣ ପ୍ରଶିକ୍ଷଣପ୍ରାପ୍ତ ପୁଲିସ କର୍ମଚାରୀ ଓ ୯୦ ଜଣ ସାଇବର୍ ଫରେନ୍ସିକ୍ ବିଶେଷଜ୍ଞଙ୍କ ସମେତ ଆଇଟି ବିଶେଷଜ୍ଞ, ଅର୍ଥନୈତିକ ବିଶ୍ଲେଷକଙ୍କ ପାଇଁ ପଦବି ଖୋଲା ଯାଇଥିଲା । ସରକାରଙ୍କ ଏହି ପଦକ୍ଷେପ ପାଇଁ ସେତେବେଳେ ଲୋକେ ବେଶ୍ ଆଶ୍ବସ୍ତ ହୋଇଥିଲେ । ମାତ୍ର ପରିତାପର କଥା ଉଦ୍ଘାଟନ ପରେ ୧୦୦ ଦିନ ବିତିସାରିଲାଣି ଓ ଆଜି ପର୍ଯ୍ୟନ୍ତ ମଂଜୁର ହୋଇଥିବା ୧୫୪ ପଦ ପୂରଣ ହୋଇପାରିନାହିଁ । ତେଣୁ କର୍ମଚାରୀ ଅଭାବରୁ ସାଇବର ଥାନାଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ମାତ୍ର ୫୭ ପ୍ରତିଶତ କର୍ମଚାରୀ ଅର୍ଥାତ୍ ୧୪ ଥାନାରେ ଏପର୍ଯ୍ୟନ୍ତ ୮୮ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି ବୋଲି ସୂଚନା ରହିଛି । ଆହୁରି ୬୬ ପଦବି ଖାଲି ପଡ଼ିଛି । ଭୁବନେଶ୍ବରରେ ୫ ଓ କଟକରେ ୯ ଜଣ କର୍ମଚାରୀ କାମ କରୁଥିବା ବେଳେ କଳାହାଣ୍ଡିରେ ୬ ଜଣ, କୋରାପୁଟରେ ୪ ଜଣ, ରାଉରକେଲାରେ ୫ ଜଣ, ସମ୍ବଲପୁରରେ ୫ ଜଣ, ବ୍ରହ୍ମପୁରରେ ୬ ଜଣ, କନ୍ଧମାଳରେ ୮ ଜଣ, କେନ୍ଦୁଝରରେ ୫ ଜଣ, ଅନୁଗୁଳରେ ୪ ଜଣ, ବାଲେଶ୍ବରରେ ୮ ଜଣ, ମୟୂରଭଞ୍ଜରେ ୭ ଜଣ, ପୁରୀରେ ୭ ଜଣ ଓ ବଲାଙ୍ଗୀର ସାଇବର ଥାନାରେ ୯ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ଗୋଟିଏ ପଟେ ସାଇବର୍ ଠକଙ୍କ ମୁକାବିଲା ପାଇଁ ରାଜ୍ୟ ସରକାର ଏତେ ବଡ଼ ମାଷ୍ଟର୍ ପ୍ଲାନ୍ କରିଥିବା ବେଳେ ଅସଲରେ କାର୍ଯ୍ୟକାରୀ କରିବା ବେଳକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ବୁଝାପଡ଼ୁନାହିଁ ।
ଏଣେ ଏହି ସାଢ଼େ ୩ ମାସ ମଧ୍ୟରେ ୧୪ ସାଇବର ଥାନାରେ ୧୪୨ଟି ସାଇବର ଆପରାଧିକ ମାମଲା ରୁଜୁ ହୋଇଛି । ତେଣୁ ମାମଲା ବଢ଼ୁଥିବା ବେଳେ କମ୍ ସଂଖ୍ୟକ କର୍ମଚାରୀରେ କେମିତି ତଦନ୍ତ କରାଯିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କର୍ମଚାରୀ ଅଭାବ ସାଙ୍ଗକୁ ସାଇବର ଅପରାଧର ତଦନ୍ତ କେବଳ ଇନ୍ସପେକ୍ଟର୍ ବା ତଦୂର୍ଦ୍ଧ୍ବ ରୢାଙ୍କ୍ର ଅଫିସର୍ କରିବାର ନିୟମ ରହିଛି । ଏଭଳି ସ୍ଥିତିରେ ମାତ୍ର ୧୪ ଜଣ ଇନ୍ସପେକ୍ଟର୍ ଏତେ ସଂଖ୍ୟକ ସାଇବର୍ ମାମଲାର ତଦନ୍ତ କରିବା କାଠିକର ପାଠ ବୋଲି କୁହାଯାଉଛି । ତେଣୁ ଆବଶ୍ୟକ ସଂଖ୍ୟକ ସହକାରୀ କର୍ମଚାରୀ ନିଯୁକ୍ତ ନହେଲେ, ଥାନା ପ୍ରତିଷ୍ଠାର କିଛି ସୁଫଳ ନାହିଁ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟା ମିଳିଛି । ଏପର୍ଯ୍ୟନ୍ତ ପୁଲିସ ବିଭାଗରେ ଜଣେ ହେଲେ ବି ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଠକାମି ପରେ ପରେ ସଙ୍ଗେ ସଙ୍ଗେ ଟ୍ରାକ୍ କରି ଠକେଇ ଟଙ୍କାକୁ ଫେରସ୍ତ କରିବା ଭଳି କାମରେ ସାଇବର ବିଶେଷଜ୍ଞଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସେହିଭଳି ସାଇବର ଅପରାଧୀଙ୍କୁ ଠାବ କରିବାରେ ବି ସେମାନଙ୍କ ବଡ଼ ଭୂମିକା ରହିଛି । ମାତ୍ର ବିଶେଷଜ୍ଞ ନିଯୁକ୍ତି କରାଯାଉନାହିଁ । ପର୍ଯ୍ୟାପ୍ତ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ନଥିବା ଓ ବିଶେଷଜ୍ଞଙ୍କୁ ତଦନ୍ତରେ ସାମିଲ ନ କରିବା, ପୁଲିସ ବିଭାଗର ସାଇବର ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଆଗ୍ରହକୁ ପଦାକୁ ଆଣିଛି । କେବଳ ଏତିକି ନୁହେଁ, ପ୍ରାୟ ଦେଢ଼ ବର୍ଷ ତଳୁ ଭୁବନେଶ୍ବର ୟୁନିଟ୍-୬ରେ ଖୋଲିଥିବା କ୍ରାଇମବ୍ରାଞ୍ଚ୍ର ସାଇବର ଭବନ ମଧ୍ୟ ବନ୍ଦ ହୋଇପଡ଼ିଛି । ଗୃହ ବିଭାଗ ଏହି ସାଇବର ଭବନ ତିଆରି କରି ଭୂତକୋଠି କରିବାକୁ ଛାଡ଼ିଦେଇଛି । ଗୋଟିଏ ସମୟରେ ଏଠାରେ ମହିଳା ଓ ଶିଶୁଜନିତ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କର୍ମଚାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ୍ ଦିଆଯାଉଥିଲା । ମାତ୍ର ୧୦ଟି ବ୍ୟାଚ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଏହା ବନ୍ଦ ପଡ଼ିଛି । ସାଇବର ଭବନ କେବେ ପୁଣି କାର୍ଯ୍ୟକାରୀ ହେବ, ତାହା ଅନିଶ୍ଚିତତାରେ ରହିଛି ।
