ଚାଷୀଙ୍କ କାମରେ ଆସୁନି ଶୀତଳ ଭଣ୍ଡାର : ସଢ଼ୁଛି ପନିପରିବା, ମିଳୁନି ଉଚିତ ମୂଲ୍ୟ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ଭଣ୍ଡା ଚାଲିଛନ୍ତି ସରକାର । ସ୍ଥାନୀୟ ପ୍ରଶାସନ ମଧ୍ୟ ଚାଷୀଙ୍କ ଆର୍ଥିକ ବିକାଶକୁ ‌ଯେତିକ ଗୁରୁତ୍ବ ଦେବା କଥା, ତା’ ହେଉନି । ବର୍ଷଯାକ ପନିପନିବା ଉତ୍ପାଦିତ  ବ୍ଲକରେ ପିପି ମୋଡ୍‌ରେ ହେବାକୁ ଥିବା ଶୀତଳଭଣ୍ଡାର କେବଳ ଘୋଷଣାରେ ଅଟକିଛି । ଯେଉଁଠି ବି ହୋଇଛି, ତା’ ଚାଷୀଙ୍କ କାମରେ ଆସୁନି । ଅନ୍ୟ କେଉଁଠି ଶୀତଳଭଣ୍ଡାର ମେସିନ୍‌ ଖତ ଖାଉଛି, ପୁଣି କେଉଁ ଶୀତଳଭଣ୍ଡାର ଗୃହରେ ତାଲା ଝୁଲୁଛି । କେବଳ ଏତିକି ନୁହେଁ, ଶୀତଳଭଣ୍ଡାର ହେବାକୁ ଥିବା ଜାଗା ଅଧପନ୍ତରିଆ ପାଚେରୀରେ ସୀମିତ ରହିଛି ।

ଏମିତି ସମସ୍ୟା କେବଳ ରାଉରକେଲା ନୁହେଁ ବରଂ ଅଧିକାଂଶ ବ୍ଲକରେ ଉପୁଜିଛି । ଫଳରେ ବର୍ଷ ବର୍ଷ ଝାଳ ବୁହା ପରିଶ୍ରମ କରି କ୍ଷେତରୁ ପନିପରିବାର ଉତ୍ପାଦନ କରୁଥିବା ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନି । ଲାଭ ପରିବର୍ତ୍ତେ ଚାଷୀଙ୍କୁ ଅଧିକାଂଶ ସମୟରେ କ୍ଷତି ସହିବାକୁ ପଡ଼ୁଛି । ବିଶେ‌ଷ କରି ଖରାଦିନେ ଚାଷୀଙ୍କୁ ବେଶି କ୍ଷତି ସହିବାକୁ ପଡ଼ୁଛି । ଗ୍ରୀଷ୍ମ ଆସିବା ମାତ୍ରେ ଚାଷୀଙ୍କ ଚିନ୍ତା ବଢ଼ି ଯାଉଛି । ଶୀତଳଭଣ୍ଡାରଟିଏ ନଥିବାରୁ ସତେଜ ପନିପରିବା ଖରାରେ ସଢ଼ିଯାଉଛି । ପନିପରିବା ପାଇଁ ଜିଲ୍ଲାର ପ୍ରସିଦ୍ଧ ଲାଭ କରିଥିବା ନୂଆଗାଁ ବ୍ଲକରେ ଏହି ସ୍ଥିତି ଆହୁରି ସଂଘାତିକ । ବ୍ଲକରେ ୩୦ ମେଟ୍ରିକ୍‌ ଟନ୍‌ର ଶୀତଳଭଣ୍ଡାର ରହିଛି ।

ଆବଶ୍ୟକ ରକ୍ଷଣାବେକ୍ଷଣ, ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୌଣସି କାମରେ ଆସୁନି । ବର୍ଷ ବର୍ଷ ଧରି ଶୀତଳଭଣ୍ଡାର ଗୃହରେ ତାଲା ଝୁଲୁଛି । ଭ୍ରାମ୍ୟମାଣ ଶୀତଳ ଯାନ ଖତ ଖାଉଛି । ଫଳରେ ନୂଆଗାଁ ବ୍ଲକର ସୋରଡା, ବାରିଲେପ୍‌ଟା, ନୂଆଗାଁ, ବାଗଡେଗା, ଅଙ୍କୁରପାଲି, ଉର୍ମେଇ ଆଦି ପଞ୍ଚାୟତରେ ଶହ ଶହ ଏକର ଜମିରେ ଉତ୍ପାଦିତ ହେଉଥିବା ବିଲାତି, ଲଙ୍କା, ବାଇଗଣ, ସିମ୍‌ଲା, ଭେଣ୍ଡି, ଫୁଲକୋବି, କଲରା, ଲାଉ, ଜହ୍ନି, କାକୁଡି ଆଦି ପନିପରିବାରରେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନି । ବ୍ଲକ ଫୁଲଝର ୪.୫୯ ଏକର ମେଗା ପ୍ରକଳ୍ପ ଗତ କିଛି ଦିନ ତଳେ ଉଦ୍‌ଘାଟନ ହୋଇଥିଲା । ଏହା ଏବେ ପାଚେରୀରେ ଅଟକିଛି । ୫ ହଜାର ମେଟ୍ରନିକଟନ୍‌ର ଗୋଦାମ ଗୃହ, ୧ ହଜାର ମେଟ୍ରିକ୍‌ ଟନ୍‌ର କୋଲ୍‌ଡ ଷ୍ଟୋର ହେବାକୁ ପ୍ରସ୍ତାବ ରହିଛି ।

ଆଗାମୀ ଦିନରେ ପ୍ରକଳ୍ପ କାମ ହେବ ନା, ଯୋଜନାରେ ଅଟକି ରହିଯିବ, ତାହା ବି କହିବା ମୁସ୍କିଲ । ସିଭିଲଟାଉନସିପ୍‌ କୃଷକ ବଜାର କେତୋଟି ପିଣ୍ଡି ତିଆରି ହୋଇଛି । ସପ୍ତାହର ଦୁଇଥର ପରିବା ମାର୍କେଟ ବସୁଛି । ଗତ ପ୍ରାୟ ୬ ବର୍ଷ ତଳେ ଏଠାରେ ଚାଷୀଙ୍କ ବଳକା ପରିବା ଗଚ୍ଛିତ ରଖିବାକୁ କୋଲ୍‌ଡ ଷ୍ଟୋର ପ୍ରସ୍ତାବ ରହିଥିଲା । ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କୋଲ୍‌ଡ ଷ୍ଟୋର ମେସିନ୍‌ କ୍ରୟ କରି ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) କୁ ପଠାଇଥିଲେ । ପରବର୍ତ୍ତୀ ସମୟରେ କୋଲ୍‌ଡ ଷ୍ଟୋର ନିର୍ମାଣ ହେଲା ନାହିଁ । ବ୍ୟବହାର ଉପଯୋଗୀ ନ ‌ହେବାରୁ ଲକ୍ଷ ଲକ୍ଷ ଟଙ୍କାର କୋଲ୍‌ଡ ଷ୍ଟୋର ମେସିନ୍‌ ଅଫିସରେ ପଡି ଖତ ଖାଉଛି । ଲାଠିକଟା ସୁଇଡିହି କୃ‌ଷକ ବଜାର କଥା ନ କହିବା ଭଲ । ଏଠାରେ ୫ ଶହ ମେଟ୍ରିକ୍‌ ଟନ୍‌ର ଗୋଦାମ ଘର ନିର୍ମାଣ ହୋଇଛି ।

ଏଠାରେ ଶୀତଳଭଣ୍ଡାର ପ୍ରସ୍ତାବ ସେମିତି ପ୍ରସ୍ତାବରେ ଅଟକିଛି । ବିଶ୍ରା ବ୍ଲକରେ ସେହି ସମାନ ସ୍ଥିତି । ବାଲୁଘାଟରେ ପ୍ରସ୍ତାବିତ‌ ମେଗା କୃଷକ ବଜାର ଶୀତଳଭଣ୍ଡାର ହେବାକୁ ମଧ୍ୟ ପ୍ରସ୍ତାବ ରହିଛି । ଜାଗା ବିବାଦରୁ ଏଯାଏଁ ମେଗା କୃଷକ ବଜାର ନିର୍ମାଣ  ଆଗେଇ ପାରୁନି । କେବଳ ଶୀତଳଭଣ୍ଡାର ହେବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ ମଧ୍ୟରେ ୫ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଛି । ଶୀତଳଭଣ୍ଡାରରେ ଯେତିକି ପନିପରିବାର ଓ ଫଳ ରହିବା କଥା, ତାହା ରହୁ ନଥିବା ଦେଖିବାକୁ ମିଳୁଛି । କାହିଁକି ଓ କ’ଣ ପାଇଁ ଚାଷୀମାନେ ଶୀତଳଭଣ୍ଡାରରେ ପନିପରିବାର ଓ ଫଳ ରଖିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି, ତାହାକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ସହରର ବିକାଶ ପାଇଁ ସ୍ମାର୍ଟସିଟି ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସହରର ପନିପରିବା ରଖିବା ପାଇଁ ସେମିତି କୌଣସି ଶୀତଳଭଣ୍ଡାରଟିଏ ଏଯାଏଁ ନିର୍ମାଣ ହୋଇପାରି ନାହିଁ । ଏ ଦିଗ ପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *