ପାଣି ପାଇଁ ହନ୍ତସନ୍ତ ଲୋକେ

ବେଗୁନିଆ : ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଜଳ ଅମଳ ପ୍ରକଳ୍ପ, ନଳକୂପ ଏବଂ ବହୁ ବର୍ଷର କୂପଗୁଡିକ ଖରାପ ଅବସ୍ଥାରେ ପଡିଥିବା ବେଳେ ସେଗୁଡିକ ମରାମତି ଦିଗରେ ବ୍ଲକ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ସରକାରୀ ପ୍ରକଳ୍ପଗୁଡିକ ମରାମତି ଅଭାବରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି । ଜନସାଧାରଣ ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପରେ ପାନୀୟ ଜଳ ପାଇଁ କଲବଲ ହୋଇ ଚୁଆ ପୋଖରୀ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ଦୂଷିତ ଜଳ ପିଇ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବ୍ଲକ ପ୍ରଶାସନ ସେଥିପ୍ରତି ନଜର ନଦେବା ପରିତାପର ବିଷୟ । ଏପରିକି ଲୋକମାନେ ପାନୀୟ ଜଳ ପାଇଁ ନିକଟସ୍ଥ କୋକସିଂହ ଗ୍ରାମକୁ ଏକ କିମି ଯାଇ ପାଣି ଆଣୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ମଶାଣିଆ ଏବଂ ଚଣ୍ଡୀ ଗ୍ରାମର ପ୍ରାୟ ପାଞ୍ଚ ଶହ ଲୋକ ପାନୀୟ ଜଳ ମୁନ୍ଦେ ପାଇବା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅଭାବ ଅସୁବିଧା ସମ୍ପର୍କରେ ନେତା ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଶେଷରେ ସ୍ଥାୟୀ ଲୋକ ଅଦାଲତରେ ପି ଏଲ ଏ କେଶ ନଂ୧୦/୨୨ରେ ଏକ ମୋକଦମା ରୁଜୁ କରିଥିଲେ ଗ୍ରାମର ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ସାହୁ ।

ସୂଚନାଯୋଗ୍ୟ ଯେ ଗ୍ରାମରେ ୩/୪ ବର୍ଷ ହେବ ୫ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ସୌର ଜଳ ଅମଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାବେଳେ ଏହାର ମରାମତି ଦିଗରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିପରି ଗ୍ରାମରେ ଥିବା ଦୁଇଟି ବହୁ ପୁରୁଣା ଅଗଭୀର କୂପ ମରାମତି ଅଭାବରୁ ପୋତି ହେବାରେ ଲାଗିଛି । ଲୋକମାନେ ଗୋଟିଏ କୂପରେ ଅଳିଆ ଆବର୍ଜନା ପକାଇ ଡଷ୍ଟବିନ କରିଥିବାବେଳେ ଅନ୍ୟ କୂପଟିରୁ ପାଣି ମୁନ୍ଦେ ପିଇ ତୃଷା ମେଣ୍ଟାଇଥାନ୍ତି । ଉକ୍ତ କୂପଟିର ଅଧା ପର୍ଯ୍ୟନ୍ତ ପଥର ଥିବାବେଳେ ବାକିତକ ଅତଡ଼ା ଧସି କୋରଡ ହୋଇଗଲାଣି । ତା’ ଭିତରେ ପାରା ବାସ କରି ମଳତ୍ୟାଗ କରୁଛନ୍ତି । ସେହି ପାଣିକୁ ଲୋକମାନେ ବ୍ୟବହାର କରୁଛନ୍ତି । ପୋତି ହୋଇଯାଇଥିବା କୂପଟି ତଳୁ ଉପର ପର୍ଯ୍ୟନ୍ତ ପଥର ନନ୍ଦରେ ନିର୍ମାଣ ହୋଇଥିବାବେଳେ ସମ୍ପୂର୍ଣ ଅକ୍ଷତ ଅବସ୍ଥାରେ ରହିଛି ।

କିନ୍ତୁ ବ୍ଲକ ପ୍ରଶାସନ ଏଗୁଡିକର ପୁନରୁଦ୍ଧାର କରିବା ପାଇଁ ପଛଘୁଞ୍ଚା ଦେଉଛି । ସ୍ଥାୟୀ ଲୋକ ଅଦାଲତଙ୍କ ହସ୍ତକ୍ଷେପ ପରେ ବିଡ଼ିଓ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକ୍ଷ ରଖି ଜବାବ ଦେବା ପାଇଁ ନୋଟିସ କରିଥିଲେ । କିନ୍ତୁ ସମ୍ପୃକ୍ତ ଦିନରେ ବିଡ଼ିଓ ନିଜେ ଉପସ୍ଥିତ ନରହି ଲିଖିତ ବିବୃତି ଦେଇଛନ୍ତି ଯେ କୂଅର ପୁନରୁଦ୍ଧାର ପାଇଁ ୨୯.୧.୨୧ରିଖରେ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ୨୦୨୧-୨୨ରେ କୂଅ ମରାମତି ପାଇଁ ୫୦ ହଜାର ଟଙ୍କା ଅନୁମୋଦନ ଲାଭ କରିଛି । କିନ୍ତୁ ସେହି ଏକା ବର୍ଷରେ କାମଟି ହୋଇପାରିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ କାର୍ଯ୍ୟଟି ଯେତେ ଶୀଘ୍ର ସମ୍ଭବ ଆରମ୍ଭ ହେବ । ଅନ୍ୟପଟେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ମାନସିଂହ ସ୍ଥାୟୀ ଲୋକ ଅଦାଲତଙ୍କ ନିକଟରେ ହାଜର ହୋଇ ଲେଖି ଜଣାଇଛନ୍ତି ଯେ ୭.୧.୨୦ ପୂର୍ବରୁ ମଶାଣିଆ ଗ୍ରାମରେ ଦୁଇଟି ସରକାରୀ କୂପ ରକ୍ଷଣାବେକ୍ଷଣ ବାବଦରେ କରିଥିବା ଅଭିଯୋଗର କୌଣସି ତଥ୍ୟ ତାଙ୍କ ନିକଟରେ ଉପଲବ୍ଧ ନଥିଲା । ଜନସୂଚନା ଅଧିକାରୀ ବେଗୁନିଆଙ୍କ ପତ୍ର ସଂଖ୍ୟା ୩୨୬୬ ତା୭.୧୦.୨୦ ପାଇବାପରେ ଦରଖାସ୍ତକାରୀଙ୍କ ଅଭିଯୋଗ ଜାଣିବାକୁ ପାଇଲି ଏହାପରେ ଦରଖାସ୍ତକାରୀଙ୍କ ଠାରୁ ସବିଶେଷ ତଥ୍ୟ ଜାଣିବା ପରେ କୂପ ୨ଟିର ପୁନରୁଦ୍ଧାର କାର୍ଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଏଷ୍ଟିମେଟ ପ୍ରସ୍ତୁତି ନିମନ୍ତେ ଜଣାଇଥିଲେ । ପଞ୍ଚମ ଅର୍ଥ କମିଶନ ଯୋଜନାରେ ଉକ୍ତ ପ୍ରକଳ୍ପ ନିମନ୍ତେ ୫୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । କିନ୍ତୁ ଜନସାଧରଣରେ ପ୍ରଶ୍ନ ହେଉଛି ଯେ୨୯.୧.୨୧ ରୁ ୫୦ ହଜାର ଟଙ୍କାର ଅନୁମୋଦନ ମିଳିଥିବା ବେଳେ ଏବଂ ଜନସାଧାରଣ ପାଣି ପାଇଁ ଅକଥନୀୟ ଅବସ୍ଥା ଭୋଗ କରୁଥିବା ସମୟରେ ୧୫ ମାସ ମଧ୍ୟରେ କାର୍ଯ୍ୟ ହୋଇପାରିଲା ନାହିଁ । ଏବେ ଗ୍ରୀଷ୍ମ ଉତ୍ତାପରେ ଲୋକମାନେ ପାଣି ପାଇଁ ଛଟପଟ ହେଉଥିବାବେଳେ ଟଙ୍କା ଥାଇ ବର୍ତମାନ କୂଅ କାମ କରାଯାଇ ପାରୁନାହିଁ । ତା’ହେଲେ ବର୍ଷା ଆସିବା ପରେ କ’ଣ ପ୍ରଶାସନ କୂଅ କାମ ଆରମ୍ଭ କରିବ ନାଁ ଏହିଭଳି ବ୍ୟବସ୍ଥା ଭିତରେ ଆଉ କେତେବର୍ଷ ଅତିକ୍ରମ କରିବ ତାହା ଦେଖିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି ।

Leave a Reply

Your email address will not be published. Required fields are marked *