ସମସ୍ୟା ବଢ଼ାଇଛି ଇଟା ଫ୍ୟାକ୍ଟ୍ରି

ବରଗଡ଼ : ଅମ୍ବାପାଲି ନିକଟରେ ପାଉଁଶ ଗୁଣ୍ଡରୁ ଇଟା ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସମସ୍ତଙ୍କ ପାଇଁ ସମସ୍ୟା ବଢ଼ାଇଛି । ସ୍ଥାନୀୟ ଲୋକ ଏବଂ ଚାଷୀଙ୍କ ଅନୁରୋଧ ପରେ ବି ଫ୍ୟାକ୍ଟ୍ରି ମାଲିକ ପରବାଏ କରୁନାହାନ୍ତି । ବେଆଇନ୍‌ ଭାବେ ଥିବା ଏହି ଫ୍ୟାକ୍ଟ୍ରି ଏବେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ କାଳ ସାଜିଛି । ଫ୍ୟାକ୍ଟ୍ରି ପରିସର ଭିତରେ ବିଷାକ୍ତ ପାଉଁଶ ଗୁଣ୍ଡ ବିକ୍ଷିପ୍ତ ଭାବେ ପଡ଼ି ରହିଛି । ସାମାନ୍ୟ ପବନରେ ପାଉଁଶ ଗୁଣ୍ଡ ଜାତୀୟ ରାଜପଥ ଉପରକୁ ଛୁଟୁଛି । ଦିନ ହେଉ କି ରାତି, ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି ହୋଇଛି ।

ପ୍ରଥମତଃ ଏହି କାରଣରୁ ଦୁର୍ଘଟଣା ଘଟିବା ଆଶଂକା ରହିଛି । ଦ୍ବିତୀୟରେ ପଥଚାରୀମାନେ ଗୁଣ୍ଡରେ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି । ତେବେ କାହା ଛତ୍ରଛାୟା ତଳେ ଫ୍ୟାକ୍ଟ୍ରି ମାଲିକ ନିଜକୁ ସୁରକ୍ଷିତ ରଖିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।  ଜାତୀୟ ରାଜପଥ କଡ଼େ ଏହି ଫ୍ୟାକ୍ଟ୍ରି କରିବାକୁ ତାଙ୍କୁ କିଏ ଅନୁମତି ଦେଲା ? ଏହାର ଅବସ୍ଥିତି ନେଇ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ହେଁ କାହିଁକି ମାଲିକ ବିରୋଧରେ ପଦ‌କ୍ଷେପ ହେଉନାହିଁ ? ଏଭଳି ନାନାଦି ପ୍ରଶ୍ନ ଏବେ  ସାମନାକୁ ଆସିଛି । ଅନ୍ୟପକ୍ଷରେ ପ୍ରଶାସନିକ ସ୍ତରରେ କିଛି ପଦକ୍ଷେପ ନହେଲେ ସ୍ଥାନୀୟ ଲୋକେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *