ଖୋର୍ଦ୍ଧାରେ ବନ୍ଦ ପଡ଼ିଛି ସୁଲଭ ଶୌଚାଳୟ

ଖୋର୍ଦ୍ଧା : ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦର ମହକୁମାରେ କୌଣସି ସର୍ବସାଧାରଣ ଶୌଚାଳୟ ନାହିଁ ! ପୌର ପ୍ରଶାସନର ଅପାରଗତା ପାଇଁ ସହରରେ ଯେଉଁ ୩ଟି ଶୌଚାଳୟ ନିର୍ମାଣ କରାଯାଇଥିଲା ତାହା ଏବେ ବନ୍ଦ ପଡ଼ିଛି । କେବଳ ବନ୍ଦ ହୋଇରହିନାହିଁ, ସେଠାରେ ବ୍ରାଉନ୍ସୁଗାର, ଗଂଜାଇ ଠାରୁ ଆରମ୍ଭ କରି ଅନେକ ଅସାମାଜିକଙ୍କ ଆଡ୍ଡା ଜମୁଛି । ଖୋର୍ଦ୍ଧା ସହରର ନୂଆବସ୍ଷ୍ଟାଣ୍ଡ, ପୁରୁଣା ବସ୍ଷ୍ଟାଣ୍ଡ ନିକଟ ପେଟ୍ରୋଲ୍ ପମ୍ପ ନିକଟରେ ଦୁଇଟି ସୁଲଭ ଶୌଚାଳୟ ଥିଲା । ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଶୌଚାଳୟ ବନ୍ଦ ହୋଇ ୨ ବର୍ଷ ବିତିଯାଇଥିବା ବେଳେ ଗତ ୮-୯ ମାସ ହେଲା ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ଶୌଚାଳୟ ଟି ମଧ୍ୟ ବନ୍ଦ ହୋଇଛି । ଏହାପରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସର୍ବସାଧାରଣ ଶୌଚାଳୟକୁ ଲୋକଙ୍କ ସହାୟକ ଥିଲା, କିନ୍ତୁ ତାହା କିଛି ମାସ ପୂର୍ବେ ଏକ ବୈଦ୍ୟୁତିକ ଦୁର୍ଘଟଣାରେ ପୋଡ଼ିଯାଇଛି ଓ ବର୍ତମାନ ତାହା ବନ୍ଦ ହୋଇଯାଇଛି ।

ଖୋର୍ଦ୍ଧା ସହରକୁ ବ୍ୟବସାୟ, ଚିକିତ୍ସା ଓ ଅନ୍ୟ ସରକାରୀ କାର୍ଯ୍ୟରେ ଦୈନିକ ୧୦ହଜାରରୁ ଉଦ୍ଧ୍ୱର୍ ଲୋକ ଆସିଥାନ୍ତି । ସର୍ବସାଧାରଣଙ୍କ ପାଇଁ ଶୌଚାଳୟର ଅଭାବରୁ ମହିଳାମାନେ ସର୍ବାଧିକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଅନେକ ପୁରୁଷ ରାସ୍ତାକଡ଼, ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ମଳମୁତ୍ର ତ୍ୟାଗ କରୁଛନ୍ତି । ଏପରିକି ଭୋରରୁ ଆସୁଥିବା ବସ୍ଗୁଡ଼ିକର ଯାତ୍ରୀମାନେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟ ଖାଲିସ୍ଥାନ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଯେଉଁ ଶୌଚାଳୟଗୁଡ଼ିକ ବନ୍ଦ ପଡ଼ିଛି ତାହା ନିଶାଡ଼ି ଓ ଅସାମାଜିକ ତତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ନୂଆବସ୍ଷ୍ଟାଣ୍ଡ ଠାରେ ଥିବା ସୁଲଭ ଶୌଚାଳୟକୁ ସଚଳ କରିବାକୁ ୨୦୨୧ରେ ତତ୍କାଳୀନ ପୌର ପରିଷଦ ନିର୍ବାହୀ ଅଧିକାରୀ ଗୃହ ନିର୍ମାଣ ବିଭାଗ ଓ ବିଡିଏକୁ ଚିଠି ଲେଖିଥିଲେ । କିନ୍ତୁ ତାଙ୍କ ବଦଳି ପରେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ବର୍ତମାନ ଏହି ଶୌଚାଳୟ ଅସାମାଜିକ କାରବାରର ସହରର ସବୁଠାରୁ ଚର୍ଚ୍ଚିତ ସ୍ଥାନ ପାଲଟିଛି ।

ସେହିଭଳି ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ମଧ୍ୟ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ପରିଚାଳନା ଅଭାବରୁ ବନ୍ଦ ହୋଇଯାଇଛି । ଏହା ଖୋଲିବା ଦ୍ୱାରା ପାଣି ନିକଟସ୍ଥ ଦୋକାନକୁ ପ୍ରବେଶ କରୁଛି ବୋଲି ସ୍ଥାନୀୟ ଦୋକାନୀମାନେ ଅଭିଯୋଗ କରିଥିଲେ । ବର୍ତମାନ ଏହା ବନ୍ଦ ପଡ଼ିବା ପରେ ଏହା ମଧ୍ୟ ଅନୁରୂପ ଭାବେ ରାତିରେ ଗଂଜୁଡ଼ିଆ ଓ ମଦୁଆଙ୍କ ସୁରକ୍ଷିତ ପାନସ୍ଥଳୀ ପାଲଟିଛି । ପୌର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସହରର ଜନଗହଳି ସ୍ଥାନରେ ଏକ ଶୌଚାଳୟ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *