କଲମପୁର : ଜଣେ ଆଦିବାସୀ ବାଳିକାକୁ ଚାକିରୀର ପ୍ରଲୋଭନ ଦେଖାଇ ବନ୍ଧକ ରଖିବା ଭଳି ଘଟଣାକୁ ନେଇ ଥୁଆମୁଳ ରାମପୁର ଥାନାରେ ପିଡିତାର ପରିବାର ଲୋକ ଲିଖିତ ଏତଲା ଦେବା ପରେ ଏବେ ସମଗ୍ର କଳାହାଣ୍ଡିରେ ଆଲୋଡନ ସୃଷ୍ଟି କରିଛି । କେବଳ ଜଣେ ନୁହେଁ ଏହି ଆଦିବାସୀ ଇଲାକାରୁ ଆହୁରି ଅଧିକ ଝିଅ ପ୍ରଲୋଭନର ଶିକାର ହେଇଥିବା ଆଶଙ୍କା କରାଯାଉଛି । ଏହା ସହ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଅନୁସନ୍ଧାନ କଲେ ଜଣାପଡ଼ିବ ।
ସୁଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଟେଭାମହୁଲ ଗାଁର ଜନୈକା ବାଳିକା ଶୁକଲ ଦେଈ ମାଝୀଙ୍କୁ ଏକ ଫୋନ କଲ ମାଧ୍ୟମରେ ପୁଲିଙ୍ଗପଦର ଗ୍ରାମର ଅନ୍ୟ ଏକ ଝିଅ ଯୋଗାଯୋଗ କରିଥିଲା । ତା’ର ସୁଚନା ଅନୁସାରେ ଏକ କମ୍ପାନୀ ଖୋଲାଯାଇଛି । ସେଠାରେ ରହି କାମ କଲେ ମାସିକ ୧୦ ହଜାର ଟଙ୍କା ଦରମା ମିଳିବ ବୋଲି ସୁଚନା ଦେଇଥିଲା । ଏହି ସୁଚନା ମୁତାବକ ଶୁକଲ ଦେଈ ଉକ୍ତ ଯୁବତୀର ସହ ଯୋଗଯୋଗ କରି ଗତ ୪.୪.୨୦୨୨ ଦିନ ଘରରୁ ବାହାରି ଉକ୍ତ ଯୁବତୀଙ୍କ ଠିକଣା ମୁତାବକ ସ୍ଥାନରେ ପହଂଚି ଥିଲା । ସେଠାରେ ପହଂଚିବା ପରେ ୬.୪.୨୦୨୨ ଦିନ ଶୁକଲଦେଈର ସମ୍ପର୍କୀୟ ଭାଇଙ୍କୁ ଫୋନ କରି ଚାକିରୀରେ ପ୍ରବେଶ କରିବା ପାଇଁ ୨୫ ଶହ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇଥିଲେ । ଘରେ ଟଙ୍କା ନଥିବାରୁ ୨ ହଜାର ଟଙ୍କା ପରିବାର ଲୋକ ପଠାଇଥିଲେ । କିନ୍ତୁ ପୁଣି ୧୫ ହଜାର ଟଙ୍କା ଦାବି କଲେ । ଏତେ ଟଙ୍କା ଦେବାରେ ଅସମର୍ଥ ଥିବା ଶୁକଲଦେଈର ବାପା ପୁୟୁ ମାଝୀ ଜଣାଇବା ପରେ ତୁମ ଝିଅକୁ ବାହାର କରିଦେବୁ, ତା’ର ଭବିଷ୍ୟତ ପାଇଁ ଆମେ ଦାୟୀ ନୁହେଁ ବୋଲି ରୋକ ଠୋକ ଶୁଣାଇଥିଲେ ।
ଯାହା ଶୁଣିବା ପରେ ଶୁକଲ ଦେଈ ପରିବାର ଲୋକ ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି । ଚାକିରୀର ପ୍ରଲୋଭନ ଦେଖାଇ ଜଣେ ଝିଅକୁ ଏକ ପ୍ରକାର ବନ୍ଧକ ରଖିବା ଘଟଣା ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି । ଏହି ର୍ୟାକେଟ୍ ଆଦିବାସୀ ଇଲାକାର ଝିଅମାନଙ୍କୁ ଟାର୍ଗେଟ କରୁଥିବାର ଆଶଙ୍କା କରାଯାଉଛି । ଏନେଇ ପିଡିତାର ବାପା ବୁଧବାର ଥୁଆମୁଳ ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ସକ୍ରିୟ ହେଇ ତଦନ୍ତ ଜାରି ରଖିଛନ୍ତି । ଉକ୍ତ ଝିଅକୁ ଯାଜପୁର ଠାରେ ରଖିଥିବା କୁହାଯାଉଥିଲେ ମଧ୍ୟ ଏଥିରେ କେତେ ସତ୍ୟତା ରହିଛି ତାହା ଅନୁସନ୍ଧାନ ପରେ ଜଣା ପଡ଼ିବ । ଅନ୍ୟପଟେ ଏହି ର୍ୟାକେଟ୍ରେ ମନସ୍ୱିନୀ ନାମକ ଜଣେ ଯୁବତୀ ଥିବା ଆଲୋଚନା ହେଉଛି । ଏଭଳି ଏକ ଘଟଣା କଳାହାଣ୍ଡି ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଶୁକଲଦେଈ ନାବାଳିକା ଓ ମାତ୍ର ଅଷ୍ଟମ ଯାଏ ପାଠ ପଢ଼ିଥିବା ବେଳେ ସେ କିଭଳି ଚାକିରୀ ଆଶାୟୀ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
