ଚାଷୀଙ୍କ ଅଭିଯୋଗ ନ ଶୁଣିଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତିର ଚେତାବନୀ

ବାସୁଦେବପୁର : ବାସୁଦେବପୁର ବ୍ଲକରେ ଧାନକିଣା କେଳେଙ୍କାରୀ ସାମନାକୁ ଆସିଛି । କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି । ସମବାୟ ସମିତି, ଯୋଗାଣ ବିଭାଗ ଓ ମିଲର ଚାଷୀଙ୍କ ଉପରେ ମାତ୍ରାଧିକ ଦାଉ ସାଧିବା ପରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ପାଖାପାଖି ୮ କୋଟି ଟଙ୍କାର ଚାଷୀ ଧାନକୁ ପ୍ରଶାସନ ଓ ମିଲର ହରିଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ ନ ଶୁଣିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମନ୍ବିତ କୃଷକ ସଂଗଠନ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଯୋଗାଣ ବିଭାଗର ତଥ୍ୟ ଅନୁଯାୟୀ, ବାସୁଦେବପୁର ବ୍ଲକର ୨୨ଟି ସମବାୟ ସମିତି ସମେତ ୭ ସ୍ବୟଂ ସହାୟିକା ଗୋଷ୍ଠୀ ୪ ଲକ୍ଷ ୭୬ ହଜାର ୨ ଶହ ୬୨ କୁଇିଣ୍ଟାଲ ଧାନ କ୍ରୟ କରିଛନ୍ତି । ଗତ ଖରିଫ ରୁତୁରେ ସ୍ଥାନୀୟ ପ୍ରଶାସନ ବେଆଇନ ଭାବେ ୮ ପ୍ରତିଶତ କଟନିଛଟନି କଲେ । ପୁଣି ମିଲରମାନେ ବୋଝ ଉପରେ ନଳିତା ବିଡା ସଦୃଶ ଚାଷୀଙ୍କ ଧାନ ଉପରେ ଦାଉ ସାଧି ସେମାନଙ୍କୁ ଭୁଆଁ ବୁଲାଇ ମାତ୍ରାଧିକ ଧାନ କାଟିବା ଘଟଣାର ରହସ୍ୟ ସାମନାକୁ ଆସିଥିଲା । ଧାନର ଏଫଏକ୍ୟୁକୁ ଢାଲ କରି ଅହେତୁକ କଟନିଛଟନି କରିବା ଦ୍ୱାରା ସରକାରୀ ବାବୁମାନଙ୍କ ଚାଷୀ ମାରଣ ନୀତି ପଦାରେ ପଡିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋ‌ଷ ବୃଦ୍ଧି ପାଇବା ସହିତ ଆନ୍ଦୋଳନକୁ ଓହ୍ଲାଇବାକୁ ଅଣ୍ଟା ଭିଡୁଥିବା ଜଣାଯାଇଛି ।

ବିଦେଇପୁର ଅଞ୍ଚଳର ଚାଷୀ ନମିତା ଦାସ ସ୍ଥାନୀୟ ରାଇସ ମିଲରେ ୫୨୫୦ କିଲୋ ଧାନ ଦେଇଥିବା ବେଳେ ସମୁଦାୟ ଧାନରୁ ମୈଶ୍ଚର ବାହାନାରେ ୮ ପ୍ରତିଶତ ଧାନ କାଟିଲେ। ପୁଣି ୪ କକୁଇଣ୍ଟାଲ ୨୦ କିଲୋ ଧାନ କାଟିବାକୁ ନେଇ ତୀବ୍ର ଅସନ୍ତୋ‌ଷ ଦେଖାଦେଇଛି । ଏହି ଗାଁର ଅନନ୍ତ ସିହ୍ନାଙ୍କ ଅବସ୍ଥା ମଧ୍ୟ ସମାନ। ସ୍ଥାନୀୟ ଦୁର୍ଗା ରାଇସ ମିଲରେ ଦେଇଥିବା ୩୪ କୁଇଣ୍ଟାଲ ୬୦ କିଲୋରୁ ୮ ପ୍ରତିଶତ ପରେ ପୁନର୍ବାର ୬ କୁଇଣ୍ଟାଲ ଧାନ କାଟିବାକୁ ପଛାଇ ନଥିଲେ । ଏମିତି ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳର ଶତାଧିକ ଚାଷୀମାନଙ୍କ ଧାନକୁ ବେଧଡ଼କ ଭାବେ ସମସ୍ତେ ମିଶି କାଟିବାରେ ଲାଗିଛନ୍ତି । ଏଭଳି କେଳେଙ୍କାରୀକୁ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ସବୁଜାଣି ମଧ୍ୟ କୌଣସି ପଦକ୍ଷେପ ନ ନେବା ଘଟଣା ଚାଷୀମାନଙ୍କୁ ମର୍ମାହତ କରିଥିଲା । ଏମିତି ଅଧିକ ଧାନ କାଟିବା ଘଟଣା ଦେଖା ଯାଇନାହିଁ ବୋଲି ଏସିଏସଓ(ସହ ଜିଲ୍ଲା ଯୋଗାଣ ଅଧିକାରୀ) ଶରତ ବେହେରା ସ୍ବୀକାର କରିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ ବି ଦେଖିବା ବୋଲି କହି ଏଡ଼ାଇ ଯାଇଥିବା ଚାଷୀମାନେ କହିଛନ୍ତି । ଏ ସମ୍ପର୍କରେ ଏସିଏସଓ ଶ୍ରୀ ବେହେରା ଏମିତି ଘଟଣା ସମ୍ପର୍କରେ ସୂଚନା ଦେବା ବହୁତ ବିଳମ୍ବ ହୋଇଗଲା ବୋଲି ସୂଚନା ରଖିଛନ୍ତି । ଧାନ କିଣା ସମୟରେ କହିଥିଲେ ହୁଏତ ଆମ୍ଭେ ରୋକି ଦେଇ ପାରିଥାନ୍ତୁ ବୋଲି ସମ୍ବାଦକୁ ସୂଚନା ଦେଇଛନ୍ତି । ତେବେ କୃଷକ ସଂଗଠନର ଦାବି, ମିଲର ପଏଣ୍ଟକୁ ଧାନ ଯିବା ପାଇଁ ଗାଡି ଭଡା ଅର୍ଥ ଫେରାଇବା ସହ ପ୍ରଶାସନ ଧାର୍ଯ୍ୟ ୮ ପ୍ରତିଶତ ପରେ ପୁଣି ପ୍ରତି ଧାନ ବସ୍ତାରୁ ମାତ୍ରାଧିକ ଧାନ କଟନି ଚାଷୀଙ୍କୁ ବ୍ୟଥିତ କରିଛି । ପ୍ରଶାସନ ନ ଶୁଣିଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *