ସୁନ୍ଦରଗଡ଼ : ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଏକ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ବିଧିବଦ୍ଧ ଟେଣ୍ଡର୍ ନଡାକି ଟେବୁଲ୍ଟେଣ୍ଡର୍ ଜରିଆରେ ଜଣେ ଠିକାଦାରଙ୍କୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାମ ଦିଆଯାଇଛି । ଗ୍ରାମ୍ୟ ପାନୀୟ ଜଳଯୋଗାଣ କାମରେ ଏହିଭଳି ଅନିୟମିତତା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଏହି ପ୍ରକଳ୍ପ କାମ ପାଇଁ ଟେଣ୍ଡର୍ ଡକାଯାଇନାହିଁ । ‘ଟେବୁଲ୍ ଟେଣ୍ଡର’ ଜରିଆରେ ବିବେକ ଅଗ୍ରୱାଲ ନାମକ ଜଣେଠିକାଦାରଙ୍କୁ ୨ କୋଟି ୩୪ ଲକ୍ଷ ଟଙ୍କାର କାମ ଦିଆଯାଇଛି । ଚେୟାର୍, ଟେବୁଲ୍ରେ ବସି ବୁଝାମଣା ଭିତ୍ତିରେ ଠିକାକାମ ଯୋଗାଇବାକୁ ’ଟେବୁଲ୍ ଟେଣ୍ଡର୍’ ବୋଲି କୁହାଯାଇଛି ।
ଏହି ଟେଣ୍ଡର୍ ପାଇଥିବା ଶ୍ରୀ ଅଗ୍ରୱାଲା ଠିକାଦାରୀର ଶ୍ରେଣୀ ବ୍ୟବସ୍ଥାରେ ତୃତୀୟ ଶ୍ରେଣୀ ସାଧାରଣବର୍ଗର କାମ କରିଥା’ନ୍ତି । ଜଣାପଡ଼ିଛି ଯେ ଅତି ଚତୁରତାର ସହ ୫ ଲକ୍ଷରୁ କମ୍ ଅଟକଳରେ ପ୍ରକଳ୍ପ ପ୍ରସ୍ତୁତ କରି ଠିକାଦାରଙ୍କୁ ୨୦୧୭-୧୮ ରୁ ୨୦୨୧-୨୦୨୨ ମଧ୍ୟରେ ପ୍ରାୟ ୬୯ଟି ପ୍ରକଳ୍ପ କାମ ଯୋଗାଇ ଦିଆଯାଇଛି । କେବଳ ୨୦୨୦-୨୧ ଓ ୨୦୨୧-୨୨ ମାର୍ଚ୍ଚ ମଧ୍ୟରେ କୋଟିଏ ଟଙ୍କାର ନିର୍ମାଣ ବା ମରାମତି କାମ କରିଛନ୍ତି ଠିକାଦାର । ସେଥିରେ ପାନୀୟ ଜଳ ପ୍ରକଳ୍ପର ମରାମତି, ନିର୍ମାଣ ଆଦି ରହିଛି । ଜଣେ ତୃତୀୟ ଶ୍ରେଣୀ ଠିକାଦାରଙ୍କୁ କିପରି କୋଟି କୋଟି ଟଙ୍କାର କାମ ଦିଆଗଲା ଏବଂ ୨ ବର୍ଷ ମଧ୍ୟରେ ବ୍ୟୟ ହୋଇଥିବା କୋଟିଏ ଟଙ୍କାର କାମ ପାଇଁ ଟେଣ୍ଡର ନଡାକି ‘ଟେବଲ୍ ଟେଣ୍ଡର’ କରାଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ, ଏହି ଜଣେ ଠିକାଦାର ନୁହନ୍ତି । ଆହୁରି ଅନେକ ଠିକାଦାର ଏହିଭଳି କାମ କରୁଥିବା ଦେଖିବାକୁ ମିଳୁଛି । ଏ କ୍ଷେତ୍ରରେ ପ୍ରକଳ୍ପର ବି ଲମ୍ବାତାଲିକା ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି କାମରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠୁଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ବି ଦାବି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼କୁ ରାଜ୍ୟର ଅନ୍ୟଏକ ପଛୁଆ ଜିଲ୍ଲା ବୋଲି କୁହାଯାଉଛି । ଏହାର ବିକାଶ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି । କିନ୍ତୁ ଜିଲ୍ଲାର ଚେହେରା ଅପରିବର୍ତ୍ତିତ । ଅଭିଯୋଗ ହେଉଛି, ପ୍ରାଶାସନିକ ଉଦାସୀନତା, ଅବହେଳା ସହ କାର୍ଯ୍ୟ ସମ୍ପାଦନ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି, ଅନିୟମିତତା ଓ ଠିକା ସର୍ବସ୍ବ ମନୋବୃତ୍ତି ହିଁ ଜିଲ୍ଲାକୁ ପଛୁଆ କରିରଖିଛି । ଏହା ମଧ୍ୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଯୋଗାଣ ବିଭାଗ, ଆଇଟିଡିଏ ପରେ ଏବେ ଜିଲ୍ଲାର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦୁର୍ନୀତି ଚର୍ଚ୍ଚାକୁ ଆସିଛି ।
ନିକଟ ଅତୀତରେ ଓମ୍ବାଡସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକର ୭ଟି ପଞ୍ଚାୟତରେ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଆସିଥିଲା । ବିନା ତଦାରଖରେ ଠିକା ସଂସ୍ଥାର ମନମର୍ଜିରେ ଆଖି ବୁଜି କୋଟି କୋଟି ଟଙ୍କାର ବିଲ୍ କରି ଦିଆଯାଉଥିବା ପ୍ରକାଶ ପାଇଛି । ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଉପରୋକ୍ତ ଆଉ ଏକ ଦୁର୍ନୀତି ।
