ନକଲି ପ୍ରମାଣପତ୍ର ହାତେଇ ବେଧଡ଼କ ଚାକିରି କରୁଛନ୍ତି ନକଲି ଆଦିବାସୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନକଲି ଆଦିବାସୀ ପ୍ରମାଣପତ୍ର ହାତେଇ ବେଧଡ଼କ ଚାକିରି କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇନାହିଁ । ସବୁ ଜାଣି ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ଜାତୀୟ ଆଦିବାସୀ କମିସନ ପକ୍ଷରୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନକଲି ଆଦିବାସୀ ପ୍ରସଂଗରେ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାରୁ ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ନକଲି ଆଦିବାସୀ ପ୍ରମାଣପତ୍ର ହାସଲ କରି ଚାକିରି କରୁଥିବା ଅଣଆଦିବାସୀମାନେ ଏବେ ଜିଲ୍ଲାରେ ଆସ୍ଥାନ ଜମାଇଛନ୍ତି । ରାଜସ୍ବ ନିରୀକ୍ଷକ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ହାତବାରିସୀ କରି ଅନାୟାସରେ ନକଲି ପ୍ରମାଣପତ୍ର ହାତେଇବାରେ ସକ୍ଷମ ହେଉଛନ୍ତି ।

ଏଥି ନିମନ୍ତେ ବ୍ୟାପକ କିକ୍‌ବ୍ୟାକ ମଧ୍ୟ ହେଉଥିବା ସଙ୍ଗିନ ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲାରେ ନକଲି ଆଦିବାସୀଙ୍କ ଚେର ମାଡ଼ି ଚାଲିଥିବାବେଳେ ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏନେଇ କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଜାତୀୟ ଆଦିବାସୀ କମିସନଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଜାତୀୟ ଆଦିବାସୀ କମିସନ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ତାଗିଦ କରିଥିଲେ । ଜାତୀୟ ଆଦିବାସୀ କମିସନ ପକ୍ଷରୁ ଚିଠି ନଂ. ୨୪୦/ଓଆର୭/୨୦୨୨ ତା:୧୭/୨/୨୦୨୨ରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମାଙ୍କୁ ୧୫ ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ନକଲେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣା ପରେ କଳାହାଣ୍ଡିରେ ନକଲି ଆଦିବାସୀଙ୍କ ମଧ୍ୟରେ ଛନକା ପଶିଛି । ସେହିଭଳି ବ୍ରହ୍ମପୁର ରାଜସ୍ବ କମିସନରଙ୍କ ପକ୍ଷରୁ ମଧ୍ୟ ବାରମ୍ବାର ବିଭିନ୍ନ ନକଲି ଆଦିବାସୀଙ୍କ ଯାଞ୍ଚ କରି ରିପୋର୍ଟ ଦେବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ମଧ୍ୟ କରାଯାଇଛି । ରାଜନୈତିକ ଓ ପ୍ରଭାବଶାଳୀ ଲୋକଙ୍କ ଚାପ ଯୋଗୁଁ ସରକାରୀ ନାଲିଫିତା ତଳେ ଏହି ରିପୋର୍ଟ ବର୍ଷ ବର୍ଷ ଧରି ପଡ଼ିରହିଛି । କଳାହାଣ୍ଡି ଜିଲ୍ଲାରେ କେସିଙ୍ଗା ତହସିଲରେ ଏନେଇ ଖୋଲତାଡ଼ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ । ନକଲି ଆଦିବାସୀମାନେ କୋର୍ଟର ଆଶ୍ରୟ ନେଇ ସରକାରୀ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରିବା ପାଇଁ ସୁପରିକଳ୍ପିତ ଯୋଜନା ଆରମ୍ଭ କରିଛନ୍ତି । ଯୋଗ୍ୟତା ଥାଇ ମଧ୍ୟ ଅସଲି ଆଦିବାସୀ ଯୁବକ ଯୁବତୀ ଚାକିରିରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର ନକଲି ଆଦିବାସୀମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *