ବାଲେଶ୍ବର : ବିଦ୍ୟୁତ ଖର୍ଚ୍ଚ କମାଇବା ପାଇଁ ସୌରଶକ୍ତିର ଭରପୂର ସଦୁପଯୋଗ କରିବାକୁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ବାସ୍ତବରେ ଏହା ଫଳପ୍ରଦ ହେଉନାହିଁ । ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ । ପ୍ରକଳ୍ପ ନିର୍ମାଣରେ ନିମ୍ନମାନର ଉପକରଣ ବ୍ୟବହାର ଓ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଫେଲ୍ ମାରିଛି ।
୨୦୨୦-୨୦୨୧ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ବିଭାଗ ଓ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡ଼ା) ପକ୍ଷରୁ ରାଜ୍ୟର ୧୧୫ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆଲୋକିତ କରିବା ପାଇଁ ସୌରଚାଳିତ ବତିଖୁଣ୍ଟ ସ୍ଥାପନ ସହିତ ଛାତ ଉପରେ ସୌରପ୍ରକଳ୍ପ କରାଯିବାକୁ ଯୋଜନା ହୋଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ୧୫ ରୁ ୨୦ କିଲୋୱାଟ୍ ଯାଏ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯିବାକୁ ଲକ୍ଷ୍ୟ ରହିଥିଲା । ଆଲ୍ଫା ପ୍ରୋଜେକ୍ଟ ନାମକ ଏକ ସଂସ୍ଥା ବାଲେଶ୍ବର ସଦର ବ୍ଲକ, ରେମୁଣା, ଔପଦା, ବାହାନଗା, ବାଲିଆପାଳ ଓ ଭୋଗରାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରକଳ୍ପ କାମ ପାଇଁ ଦାୟିତ୍ବ ନେଇଛି । ଏ ବାବଦରେ ପ୍ରତି ବ୍ଲକ ପିଛା ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କୌଣସି ସ୍ଥାନରେ କାମ ଠିକ୍ ହେଉନଥିବା ଅଭିଯୋଗ ଆସିଛି ।
ରେମୁଣା, ଔପଦା, ବାଲିଆପାଳ ଓ ଭୋଗରାଇ ବ୍ଲକ୍ରେ କାମ ସମ୍ପୂର୍ଣ୍ଣ ହୋଇ ସାରିଥିବାବେଳେ ବର୍ତ୍ତମାନ ବାଲେଶ୍ବର ସଦର ବ୍ଲକ ଓ ବାହାନଗା ବ୍ଲକରେ କାମ ଚାଲୁ ରହିଛି । ଔପଦା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ମାର୍ଚ୍ଚ ୧୨ ତାରିଖରେ ସୌରପ୍ରକଳ୍ପ କାମ ସରିଥିବା ବେଳେ ଏହି ମାସେ ଭିତରେ ୫ ରୁ ୬ ଥର ମେସିନ୍ ଖରାପ ହେଲାଣି ।
ସେହିପରି ରେମୁଣା ବ୍ଲକରେ ଗତ ଫେବ୍ରୁଆରି ମାସରୁ ପ୍ରକଳ୍ପ କାମ ସରିଥିବାବେଳେ ଅଧିକାଂଶ ସମୟରେ ମେସିନ୍ କାମ କରୁନଥିବା ବ୍ଲକ କର୍ମଚାରୀମାନେ କହିଛନ୍ତି । ପ୍ରକଳ୍ପରେ ବ୍ୟବହୃତ ସୋଲାର ପ୍ୟାନେଲ୍, ବ୍ୟାଟେରି, ଲାଇଟ୍ ଆଦି ଉପକରଣଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ସେଗୁଡ଼ିକ ଠିକ୍ ଭାବେ କାମ କରୁନଥିବା କୁହାଯାଉଛି । ପ୍ରକଳ୍ପ ସ୍ଥାପନ ପରେ ଏହାର ପରିଚାଳନା ପାଇଁ ବ୍ଲକ କର୍ମଚାରୀଙ୍କୁ ତାଲିମ୍ ଦିଆଯିବା କଥା । କିନ୍ତୁ ସମ୍ପୃକ୍ତ ସଂସ୍ଥା ଏହାକୁ ଏଡ଼ାଇ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୬ଟି ବ୍ଲକରେ ଆରମ୍ଭ ହୋଇଥିବା ସୌର ପ୍ରକଳ୍ପ ବାବଦରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଦାବି ଉଠିଲାଣି ।
ଔପଦା ବ୍ଲକରେ ୧୫ଟି ଓ ଅନ୍ୟ ୫ଟି ବ୍ଲକରେ ୨୦ଟି ଲେଖା ସୌରଚାଳିତ ବତିଖୁଣ୍ଟ ସ୍ଥାପନ କରାଯାଇଥିବା ବେଳେ ଏଗୁଡ଼ିକ ମଧ୍ୟ ଠିକ୍ ଭାବେ କାମ କରୁନଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସଦର ବିଡିଓ ନରେନ୍ଦ୍ର ଖମାରୀଙ୍କୁ ପଚାରିବାରୁ ସେ ଏ ବାବଦରେ କିଛି ଜାଣିନଥିବା କହିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ମଧ୍ୟ ଏ ବିଷୟରେ କିଛି କହିପାରିବେ ନାହିଁ ଦର୍ଶାଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ । ତେବେ ଜିଲ୍ଲାର ବିକାଶମୂଳକ କାମ ପାଇଁ କୋଟିକୋଟି ଟଙ୍କା ଆସୁଥିବାବେଳେ ଏ ସଂପର୍କରେ ବରିଷ୍ଠ ପଦାଧିକାରୀମାନେ ନିରୁତ୍ତର ରହିବା ପ୍ରଶାସନିକ କଳର ଉତ୍ତରଦାୟିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
