ଗୋଟିଏ ପ‌ରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି, ହେଲେ ରୋଗୀଙ୍କୁ ଚିକିତ୍ସା ମିଳିପାରୁନି

ବାଲେଶ୍ବର : ସରକାର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଗୋଟିଏ ପ‌ରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି । ତା’ପରେ ବି ଅବ୍ୟବସ୍ଥା ସୁଧୁରୁନି । ସ୍ଥଳ ବିଶେଷର ରାଜ୍ୟରେ ଉନ୍ନତ ଚିକିତ୍ସା ସୁବିଧା ଯୋଗୁଁ ଜନସାଧାରଣ କେତେ ଉପକୃତ ହେଉଛନ୍ତି ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି ।

ଗତ ମାର୍ଚ୍ଚ ୨୮ ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ରାଇବଣିଆ ଅଞ୍ଚଳର ସିପିଆଇ(ଏମ୍‌) ନେତା ଜୟନ୍ତ ଘୋଷ ଗୁରୁତର ଆହତ ହୋଇଥିଲେ, ତାଙ୍କ ବାମ ହାତର ପାପୁଲି ଏବଂ ଆଙ୍ଗୁଳିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପ୍ରଥମେ ଜଳେଶ୍ବର ସିଏଚ୍‌ସି ଏବଂ ପରେ ବାଲେଶ୍ବର ମେଡିକାଲ କଲେଜକୁ ତାଙ୍କୁ ଅଣା ଯାଇଥିଲେ ହେଁ ଏଠାରେ କୌଣସି ଚିକିତ୍ସା ସୁବିଧା ଯୋଗାଇ ଦିଆନଯାଇ ସିଧା କଟକ ଏସ୍‌ସିବିକୁ ସ୍ଥାନାନ୍ତର କରି ଦିଆଯାଇଥିଲା । କଟକ‌େର ତାଙ୍କର ହାତ ପାପୁଲିର ତିନୋଟି ଆଙ୍ଗୁଳି ଭାଙ୍ଗିଥିବା ଜଣାଯାଇଥିଲା ଏବଂ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲା ।

ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଶ୍ରୀ ଘୋଷ ସେଠାରେ ରହିବା ପ‌େର ମଧ୍ୟ ଚିକିିତ୍ସାର କୌଣସି ବ୍ୟବସ୍ଥା କରାଗଲା ନାହିଁ । ଅପରପକ୍ଷେ କଟକ ଏସ୍‌ସିବି ମେଡିକାଲ କଲେଜର ଅସ୍ଥି-ଶଲ୍ୟ ବିଭାଗ ପ୍ରଫେସର ବାରିପଦା ମେଡିକାଲ କଲେଜରେ ଭଲ ଅସ୍ତ୍ରୋପଚାର ହୋଇପାରିବ କହି ତାଙ୍କୁ ଡିସ୍‌ଚାର୍ଜ କରାଇଦେଲେ । ଏହାପରେ ଗତ ୯ ତାରିଖ ରାତିରେ ସେ ବାରିପଦା ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । ଏଠାରେ ମଧ୍ୟ ସମାନ ଅବସ୍ଥା । ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହେବା ପରେ ଏଠାକାର ଅସ୍ଥି-ଶଲ୍ୟ ବିଭାଗର ପ୍ରଫେସରଙ୍କୁ ସାକ୍ଷାତ କରିବାରୁ ତାଙ୍କ ନର୍ସିଂହୋମ୍‌କୁ ଗଲେ ସେ ଅସ୍ତ୍ରୋପଚାର କରିବେ ବୋଲି କହିଥିଲେ ।

ଏଥିପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଫେସର ତାଙ୍କୁ ଜଣାଇଥିଲେ । ପ୍ରଫେସରଙ୍କୁ ଶ୍ରୀ ଘୋଷ ନିଜ ନାଁରେ ଥିବା ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦେଖାଇବାରୁ ଏହାର କୌଣସି କାମ ନାହିଁ, ନଗଦ ଟଙ୍କା ଦେଲେ ଯାଇ ଅପ‌େରସନ୍‌ ଆରମ୍ଭ ହେବ ବୋଲି ସିଧା ଶୁଣାଇ ଚାଲି ଯାଇଥିଲେ । ଶ୍ରୀ ଘୋଷଙ୍କ ପରିବାର ପ୍ରଫେସରଙ୍କୁ ଯେତେ ଅନୁରୋଧ କରିଥିଲେ ହେଁ ସେ କିଛି ଶୁଣିନଥିଲେ । କିଛି ସମୟ ପରେ ଆସି ତାଙ୍କୁ ପୁଣି କଟକ ବଡ଼ ଡାକ୍ତରଖାନାକୁ ଯିବାକୁ ଲେଖି ଦେଇଥିଲେ । ରୋଗୀଜଣକ ବହୁ ହଇରାଣ ହେବା ପରେ ଶେଷରେ ବାଲେଶ୍ବର ମେଡିକାଲ କଲେଜରେ ଆସି ଭର୍ତ୍ତି ହୋଇଥିବା ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ଅତି ଗୁରୁତ୍ବ ସହ ନେଇ ବାଲେଶ୍ବର ସିପିଆଇ(ଏମ୍‌) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରିଚାଲିଥିବା ବେଳେ ସ୍ବାସ୍ଥ୍ୟସେବାରେ ଯଦି ଏପରି ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଛି ତା’ହେଲେ କେବେବି ସ୍ବାସ୍ଥ୍ୟ ସେବା ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ରୋଗୀଙ୍କୁ ଚିକିତ୍ସା‌, କ୍ଷତିପୂରଣ ଏବଂ ଚିକିତ୍ସାରେ ଅବହେଳା ଦେଖାଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଆଇଏମ୍‌ର ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିର୍ମଳ ନାୟକ, ବାଲେଶ୍ବର ଜିଲ୍ଲା ସମ୍ପାଦକ ସୀତାଂଶୁ ସେନାପତି ଏବଂ ପ୍ରେମରଂଜନ ପାତ୍ର ଓ ଶ୍ୟାମସୁନ୍ଦର ଜେନା‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *