ଗଣଶିକ୍ଷା ବିଭାଗରେ ୱାଟରବେଲ୍ କ୍ଲକ୍‌ କ୍ରୟ ଦୁର୍ନୀତି

କାକଟପୁର : ପୁରୀ ଜିଲ୍ଲା ଶିକ୍ଷା ବିଭାଗରେ ଏହାର ୱାଟରବେଲ୍ ଘଣ୍ଟା କ୍ରୟ ବାବଦରେ ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଖୋଦ୍‌ ନିଜ ଜିଲ୍ଲାରେ ଏପରି ଏକ ଦୁର୍ନୀତିର ଚେର ବିଦ୍ୟାଳୟରୁ ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ବି ଚର୍ଚ୍ଚା ହେଉଛି । ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନ କ୍ଲାସ୍‌ରୁମ୍‌ରେ ଯେଭଳି ନିୟମିତ ବ୍ୟବଧାନରେ ପାଣି ପିଇପାରିବେ, ସେଥିପାଇଁ ରାଜ୍ୟର ପ୍ରତି ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୧ ମାର୍ଚ୍ଚ ମାସରେ ୱାଟର୍‌ବେଲ୍‌ ଘଣ୍ଟା ଲଗାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା । ତେବେ, ସରକାରଙ୍କ ପକ୍ଷରୁ ଏହି ସତର୍କଘଣ୍ଟିଯୁକ୍ତ ୱାଟରବେଲ୍ ଘଣ୍ଟା ଯୋଗାଣରେ ସ୍ବଚ୍ଛତା ଅବଲମ୍ବନ କରାନଯାଇ ଜାଣିଶୁଣି ଏହାକୁ ଟେଣ୍ତର ପ୍ରକ୍ରିୟାରୁ ବଞ୍ଚିତ କରାଯାଇଥିଲା । ୱାଟରବେଲ୍‌ ଘଣ୍ଟା କେଉଁଠି ମିଳୁଛି ଏବଂ ଏହା କିଭଳି ଘଣ୍ଟା, ସେ ବାବଦରେ ବି ପ୍ରଧାନଶିକ୍ଷକମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ଏହାର ସୁଯୋଗ ନେଇ ଶିକ୍ଷା ବିଭାଗର କିଛି ପଦସ୍ଥ ଅଧିକାରୀମାନେ ଯୋଜନାବଦ୍ଧଭାବେ ଖସଡ଼ା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ରାଜଧାନୀ ଭୁବନେଶ୍ବରର ପଫିନିସ୍‌ ସପ୍ଲାୟର୍ସ ନାମକ ଏକ ସଂସ୍ଥା ଏହି ୱାଟରବେଲ୍ ଘଣ୍ଟା ଯୋଗାଇବା ପାଇଁ ହଠାତ୍ ଆବିର୍ଭାବ ହୋଇଥିଲା । ସେହି ସଂସ୍ଥାକୁ ସହଯୋଗର ହାତ ବଢାଇବାପାଇଁ ବ୍ଲକ୍‌ସ୍ତରୀୟ ଶିକ୍ଷା ଅଧିକାରୀ ଏବଂ ସିଆର୍‌ସିସିମାନେ ଆଗଭର ହୋଇଉଠିଥିଲେ । ୨୦୨୧ ମାର୍ଚ୍ଚ ମାସରେ ପ୍ରାୟ ୫ ଶହ ରୁ ୭ ଶହ ଟଙ୍କା ମୂଲ୍ୟର ଏହି ୱାଟରବେଲ୍ ଘଣ୍ଟାକୁ ପଫିନ୍ସ ସପ୍ଲାୟର୍ସ ୪ ହଜାର ଟଙ୍କା ମୂଲ୍ୟରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଣ ଆରମ୍ଭ କରିଥିଲା । ଏପରିକି ଯେଉଁ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି, ସେହି ବିଦ୍ୟାଳୟରେ ଶିକ୍ଷାଧିକାରୀମାନେ ପ୍ରଧାନଶିକ୍ଷକଙ୍କ ଉପରେ ଚାପ ପକାଇ ଅଧିକ ଘଣ୍ଟା କିଣାଇଥିଲେ ।

ଏବେ ଅନୁସନ୍ଧାନରୁ ସପ୍ଲାୟର୍ସ ପକ୍ଷରୁ ଯୋଗାଣ ହୋଇଥିବା ଘଣ୍ଟାରେ କୌଣସି କଂପାନିର ନାମ ଉଲ୍ଲେଖ ନଥିବାବେଳେ ସପ୍ଲାୟର୍ସ ଦେଇଥିବା ଜିଏସ୍‌ଟି ବିଲ୍ ମଧ୍ୟ ସମ୍ପୂର୍ଣ୍ଣ ଜାଲ ଓ ନକଲି । ବଜାରରୁ ଯେକୌଣସି ଇଲୋକ୍ଟ୍ରେନିକ୍ସ ସାମଗ୍ରୀ କ୍ରୟ ସମୟରେ କଂପାନି ପକ୍ଷରୁ ୱାରେଣ୍ଟି କିମ୍ବା ଗ୍ୟାରେଣ୍ଟି କାର୍ଡ ଯୋଗାଇ ଦିଆଯାଉଛି । ମାତ୍ର, ଏହି ୱାଟରବେଲ୍ ଘଣ୍ଟା କ୍ରୟ ବାବଦକୁ ସପ୍ଲାୟର୍ସ ପକ୍ଷରୁ ଏସବୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ଏପରିକି, ସପ୍ଲାୟର୍ସ ପକ୍ଷରୁ ଯୋଗାଣ ହୋଇଥିବା ଘଣ୍ଟା କ୍ରୟଜନିତ ଖଣ୍ତିଏ ଲେଖାଏଁ ରସିଦ୍‌କୁ ଜେରକ୍ସ କରି ଏକାଧିକ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଛି । ଯେହେତୁ ଏହି ଘଣ୍ଟା କିଣା ଘଟଣାରେ ବ୍ଲକ୍‌ସ୍ତରୀୟ ଶିକ୍ଷା ଅଧିକାରୀ ଓ ସିଆର୍‌ସିସିମାନେ ସମ୍ପୃକ୍ତ, ତେଣୁ ପ୍ରଧାନଶିକ୍ଷକମାନେ ସବୁ ଜାଣି ମଧ୍ୟ ନିରବ ରହିଛନ୍ତି ।

ଆହୁରି ମଧ୍ୟ ଜଣାପଡ଼ିଛି ଯେ କୁଆଡ଼େ ‘ଯାହା କରୁଛ କର ଆଗ କମ୍ପୋଜିଟ୍‌ ଗ୍ରାଣ୍ଟ୍‌ ଅର୍ଥରୁ ୪ ହଜାର ଟଙ୍କାର ଚେକ୍ ପଫିନସ୍‌ ସପ୍ଲାୟର୍ସ ନାମରେ ଦିଅ’ ବୋଲି ସିଆର୍‌ସିସିମାନେ ପ୍ରଧାନଶିକ୍ଷକମାନଙ୍କ ଉପରେ ଚାପ ପକାଇଥିଲେ । ଫଳରେ, ପ୍ରଧାନଶିକ୍ଷକମାନେ ବାଧ୍ୟହୋଇ ଏ ବାବଦ ଟଙ୍କାର ଚେକ୍ ସପ୍ଲାୟର୍ସକୁ ଦେଇଥିଲେ । ଯେତେବେଳେ କୋଭିଡ୍ –୧୯ ପାଇଁ ବିଦ୍ୟାଳୟ ବନ୍ଦ ରହିଥିଲା ଏବଂ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ, ଠିକ୍ ସେହି ସମୟରେ ଶିକ୍ଷା ବିଭାଗରେ ଏଭଳି ଦୁର୍ନୀତି ହେବା ସାଧାରଣରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ସାମଗ୍ରୀ ଯାଞ୍ଚ ଦାୟିତ୍ବରେ ଥିବା ସିଆର୍‌ସିସି, ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ବିଭାଗରେ ଅବସ୍ଥାପିତ ଆକାଉଣ୍ଟାଣ୍ଟ୍‌ମାନେ ଏହି ୱାଟରବେଲ୍‌ ଘଣ୍ଟା କ୍ରୟଜନିତ ନକଲି ରସିଦ୍‌କୁ ଅନୁଧ୍ୟାନ ନକରି ବିନିଯୋଗପତ୍ରକୁ ମଞ୍ଜୁର କରିଛନ୍ତି । ଏ ସମ୍ପର୍କରେ କାକଟପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ମନ୍ଦରଧର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଣ୍ଟା କିଣା ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଯଦି ଦୁର୍ନୀତି ହୋଇଥିବ, ତା’ର ତଦନ୍ତ କରାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *