ପାନୀୟ ଜଳ ସମସ୍ୟାକୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି ନାଗରିକ ସମନ୍ୱୟ ସମିତିର ସଦସ୍ୟମାନେ

ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରେ ନିୟମିତ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ନାଗରିକ ସମନ୍ୱୟ ସମିତିର ସଦସ୍ୟମାନେ ବୁଧବାର ପୂର୍ବାହ୍ନରେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାଗ୍ୟଧର ମହାନ୍ତିଙ୍କୁ ଘେରିଛନ୍ତି । ଏହି ଅବସରରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଭତରା, ମହାବୀରପଡ଼ା, ଧମା, ଧନୁପାଲି, ଶିବ ନଗର, ଗୋପାଲ ବିହାର, ଶ୍ରୀବିହାର, ଭବାନି ଫିଲ୍ଡ, ଶଙ୍କର ମଠ, ଗୋବିନ୍ଦତୋଲା ଅଞ୍ଚଳରେ ବର୍ଷତମାମ ପାନୀୟ ଜଳ ଯୋଗାଣର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅଞ୍ଚଳ ଗୁଡିକରେ ୨୪ ଘଣ୍ଟାର ବ୍ୟବଧାନ ମଧ୍ୟରେ ମାତ୍ର ୩୦ ରୁ ୩୫ ମିନିଟ ଜଳ ଯୋଗାଣ ହେଉଥିବା ବେଳେ କୌଣସି ସୂଚନା ପ୍ରଦାନ ନ କରି ସମ୍ପୁର୍ଣ୍ଣ ଜଳ ଯୋଗାଣ ବନ୍ଦ କରିବା ଉପରେ ସଦସ୍ୟମାନେ ପ୍ରତିକ୍ରିୟା ପ୍ରକାଶ କରି ଉଦବେଗ ପ୍ରକାଶ କରିଥିଲେ । ବାରମ୍ବାର ଏହି ଅଞ୍ଚଳର ସମସ୍ୟା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦିଆଯାଉଥିବା ବେଳେ ସମସ୍ୟା ସମାଧାନ ଦିଗରେ ଅଧିକାରୀମାନେ ତତ୍ପରତା ପ୍ରକାଶ ନ କରିବା ଏବଂ ସ୍ଥିତି ନ ପରଖି ସମସ୍ୟା ଅଧିକ ଗୁରୁତର ହେବାରେ ଲାଗିଛି ।

ଅନେକ ସମୟରେ ଅଞ୍ଚଳରେ ଗୋଳିଆ ପାଣି ଆସିବା ସହିତ ଅନେକ ସମୟରେ ରାସ୍ତାରେ ପାଣି ଅପଚୟ ମଧ୍ୟ ହେଉଥିବାର ବିଭାଗୀୟ ଅଧିକାରୀଙ୍କ ଧ୍ୟାନକୁ ସଦସ୍ୟମାନେ ଆଣିଥିଲେ । ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ନ ଆସେ ତାହା ହେଲେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ କମିଟିର ସଭାପତି ରାଜେନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି । କମିଟିର ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା ସମୟରେ ସହକାରୀ ନିର୍ବାହୀ ଗୁଲସନ ସାହୁ, ଧନୁପାଲି ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂ ଙ୍କ ସମେତ ଦାମୋଦର କର, ବିଶ୍ୱରଞ୍ଜନ ପତି, ଅଶୋକ ବେହେରା, ତପନ ଗୁରୁ, ବ୍ରଜେନ୍ଦ୍ର ନାୟକ, ବିଜୟଲକ୍ଷ୍ମୀ ବେହେରା, ପ୍ରକାଶ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଗୁରୁ ଓ ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *