କଲମପୁର : କଳାହାଣ୍ଡିର ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର । ବିଭିନ୍ନ ସମସ୍ୟା ନେଇ ଅନେକ ସମୟରେ ଆଲୋଚନାର ପରିଧିକୁ ଆସେ ଏହି ଇଲାକା । ଉତମ ଯୋଗାଯୋଗ ଓ ରାସ୍ତାର ସଠିକ ବ୍ୟବସ୍ଥା ନଥିବାରୁ ପ୍ରଶାସନ ମଧ୍ୟ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେଇଥାଏ । ଗତ କିଛି ଦିନ ତଳେ ମନରେଗା ଯୋଜନାର ଦୁର୍ନିତୀକୁ ନେଇ ଚର୍ଚ୍ଚିତ ଥିବା ଏହି ବ୍ଲକର ମାଳିଗାଁ ପଂଚାୟତ ପୁଣି ଏବେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ୩ ମାସର ପ୍ରାପ୍ୟ ଦେଇନଥିବାରୁ ଚର୍ଚ୍ଚାର ପରିଧିକୁ ଆସିଛି ।
ସୁଚନା ଅନୁସାରେ ଗତ ଜାନୁଆରୀ ମାସ ଠାରୁ ମୁସ୍କୁଟା ଗ୍ରାମର ୨୨ ଓ ବଣ୍ଡାବାଗ ଗ୍ରାମର ୪୯ ଜଣ ହିତାଧିକାରୀ ସେମାନେ ସାମାଜିକ ସୁରକ୍ଷା ଯୋଜନାରୁ ପାଉଥିବା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ପାଇ ନାହାଁନ୍ତି । ଦିନକ ପରେ ୪ ମାସ ପୁରଣ ହେବ ସେମାନେ ଭତା ପାଇବାରୁ ବଂଚିତ ହେବାର । ରିତିମତ ପଂଚାୟତ କାର୍ଯ୍ୟାଳୟକୁ ଏହି ହିତାଧିକାରୀ ମାନେ ଦୌଡୁଥିଲେ ମଧ୍ୟ ନିରାଶ ହେଇ ଫେରୁଛନ୍ତି । ଏହି ୭୧ ଜଣଙ୍କ ଭତା ବାବଦକୁ ପ୍ରାୟ ଲକ୍ଷାଧିକ ଟଙ୍କା ହେବ । ଏହି ଟଙ୍କା ଏବେ କାହା ପାଖରେ ଓ ହିତାଧିକାରୀମାନେ ପାଇବେ କି ନାହିଁ ସେନେଇ ଦ୍ୱନ୍ଦ ଦେଖା ଦେଇଛି । ଏହି ପଂଚାୟତ ପାଇଁ ନିୟୋଜିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନରେଗା ଯୋଜନାର ଦୁର୍ନିତୀ ପରେ ପଂଚାୟତ ଦାଇତ୍ୱରୁ ମୁକ୍ତ କରାଯାଇଛି । ତେଣୁ ତାଙ୍କ ପାଖରେ ସମସ୍ତ କାଗଜାତ ଥିବାରୁ ଭତା ବାବଦକୁ ଦିଆଯାଇଥିବା ଅର୍ଥ କାହା ପାଖରେ ରହିଛି ସେ ନେଇ ସ୍ପଷ୍ଟ ହେଇନାହିଁ । ବଣ୍ଡାବାଗ ଗ୍ରାମର ଯୁବ ସମାଜସେବୀ ପ୍ରତାପ ନାଏକ ଗଣ ମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ମଙ୍ଗଳବାର ଏନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ ବୁଧବାର ଏକ ସ୍ୱତନ୍ତ୍ର ଦଳ ମୁସ୍କୁଟା ଓ ବଣ୍ଡାବାଗ ଗ୍ରାମର ଗସ୍ଥରେ ଯାଇଛନ୍ତି । ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସୁଚନା ଦେଇଛନ୍ତି । ଅନ୍ୟପଟେ ଘଟଣା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ବି.ଡି.ଓ ଶୁଭକାନ୍ତ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବାରୁ କୌଣସି ସୁଚନା ମିଳିନାହିଁ ।
