ଦବଙ୍ଗଗିରି ପାଇଁ ହଟହଟା ଗଞ୍ଜାମ ତହସିଲଦାର

ଗଞ୍ଜାମ : ଦବଙ୍ଗଗିରି ପାଇଁ ହଟହଟା ହୋଇଛନ୍ତି ଗଞ୍ଜାମ ତହସିଲଦାର ଅରୁଣ ନାୟକ । ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଦୁଇ ଘଣ୍ଟା ଅଟକ ରଖିବା ପରେ ଉଦ୍ଧାର କରିଛି ପୁଲିସ । ମିଳିଥିବା ସୂଚନା ଅନୁସାରେ, ତହସିଲଦାର ଶ୍ରୀ ନାୟକ ଆଜି ସକାଳ ୧୦ଟାରେ କର୍ମଚାରୀମାନଙ୍କ ସହ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଜେଆର୍‌ଜେପୁର ପଞ୍ଚାୟତ ସିପକୁଦା ଗ୍ରାମକୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ । ସିପକୁଦା ଗାଁର ଅଣଓସାରିଆ ରାସ୍ତାରେ ତାଙ୍କ ଗାଡ଼ି ଦ୍ରୁତ ଗତିରେ ଯାଉଥିବାବେଳେ ଗ୍ରାମର ଅରଣ୍ୟ ନାୟକ (୩୭) ନାମକ ଜଣେ ଯୁବକ ହାତ ଠାରିଥିଲେ । ଗାଁ ଭିତରେ ଗାଡ଼ିକୁ ଧୀରେ ଗାଡ଼ି ଚଳାଇବାକୁ କହିଥିଲେ । ହେଲେ, ତହସିଲଦାର ଏଥିପ୍ରତି ଦୃଷ୍ଟିନଦେଇ ଓଲଟି ଗାଡ଼ିକୁ ପଛୁଆ କରିବା ସହ ଏହି ଯୁବକ ବସିଥିବା ଚାନ୍ଦିନୀ ପାଖକୁ ଆସିଥିଲେ ଏବଂ ହାତ ଦେଖାଇ ଗାଡ଼ି କାହିଁକି ଅଟକାଇଲ ବୋଲି ପଚାରିଥିଲେ । ‘ବିଦ୍ୟାଳୟକୁ ପିଲାମାନେ ଯାଉଥିବାରୁ ଗାଡ଼ି ଧୀରେ ଚଳାଇବାକୁ କହି ମୁଁ ହାତ ମାରିଥିଲି’ ବୋଲି ଅରଣ୍ୟ ଉତ୍ତର ଦେଇଥିଲେ । ତହସିଲଦାର ଏହା ଶୁଣି ରାଗରେ ପଞ୍ଚମ ହେବା ସହ ଗାଡ଼ିରୁ ଓହ୍ଲାଇ ଅରଣ୍ୟଙ୍କୁ ଚାରି ମୁଥ ମାରିଥିଲେ । ଫଳରେ, ଅରଣ୍ୟ ତଳେ ପଡ଼ିଯାଇଥିଲେ । ଏହା ଦେଖି ହଠାତ୍‌ ଗ୍ରାମବାସୀ ଏକାଠି ହେବାରୁ ତହସିଲଦାର ଗାଡ଼ିରେ ବସି ବିଞ୍ଚଣାପଲ୍ଲୀ ଗ୍ରାମଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ ।

ଉତ୍ତ୍ୟକ୍ତ ଲୋକେ ବି ସିପକୁଦାରୁ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ଗାଡିକୁ ଗୋଡ଼ାଇ ଘେରି ଯାଇଥିଲେ । କେଉଁ କାରଣରୁ ଅରଣ୍ୟଙ୍କୁ ସେ ମାଡ଼ ମାରିଲେ ବୋଲି ପ୍ରଶ୍ନ ପଚାରିଥିଲେ । ତହସିଲଦାର ଆହୁରି କ୍ଷୁବ୍ଧ ହୋଇ ନାଲିଆଖି ଦେଖାଇ ଧମକାଇଥିଲେ । ଫଳରେ ପ୍ରବଳ କଥା କଟାକଟି ହୋଇଥିଲା । ଗ୍ରାମବାସୀ ତହସିଲଦାର ଓ ପାଞ୍ଚଜଣ ରାଜସ୍ବ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଘେରାଉ କରି କରି ଅଟକ ରଖିଥିଲେ । ଗାଡ଼ି ଚାରିପାଖ ଲୋକାରଣ୍ୟ ପାଲଟିଥିଲା । ସେପଟେ ମୋବାଇଲ୍ ନେଟ୍‌ୱର୍କ ଆସୁ ନଥିବାରୁ ତହସିଲଦାର ଆହୁରି ହଟହଟା ହୋଇଥିଲେ। ଦୁଇ ଘଣ୍ଟା ପରେ ତହସିଲଦାର ରମ୍ଭା ଥାନାକୁ ଖବର ଦେବା ପରେ ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ବରେ ଦୁଇଟି ଭ୍ୟାନ୍‌ରେ ସଶସ୍ତ୍ର ପୁଲିସ ଫୋର୍ସ ପହଞ୍ଚି ତହସିଲଦାର ଓ ପାଞ୍ଚଜଣ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକ୍ତ କରିଥିଲେ । ଅପରାହ୍ନ ସାଢ଼େ ୧୨ଟାରେ ତହସିଲଦାର ମୁକ୍ତ ହୋଇ ଗାଡ଼ିରେ ଫେରିଥିଲେ ।

ଅନ୍ୟପକ୍ଷରେ, ଆସନ୍ତାକାଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତହସିଲଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗଳାଧକ୍କା ମାରିବା, ଗୋଖରକୁଦା‌ରେ ଜଣେ ମତ୍ସ୍ୟଜୀବୀଙ୍କୁ ପିଟିବା, ହୁମ୍ମାରେ ତିନିଜଣ ବାଇକ୍ ଆରୋହୀଙ୍କୁ ମାଡ଼ ମାରିବା, ହୁମ୍ମା ପେଟ୍ରୋଲ୍ ପମ୍ପ୍‌ର ଜଣେ କର୍ମଚାରୀଙ୍କୁ ଉଠ୍‌ବସ୍ କରାଇବା ଓ ପାଲୁରଗଡ଼ରେ ନିରୀହ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମେତ ବିଭିନ୍ନ ଘଟଣାକୁ ନେଇ ତହସିଲଦାର ଶ୍ରୀ ନାୟକ ବିବାଦରେ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *