ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନାରେ ପୁଣି ରୋଗୀ ଅବହେଳାକୁ ନେଇ ଉତ୍ତେଜନା ଦେଖାଯାଇଛି । ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ପ୍ରସୂତି ଶିଶୁପୁତ୍ରକୁ ଜନ୍ମ ଦେଇ ପ୍ରାଣ ହରାଇଛନ୍ତି । ଏନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ । ମୃତ ପ୍ରସୂତି ଜଣକ ହେଲେ ବସ୍ତା ବ୍ଲକ ଦରଡ଼ା ଅଞ୍ଚଳର ଅନୁରାଧା ମଣ୍ଡଳ(୩୦) ।
ସୂଚନା ମୁତାବକ, ଅନୁରାଧା ଆଜି ରେମୁଣା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ପ୍ରସବଜନିତ ଜଟିଳତା ଦେଖାଦେବାରୁ ଡାକ୍ତର ଅନୁରାଧାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଅନୁରାଧା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ହେଲେ କେହି ଡାକ୍ତର ତାଙ୍କ ପାଖ ମାଡ଼ିନଥିଲେ । ବାରମ୍ବାର ପରିବାର ଲୋକେ ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଡାକ୍ତର ଡାକିବାକୁ କହିଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଇନଥିଲେ । ଏଭଳି ବହୁ ସମୟ ଅନୁରାଧା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି କେହି ଡାକ୍ତର ଦେଖିବାକୁ ଆସିନଥିଲେ । ଅପରାହ୍ନ ୪ଟାରେ ଅନୁରାଧାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ ଅବହେଳା ପାଇଁ ଭଉଣୀ ଚାଲିଗଲା ବୋଲି ଭାଇ ନବ କୁମାର ଜେନା ଅଭିଯୋଗ କରିଛନ୍ତି । ତେବେ ଏନେଇ ଫାଣ୍ଡିରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।
