ଶୁଖି ଯାଇଛି ସାଳନ୍ଦୀ ନଦୀ, କମିବାରେ ଲାଗିଛି ଏହାର ଜଳ ସ୍ରୋତ

ଭଦ୍ରକ : ଭଦ୍ରକ ଜିଲ୍ଲାର ଜୀବନରେଖା ହେଉଛି ସାଳନ୍ଦୀ ନଦୀ । ସାଳନ୍ଦୀ ନଦୀକୁ ଛାଡ଼ି ଭଦ୍ରକର ସତ୍ତା ନାହିଁ । ଅନେକ କେନାଲ୍‌ ସାଳନ୍ଦୀ ନଦୀରୁ ବହାରି ଭଦ୍ରକ ସହ ବାଲେଶ୍ବର ଜିଲ୍ଲାର ଏକାଧିକ ବ୍ଲକ୍‌କୁ ଜଳସେଚିତ କରୁଛି । ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି । ହେଲେ ସାଳନ୍ଦୀ ନଦୀ ଏବେ ଶୁଖି ଯାଇଛି । ଏହାର ଜଳ ସ୍ରୋତ କମିବାରେ ଲାଗିଛି । ନଦୀଗର୍ଭ ପୋତି ହୋଇଗଲାଣି । ନଦୀରୁ ଦଳ ସଫା କରାଯାଉ ନାହିଁ । ନଦୀ ସଂସ୍କାର ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କା ବାଟମାରଣା ହେଉଛି ।

କେନ୍ଦୁଝର ଜିଲ୍ଲାରୁ ସାଳନ୍ଦୀ ନଦୀ ବାହାରିଛି । ହଦଗଡ଼ଠାରେ ଡ୍ୟାମ୍‌ ନିର୍ମାଣ ହେବା ଦିନ ଠାରୁ ଏଇ ନଦୀରେ କିଛି ମାତ୍ରାରେ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିଛି । ନଦୀ ଭଦ୍ରକ ଜିଲ୍ଲାର ଆରଗରପଡ଼ା, କାଉପୁର, ଭଦ୍ରକ ସହର, ତିହିଡି ଦେଇ ପ୍ରବାହିତ ହୋଇଛି । ଚାନ୍ଦବାଲି ବ୍ଲକ୍‌ ତିନିତର ଘାଟରେ ବୈତରଣୀ ନଦୀ ସହବା ସହ ସମୁଦ୍ରରେ ପଡ଼ିଛି । ତେବେ ସାଳନ୍ଦୀ ଏବେ ବିଭିନ୍ନ ସ୍ଥାନରେ ପୋତି ଯାଇଛି । ସହରର ଅଳିଆ ଆବର୍ଜନା ପଡ଼ି ନଦୀର ଜଳ ବିଷାକ୍ତ ହୋଇପଡ଼ିଛି । ସହରର ସବୁ ଅଳିଆ, ମଇଳା ପାଣି ନଦୀଗର୍ଭକୁ ଛଡ଼ାଯାଉଛି । ଅନେକ ସ୍ଥାନରେ ଲୋକମାନେ ନଦୀଶଯ୍ୟାକୁ ଜବରଦଖଲ କରି ଘର କରି ପକାଇଲେଣି । ଭଦ୍ରକର ଫେକର କମ୍ପାନି ନଦୀଜଳକୁ ବ୍ୟବହାର କରୁଥିବାରୁ ଏହାର ଜଳ ସ୍ରୋତ କମିଯାଉଛି ।

ସାଳନ୍ଦୀ ନଦୀର ସୁରକ୍ଷ‌ା ପାଇଁ ଅତୀତରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀ ‘ସାଳନ୍ଦୀ ସଂସ୍କାର ଯୋଜନା’ରେ ୧୦୦ କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏଇ ସଂସ୍କାର ଯୋଜନାରେ ଅଧିକ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ ଆସିଥିଲା । ପ୍ରାୟ ଦେଢ଼ଶହ କୋଟି ଟଙ୍କାର ସାଳନ୍ଦୀ ସଂସ୍କାର ଯୋଜନାରେ କାର୍ଯ୍ୟ କରାଯାଇଥିଲା । ହେଲେ ସାଳନ୍ଦୀ ସଂସ୍କାର ଯୋଜନା ଅର୍ଥକୁ ସେତେବେଳେ କିଛି ଯନ୍ତ୍ରୀ ଓ ଠିକ‌ାଦାର ଚଳୁ କରିଦେଲେ ! ଫଳରେ ସାଳନ୍ଦୀ ସଂସ୍କାର କାର୍ଯ୍ୟ ଯେପରି ହେବା କଥା, ସେପରି ହେଲାନି । ସେହିପରି ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ ସାଳନ୍ଦୀ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଅନୁଦାନ ଆସୁଛି ।

ମାତ୍ର ଅନୁଦାନ ଠିକ୍ ଭାବେ ବିନିଯୋଗ କରାଯାଇ ପାରୁ ନାହିଁ । ସାଳନ୍ଦୀ ନଦୀ ବନ୍ଧ ମରାମତି, ରକ୍ଷଣାବେକ୍ଷଣ, ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ବିଭିନ୍ନ ସମୟରେ ଆସିଥିବା ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାକୁ ଅବାଟରେ ଖର୍ଚ୍ଚ କରାଯାଇଛି । ଫଳରେ ବନ୍ଧ କାମ ଦୁର୍ବଳ ହୋଇଛି । ଏପରି ସମୟରେ ବନ୍ଧରେ ମାଟି ଓ ବାଲି ବସ୍ତା ପକାଇ ସୁରକ୍ଷା ଦିଆଯାଉଛି । ଭଦ୍ରକ ସହର ଦେଇ ଯାଇଥିବା ସାଳନ୍ଦୀ ନଦୀର ଉଭୟ ପାର୍ଶ୍ବରେ ସାଳନ୍ଦୀ ରିଂ ବନ୍ଧ ନିର୍ମାଣ ଯୋଜନା ମଧ୍ୟ ଫାଇଲ୍‌ରେ ବନ୍ଧା ପଡ଼ିଛି । ଫଳରେ ବର୍ଷାଦିନେ ହଦଗଡ଼ ଡ୍ୟାମ୍‌ରେ ଗେଟ୍‌ ଖୋଲିଲେ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ସହର ସହ ଆଖପାଖର ଅନେକ ଗ୍ରାମ ଜଳମଗ୍ନ ହୋଇଯାଉଛି । ଏପରି ସମୟରେ ବନ୍ୟାକୁ ନିୟନ୍ତ୍ରଣ ପାଇଁ ନଦୀର ବାମ ପାର୍ଶ୍ବ ଓ ଡାହାଣ ପାର୍ଶ୍ବ ବନ୍ଧକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଜିଲ୍ଲାବାସୀ ବହୁବାର ଦାବି କରିଛନ୍ତି । ସାଳନ୍ଦୀ ନଦୀକୂଳର ସୌନ୍ଦର୍ଯ୍ୟକରଣ ପାଇଁ ନଦୀବନ୍ଧର ଉଭୟ ପାର୍ଶ୍ବରେ ବନୀକରଣ ବ୍ୟବସ୍ଥା‌ ବି କରାଯାଉ ନାହିଁ। ବିଭାଗ ନା ନିର୍ବାଚିତ ଲୋକ ପ୍ରତିନିଧି; କାହାର ବି ସାଳନ୍ଦୀର ସୁରକ୍ଷା ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆନ୍ତରିକତା ନାହିଁ; ଯାହା ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି ।

Leave a Reply

Your email address will not be published. Required fields are marked *