ବୌଦ୍ଧ ଜିଲାରେ ଅଘୋଷିତ ବିଦ୍ୟୁତ କାଟ, ଅଭିଯୋଗ କଲେ ଅଧିକାରୀଙ୍କ ରୁକ୍ଷ ବ୍ୟବହାର

ବୌଦ୍ଧ : ବୌଦ୍ଧ ଜିଲାରେ ବର୍ତ୍ତମାନ ପାରଦ ୪୧ ଡିଗ୍ରୀ ଉପରେ ଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଦୁଃଖକୁ ଦିଗୁଣିତ କରିଛି । ଜିଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହିତ ବିଦ୍ୟୁତ ବିଭାଗର ଅବହେଳା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି । ବରିଷ୍ଠ ନାଗରିକ ମଞ୍ଚର ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଜିଲାରେ ଝଡ, ତୋଫାନ, ବର୍ଷା ଭଳି କୌଣସି ପ୍ରାକୃତି ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ନହୋଇ ପାଗ ଠିକ ଥିବା ସତ୍ୱେ ଦିନକୁ ୩ ରୁ ୪ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ହୋଇରହୁଛି । ବୌଦ୍ଧ ସହର ଅପେକ୍ଷା ଜିଲାର ଗ୍ରାମାଞ୍ଚଳଗୁଡିକରେ ଅଧିକ ବିଦ୍ୟୁତ କାଟ ହେଉଅଛି । ସରକାରଙ୍କ ପକ୍ଷରୁ ଉତ୍ତମ ସେବା ଯୋଗାଇବା ନାମରେ ବେସରକାରୀ କମ୍ପାନୀ ହାତରେ ବିଦ୍ୟୁତ ବିଭାଗକୁ ଟେକି ଦିଆଯାଇଥିବା ବେଳେ ଟ୍ରାନ୍ସଫରମରରୁ ସାମନ୍ୟ ଫ୍ୟୁଜ ଯାଇଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀମାନେ ପଦକ୍ଷେପ ନେଉନଥିବା ସହ ଅନଲାଇନରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାମ ହେଉନଥିବା ଅଭିଯୋଗ କରିଛନ୍ତି । କିଛିଦିନ ପୂର୍ବରୁ ଜିଲାର ଅର୍ଦ୍ଧାଧିକ ଅଞ୍ଚଳରେ ତିନିଦିନ ଧରି ବିଦ୍ୟୁତ ନଥିଲା ।

କେବେ ମରାମତି ନାମରେ ଆଉ କେତେବେଳେ ଅନ୍ୟ ଗ୍ରୀଡରୁ କଟାଯାଇଛି କହି ବିଦ୍ୟୁତ ବିଭାଗ ପକ୍ଷରୁ ଗ୍ରାହାକମାନଙ୍କୁ ସିଧସଳଖ ଶୋଷଣ କରାଯାଉଥିଲେ ମଧ୍ୟ ସେମାନଙ୍କ ଗୁହାରି ଶୁଣିବାକୁ କେହିନାହାନ୍ତି । ଅନେକ ସମୟରେ ବେସରକାରୀ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବଦ୍ୟୁତ ଉପଭୋକ୍ତାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଅଛି । ଗତ ୧୧ ଓ ୧୨ ତାରିଖ ଦିନ ବୌଦ୍ଧ ବ୍ଲକର ମୁରଷୁଣ୍ଢୀ ଓ ବଢ଼ିଗାଁ ପଞ୍ଚାୟତର କିଛି ଗ୍ରାମଗୁଡିକରେ ବିଦ୍ୟୁତ ବହୁ ସମୟ ଧରି କାଟ ହୋଇଥିଲା । ଏନେଇ ଗତ ୧୨ ତାରିଖରେ ବୌଦ୍ଧ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାତ କୁମାର ସାହୁ ବୌଦ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ବରିଷ୍ଠ ନାଗରିକ ମଞ୍ଚ ସଭାପତିଙ୍କୁ ରୁକ୍ଷ ବ୍ୟବହାର କରିଥିବା ସହ ଏହା ମୋର କାମ ନୁହେଁ ବୋଲି କହିଥିବା ନେଇ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏନେଇ ବୁଧବାର ଦିନ ମଞ୍ଚର ସଭାପତି ଶ୍ରୀ ସାହୁ ବୌଦ୍ଧ ଜିଲାପାଳଙ୍କୁ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ନିବଦେନ କରିଛନ୍ତି ।

Leave a Reply

Your email address will not be published. Required fields are marked *