ରାଉରକେଲା : ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିନଥିବା ବାଲୁଘାଟରୁ ଚୋରାରେ ବାଲି ଚାଲାଣ ହେଉଥିଲା । ଉକ୍ତ ଚୋରା ବାଲି ଭର୍ତ୍ତି ଟ୍ରକ୍ ଜଣେ ଅବସରପ୍ରାପ୍ତ ସୈନିକଙ୍କୁ ଧକ୍କା ଦେବାରୁ ସମଗ୍ର ଘଟଣା ନଜରକୁ ଆସିଥିଲା । ସେକ୍ଟର-୧୫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଜବତ କରିଥିବାବେଳେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନି । ବିଡ଼ମ୍ବନା, ଏନେଇ ରାଉରକେଲା ତହସିଲ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ । ଘଟଣା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ତହସିଲ କର୍ତ୍ତୃପକ୍ଷଙ୍କ ନଜରକୁ ନ ଆସିବା ପଛରେ ଭିନ୍ନ କାରଣ ଲୁଚିରହିଥିବା ଆଲୋଚନା ହେଉଛି ।
ଗତ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସେକ୍ଟର-୧୬, ଏ-୧୯୪ କ୍ବାର୍ଟର ପାର୍ଶ୍ୱ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍(ଓଡି-୧୪-ଏ-୧୨୧୮) ଜଣେ ଅବସରପ୍ରାପ୍ତ ସୈନିକଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହେବାରୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ୩ ଦିନ ବିତିଲାଣି; ତଥାପି କୌଣସି ମାମଲା ରୁଜୁ ହୋଇନି କିମ୍ବା ତହସିଲ କର୍ତ୍ତୃପକ୍ଷ ବି ଅବଗତ ନୁହନ୍ତି । ରୀତିମତ ବାଲି ଚୋରି ଘଟଣାରେ ବାଲିମାଫିଆ-ତହସିଲ କର୍ତ୍ତୃପକ୍ଷଙ୍କକ ଅସାଧୁ ମେଣ୍ଟ ଅଭିଯୋଗ ହୁଏ ।
ଉଲ୍ଲେଖଯୋଗ୍ୟ, ପାନପୋଷ ତହସିଲ ଅଧିନରେ ୭ଟି ବାଲୁଘାଟ ରହିଛି । ସେଗୁଡ଼ିକ ହେଲା- ବାଲୁଘାଟ, କୋଏଲନଗର, ସେକ୍ଟର-୧୬ ତୁମକେଲା, ପ୍ରଧାନପଲ୍ଲୀ ତରକେରାରେ ଅବସ୍ଥିତ । ଏଥିମଧ୍ୟରୁ ୫ଟି ବାଲୁଘାଟର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ବାଲି ଉଠାଣ ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଦୁଇ ବାଲୁଘାଟ, ଯଥା-ସେକ୍ଟର-୧୬ ତୁମକେଲା ଓ ପ୍ରଧାନପାଲି ବାଲୁଘାଟର ମଧ୍ୟ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି; କିନ୍ତୁ ଅତ୍ୟାବଶ୍ୟକ ପରିବେଶ ସମ୍ବନ୍ଧିତ ଅନୁମତି ମିଳିପାରିନି । ଏଣୁ ଏହି ଦୁଇଟି ବାଲୁଘାଟରୁ ବାଲିଉଠାଇବା ସଂପୂର୍ଣ୍ଣ ବେଆଇନ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଗତିପଥରୁ ଏହା ସ୍ପଷ୍ଟ ହୁଏ ଯେ, ଏହା ତୁମକେଲା ବାଲୁଘାଟରୁ ହିଁ ଆସୁଥିଲା । ସେକ୍ଟର-୧୫ ପୁଲିସ ଟ୍ରକ୍କୁ ଜବତ କରିଥିବାବେଳେ ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପୁଲିସ ସୂଚନା ଦେଇଛି ।
ଅପରପକ୍ଷରେ ସମଗ୍ର ଘଟଣା ନେଇ ତହସିଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ । ଏନେଇ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ କହିଲେ, ଏ ଘଟଣା ଆମ ନଜରକକୁ ଆସିନି । ଏନେଇ ସେକ୍ଟର-୧୫ ପୁଲିସ ପକ୍ଷରୁ ମଧ୍ୟ ଆମକୁ ସୂଚନା ଦିଆଯାଇନି । କୁଆରମୁଣ୍ଡା ତହସିଲ ଅନ୍ତର୍ଗତ ବିଜୁ ଘାଟ ଓ ପସରା ଘାଟରୁ ମଧ୍ୟ ବାଲି ଉଠାଣ ହୋଇ ଏହି ସମାନ ରାସ୍ତାରେ ଆସିଥାଏ । ଏଣୁ ଉକ୍ତ ବାଲି ବୋଝେଇ ଟ୍ରକ୍ ନିର୍ଦ୍ଦିଷ୍ଟ କେଉଁ ବାଲୁଘାଟରୁ ଆସୁଥିଲା, ତାହା ତଦନ୍ତ ହେଲେ ଜଣାପଡ଼ିବବୋଲି କହିଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଚୋରାଚାଲାଣ ନିତିଦିନିଆ । ପ୍ରତିଦିନ ଟ୍ରକ୍, ଡମ୍ପରରେ ବାଲି ଚୋରାଚାଲଣ ହେଉଛି । ସମ୍ଭବତଃ ଅନୈତିକ ଭିତିରିଆ ସଲାସୁତୁରା ଯୋଗୁଁ ତହସିଲ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପୁଲିସ ସବୁଜାଣି ଚୁପ୍ ବସିଛି ।
