ବାରିପଦା : ବାରିପଦାରୁ ଉଦଳା, ସବୁଠି ପାଣି ପାଇଁ ଲୋକେ ଆତୁର । ଖରାଦିନେ ଜଳସ୍ତର ହ୍ରାସ ଯୋଗୁଁ ନଳକୂଅରୁ ପାଣି ବାହାରୁନି । ସେପଟେ ଜିଲ୍ଲାରେ ପାଇପ୍ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ସବୁ ଅଞ୍ଚଳରେ ଶତପ୍ରତିଶତ କାର୍ଯ୍ୟକାରୀ ହୋଇ ପାରିନାହିଁ । ତେଣୁ ପାଣି ପାଇଁ ସହରାଞ୍ଚଳବାସୀଙ୍କୁ ରାତି ଉଜାଗର ରହିବାକୁ ପଡ଼ୁଛି । ମୟୂରଭଞ୍ଜ ଜିଲ୍ଲାର ୪ ପ୍ରମୁଖ ସହର ବାରିପଦା, ଉଦଳା, ରାଇରଙ୍ଗପୁର, କରଞ୍ଜିଆରେ ପାଣି ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି । ତେବେ ଏହି ୪ଟି ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ପାଇଁ ଆରମ୍ଭ ହୋଇଥିବା ୨୦୦ କୋଟି ଟଙ୍କାର ମେଗା ଜଳଯୋଗାଣ ପ୍ରକଳ୍ପ କାମ ଯେମିତି ଧିମେଇ ଚାଲିଛି ତାକୁ ଅନୁଧ୍ୟାନ କଲେ, ସହରାଞ୍ଚଳରେ ଜଳ ଯନ୍ତ୍ରଣା କେବେ ଦୂର ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବାରିପଦା ଓ ରାଇରଙ୍ଗପୁର ଅପେକ୍ଷା କରଞ୍ଜିଆ ସହରରେ ପାନୀୟ ଜଳ ସମସ୍ୟା ଆହୁରି ସଙ୍ଗିନ । କରଞ୍ଜିଆ ସହରବାସୀଙ୍କୁ ପ୍ରତିଦିନ ୩୦ ଲକ୍ଷ ୨୯ ହଜାର ଲିଟର ପାଣିର ଆବଶ୍ୟକତା ଥିବା ବେଳେ ମିଳୁଛି ମାତ୍ର ୨୦ ଲକ୍ଷ ୪୬ ହଜାର ଲିଟର ପାଣି । ଏଠାରେ ୮୨୬ ଘରକୁ ପାଇପ୍ ଯୋଗେ ପାଣି ଯୋଗାଣ ହେଉଛି । ତେବେ ସହରରେ ମାତ୍ର ୨୫ଟି ନଳକୂଅ ରହିଥିବା ବେଳେ ଆଉ ବିକଳ୍ପ ବ୍ୟବସ୍ଥା କିଛି ନାହିଁ । ତେଣୁ ଖରାଦିନ ଆସିଲେ ସହରବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେହିଭଳି ଉଦଳା ସହରରେ ମାତ୍ର ୧୨ଟି ନଳକୂପ ରହିଥିବାବେଳେ ସହରବାସୀଙ୍କୁ ପ୍ରତିଦିନ ୨୦ ଲକ୍ଷ ୨ ହଜାର ଲିଟର ପାଣି ଯୋଗାଇ ଦିଆଯାଉଛି । ଏଠାରେ ୨,୦୬୪ ଘରକୁ ପାଇପ୍ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ଅଛି । ତେବେ କରଞ୍ଜିଆ ଓ ଉଦଳା ସହରବାସୀଙ୍କ ସବୁଦିନିଆ ପାଣି ସମସ୍ୟା ଦୂର ପାଇଁ ୭୩ କୋଟି ମୂଲ୍ୟର ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ କାମ ଦୁଇ ବର୍ଷରେ ଶେଷ ହେବ । ପ୍ରକଳ୍ପ କାମ ସରିଲେ ଚଳିତବର୍ଷ ଶେଷ ସୁଦ୍ଧା ବାରିପଦା ସହର ଓ ଆଉ ଦୁଇ ବର୍ଷ ପରେ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ସହରରେ ପାଣି ସମସ୍ୟା ରହିବ ନାହିଁ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ବିଘ୍ନେଶ୍ବର ପାଣି କହିଛନ୍ତି ।
