ବଣାଇ : ବଣାଇ ସହର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳ ସିଙ୍ଗାରଦେଇ ପାହାଡ଼ରେ ଅବସ୍ଥିତ ମାଁ ସିଙ୍ଗାରଦେଇ ପୀଠ
କେଉଁ ଆବାହମାନ କାଳରୁ ବଣାଇର ପ୍ରସିଦ୍ଧ ଚୈତ୍ର ମେଳା ବିଧି ମୁତାବକ ଚୈତ୍ର ପୂର୍ଣ୍ଣିମାରେ ପୂଜା ପାଇଆସୁଛନ୍ତି ମାଁ ସିଙ୍ଗାରଦେଇ । ଵଣାଇଁଗଡ ରାଜା ଓ ତାଙ୍କ ପରିବାର ପକ୍ଷରୁ ମା’ଙ୍କ ପୂଜା ନିମିତ୍ତ ସମସ୍ତ ଜିନିଷ ପୂଜା ସାମଗ୍ରୀ ଆକାରରେ ଯୋଗାଇ ଦେବାର ପରମ୍ପରା ରାଜା, ରାଜୁଡା ଅମଳରୁ ପ୍ରଚଳିତ ଅଛି । ଚଳିତ ବର୍ଷ ମଧ୍ୟ ପୂଜକ ନବମୀ ଦିନ ମା ସିଙ୍ଗାରଦେଇ ପୀଠରେ ପୂଜାର୍ଚ୍ଚନା କରିଥିବାବେଳେ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମେତ ପାଖ ପଡେ଼ାଶୀ ରାଜ୍ୟରୁ ମଧ୍ୟ ଅନେକ ଭକ୍ତ ଆସି ମା’ଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ । ପରେ ନିକଟସ୍ଥ ଲଲେଇ ପିଠରେ ଥିବା ମାଁ ଚଣ୍ଡୀଙ୍କ ପୂଜା କରି ପୂଜକ ବିଧି ମୁତାବକ ରାଜ ନଅରଙ୍କୁ ଯାଇ ଗାଧୋଇବା ସହିତ ରାଜାଙ୍କ ନିକଟରୁ ନୂତନ ବସ୍ତ୍ର ଗ୍ରହଣ କରିଥାନ୍ତି ।

ପ୍ରକାଶ ଥାଉକି, ଉପରୋକ୍ତ ଜଙ୍ଗଲ ସାକ୍ଷାତ ପ୍ରଖ୍ୟାତ ଦେବୀ “ମାଁ ସିଙ୍ଗାରଦେଇ” ଙ୍କ ପ୍ରସିଦ୍ଧ ପୀଠ ଯାହାକି ଐତିହାସିକ ରାଜା ରାଜୁଡା ସମୟରୁ ପୀଠରେ ଥିବା ଦେବୀ ପୂଜା ପାଇ ଆସୁଛନ୍ତି । ପ୍ରଖ୍ୟାତ ସିଙ୍ଗାରଦେଇ ଦେବୀଙ୍କ ଈଶ୍ୱରୀୟ ଶକ୍ତି ତଥା ମାଁ ଙ୍କ ମାହାତ୍ମ୍ୟ ବଣାଇଁ ରାଜାଙ୍କ “ସିଙ୍ଗାରଦେଇ ମାଦଳା ପାଞ୍ଜି”ରେ ଆଜି ଯାଏ ପୂଜା ପାଇ ଆସୁଥିବା ବେଳେ ଏହି ସିଙ୍ଗାରଦେଇ ପାହାଡ (ଜଙ୍ଗଲ) ବଣାଇଁର ମୁକୁଟ ଭାବରେ ବଣାଇଁକୁ ଗୌରବାନ୍ନିତ କରିଆସୁଛି । ଏହି ପବିତ୍ର ସ୍ଥଳରେ ଆଜି ଯାଏ ପ୍ରତି ବର୍ଷ ସ୍ଥାନୀୟ ଆଦିବାସୀମାନେ “ଚୈତ୍ର ପୂର୍ଣ୍ଣିମା” ଦିନ ମହା ସମାରୋହରେ ପୂଜାର୍ଚ୍ଚନା କରି ସ୍ଥାନୀୟ ଆଦିବାସୀ ସମାଜ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଏହା ସହିତ ସବୁଜ ଭରା ସିଙ୍ଗାରଦେଇ ଜଙ୍ଗଲ, ଓଡ଼ିଶାର ଉଚ୍ଚତମ ଜଳପ୍ରପାତର ସୁନାମ ଅର୍ଜନ କରିଥିବା ଖଣ୍ଡାଧାର ଜଳପ୍ରପାତର ପ୍ରବେଶ ସ୍ଥାନରେ ଥାଇ ଏକ ମୁକୁଟ ଭାବରେ ଶୋଭା ବର୍ଦ୍ଧନ କରିଆସୁଥିବା ବେଳେ ଦୁ଼ଃଖର ବିଷୟ ସରକାରଙ୍କ ତରଫରୁ ଏପରି ପ୍ରତ୍ୟକ୍ଷ ଦେବୀଙ୍କ ଆସ୍ଥାନ ଓ ପୀଠଗୁଡିକ ଯେତିକି ବିକାଶ ହେବା କଥା ସେତିକି କରାନଯିବା ଫଳରେ ଅନେକ ବାହାର ଭକ୍ତ ମାଁ ଙ୍କ ଆର୍ଶୀବାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ତା’ ସହିତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଏଣୁ ସରକାର ବଣାଇଁ ପର୍ଯ୍ୟଟନର ବିକାଶ କରିବାକୁ ହେଲେ ବଣାଇଁର ୭ ପ୍ରତ୍ୟକ୍ଷ ଦେବୀ ମାଁ ଙ୍କ ଆସ୍ଥାନ ଗୁଡିକର ବିକାଶ କରିବା ଜରୁରୀ ରହିଥିବା ବେଳେ ସରକାର ଉକ୍ତ ସିଙ୍ଗାରଦେଇ ପୀଠକୁ ଧ୍ବଂସ କରି ସେହି ଜାଗାରେ କାରଖାନା ଗଠନ କରାଯିବାର ଖବର ମିଳିଛି ।
ସୁନ୍ଦରଗଡ ଜିଲ୍ଲା ହେଉଛି ଓଡିଶାର ଏକ ଆଦିବାସୀ ସଂରକ୍ଷିତ ଜିଲ୍ଲା କୌଣସି ଜମି ଅଧିଗ୍ରହଣ କରିବା ପାଇଁ ହେଲେ ଏହି ଜିଲ୍ଲାରେ କୋଠର ନିୟମ ରହିଛି । ଆମ ଜିଲ୍ଲା ଅଧୀନରେ ଥିବା ମାଁ ଙ୍କ ପୀଠ ତଥା ଜଙ୍ଗଲଜମିର ସୁରକ୍ଷା ପାଇଁ ଆବଶ୍ୟକୀୟ ସ୍ଵତନ୍ତ୍ର ସର୍କୁଲାର୍ / ଅଫିସିଆଲ୍ ବିଜ୍ଞପ୍ତି ରହିଛି । ସମଗ୍ର ଦୃଶ୍ୟକୁ ସମୀକ୍ଷା କରି, ସ୍ଥାନୀୟ ଗ୍ରାମବାସୀମାନେ ଅନୁମାନ କରନ୍ତି କି, ଉକ୍ତ ସିଙ୍ଗାରଦେଇ ମାଁ ଙ୍କ ପୀଠକୁ ଧ୍ବଂସ କରି କାରଖାନା ବସାଇବା ପ୍ରକ୍ରିୟାରେ ଅନିୟମିତତା ଥିବା ସନ୍ଦେହ କରିବା ସହିତ, ଏହି ପ୍ରକାରର ପଦକ୍ଷେପ ସ୍ଥାନୀୟ ଆଦିବାସୀଙ୍କ ପାଇଁ ଅତି ବର୍ବର ଅତ୍ୟାଚାର ବୋଲି ଅନେକ ମତ ଦେବା ସହ ପରୋକ୍ଷରେ ମାଁ ସିଙ୍ଗାରଦେଇକୁ ଅପମାନିତ କରାଯାଉଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି । ଏଣୁ ସରକାର ଦେବୀ ମାଁ ମାନଙ୍କ ଆସ୍ଥାନଗୁଡିକ ପ୍ରତି ଧ୍ୟାନ ଆକର୍ଷଣ କରି ସବୁ ଦିନିଆ ପର୍ଯ୍ୟଟନ ବିକାଶର ବାଟ ଖୋଲନ୍ତୁ ବୋଲି ମତ ରଖିଛନ୍ତି ।
