ବିକାଶ ନାଁ’ରେ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା, ତଥାପି ଶାନ୍ତିକାନନରେ ଶାନ୍ତି ନାହିଁ

ବାଲେଶ୍ବର : ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନକୁ ବାଲେଶ୍ବର ପୌରପାଳିକା ପକ୍ଷରୁ ବିଭିନ୍ନ ସମୟରେ ଲକ୍ଷଲକ୍ଷ ଖର୍ଚ୍ଚ କରାଯାଇ ଉନ୍ନତୀକରଣ କରାଯାଇଛି । ହେଲେ ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଶାନ୍ତିକାନନ ଏବେ ଶ୍ରୀହୀନ ହୋଇପଡ଼ିଛି ।

ସୂଚନା ଥାଉକି, ଅମୃତ ଯୋଜନାରେ ଏହି ପାର୍କର ଉନ୍ନତୀକରଣ କରାଯାଇଥିଲା । ପୋଖରୀ ଚାରିପାଖରେ ପଥର ପ୍ୟାଚିଂ କରାଯିବା ସହ ପାର୍କରେ ବିଭିନ୍ନ ପ୍ରକାର ଗଛ, ଜିମ୍‌ ଉପକରଣ, ଛୋଟ ଛୋଟ ପିଲାମାନଙ୍କ ପାଇଁ ‌ଖେଳକୁଦର ବ୍ୟବସ୍ଥା କରାଯାଇଥିଲା । ସେହିପରି ପାର୍କ ପାଚେରୀକୁ ଲାଗି ଚାରିପଟେ ପାଦଚଲା ରାସ୍ତା ମଧ୍ୟ କରାଯାଇଥିଲା । ଏହା ପ‌େର ଏଠାରେ ୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ଓ ପୋଖରୀ ଭିତରେ ରଙ୍ଗୀନ ଆଲୋକ ସହ ଜଳଫୁଆରା ଲଗାଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି, ଏହି ପାର୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ପୌର କର୍ତ୍ତୃପକ୍ଷ ତା’ର ରକ୍ଷଣାବେକ୍ଷଣ କାହିଁକି କରୁନାହାନ୍ତି । ଶାନ୍ତିକାନନ ପରିସର ପୋଖରୀ ଭିତରେ ଗତ ସେପ୍ଟେମ୍ବର ମାସ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜଳଫୁଆରା ଲଗାଯାଇଥିଲା । ହେଲେ ଗୋଟିଏ ମାସ ପରେ ଏହାକୁ ବନ୍ଦ କରିଦିଆଗଲା । ଏବେ ବୁଝିବାରୁ ତାହା ଅଚଳ ହୋଇଯାଇଥିବା କୁହାଯାଇଛି । ଜଳ ଅମଳ ପ୍ରକଳ୍ପ ପାଇଁ ୨ଟି ପିଟ୍‌ ସ୍ଥାପନ କରାଯାଇଥିବା ବେଳେ ତାହା କାମରେ ନଆସୁଣୁ ମାଟିରେ ମିଶିଗଲାଣି ।

ଛୋଟ ଛୋଟ ପିଲାଙ୍କ ଖେଳକୁଦ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଏବଂ ବଡ଼ ଲୋକଙ୍କ ପାଇଁ ଜିମ୍‌ ଉପକରଣଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ସେଗୁଡ଼ିକୁ ଆଉ ସଜାଡ଼ୁ ନାହାନ୍ତି । ପାର୍କକୁ ବୁଲି ଆସୁଥିବା ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ବେଞ୍ଚ ପଡ଼ିଛି, ହେଲେ ସେଗୁଡ଼ିକ ଅପରିଷ୍କାର ହୋଇ ନଷ୍ଟ ହେବାକୁ ବସିଲାଣି । ସେହିପରି ପୋଖରୀ ଓ ପାର୍କ ନିୟମିତ ସଫା କରାଯାଉନାହିଁ । ଯୁଆଡ଼େ ଦେଖିଲେ ଶୁଖିଲା ପତ୍ର, କାଠି ଆଦି ଭର୍ତ୍ତି ହୋଇଛି । ଘାସ ଗାଲିଚା ଓ ଫୁଲଗଛଗୁଡ଼ିକ ମଧ୍ୟ ଶୁଖିଗଲାଣି ।

ବା‌ଲେଶ୍ବର ସହରରେ ଲୋକଙ୍କ ଅବସର ବିନୋଦନ ପାଇଁ ଆବଶ୍ୟକ ପାର୍କ ନଥିବା ବେଳେ ଶାନ୍ତିକାନନ ପ୍ରତି ପୌର କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନାହାନ୍ତି । ଅଧିକାଂଶ ଲୋକ ପାର୍କକୁ ଅପରାହ୍ନ କିମ୍ବା ସଂଧ୍ୟା ସମୟରେ ଆସୁଥିବା ବେଳେ ପାର୍କରେ ବିଦ୍ୟୁତ୍‌ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବାରୁ ସଂଧ୍ୟା ୬ଟା ରୁ ଗେଟ୍‌ରେ ତାଲା ମାରିଦିଆଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାର୍କ ପରିଚାଳନା ଦାୟିତ୍ବରେ ଥିବା ପୌର ଅଧିକାରୀ କେବେ କେମିତି ମନେପଡ଼ିଲେ ଏଠାକୁ ଆସିଥା’ନ୍ତି ବୋଲି ଅଭିଯୋଗ ହୋଇଛି । ‌କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *