ଯାଜପୁରରେ ‘ବସୁଧା ଯୋଜନା’ ବିଫଳ : ୫ଟି ବୃହତ୍‌ ପ୍ରକଳ୍ପ, ସବୁ ଅଧା

ଯାଜପୁର : ଯାଜପୁର ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହୋଇଛି ଅନେକ ଯୋଜନା । ଦୁର୍ନୀତି ପାଇଁ ବସୁଧା ଯୋଜନାରୁ ଲୋକେ ପାଣି ପାଉନଥିବା ବେଳେ ଅଧିକାଂଶ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ଶେଷ ପରେ ବି ଅଧା ଅଧୁରା । ଜିଲ୍ଲାର ୫ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏଯାଏଁ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି । ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖାନଦୀଗୁଡ଼ିକ ଯାଜପୁର ଜିଲ୍ଲାକୁ ଜାଲ ଭଳି ବିଛାଇ ହୋଇ ରହିଥିଲେ ମଧ୍ୟ ଲୋକେ ପାନୀୟ ଜଳ ପାଇଁ ଖରାଦିନେ କଲବଲ ହେଉଛନ୍ତି ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ୩୭ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୩୪ ଲକ୍ଷ ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ଠିକାସଂସ୍ଥା ଅଢେଇ ଗୁଣି ଅଧିକ ମୂଲ୍ୟ ୭୯ କୋଟି ୫୬ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ୨୦୨୧ ସେପ୍‌ଟେମ୍ବର ୩୦ରେ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଚୁକ୍ତି କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେହିପରି ଏହି ବ୍ଲକରେ ଅନ୍ୟ ୧୯ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଆଉ ଗୋଟିଏ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୯୨ ଲକ୍ଷ ଟଙ୍କା ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ୪୬ କୋଟି ୧୯ ଲକ୍ଷ ଟଙ୍କାରେ ୨୦୨୧ ନଭେମ୍ବର୧୨ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା । ମାତ୍ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ ।

ସରକାରୀ ତଥ୍ୟ ମୁତାବକ ଆହୁରି ମଧ୍ୟ ଏହି ବ୍ଲକ୍‌ରେ ୫୨ଟି ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୯୨ କୋଟି ୮୫ ଲକ୍ଷ ଟଙ୍କା ଟେଣ୍ଡର ଡକାଯାଇଥି‌ଲା । ଠିକାସଂସ୍ଥା ସହ ୧୦୭ କୋଟି ଟଙ୍କାରେ ଚୁକ୍ତି ହୋଇଥିଲା । ୨୦୨୧ ନଭେମ୍ବରରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଅଥଚ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ । ଦଶରଥପୁର ବ୍ଲକରେ ୧୫୨ଟି ଗାଁକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୧୬୫ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ୧୮୧ କୋଟି ୭୮ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଛି । ୨୦୨୧ ଡିସେମ୍ବର୧୬ରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ସୀମା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ବଡ଼ଚଣା ବ୍ଲକର ୨୨୧ଟି ଗାଁ ଓ ଧର୍ମଶାଳା ବ୍ଲକର ୨୪୫ ଟି ଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୩୦୫ କୋଟି ୯୮ ଲକ୍ଷ ଟଙ୍କା ଆକଳନ କରାଯାଇ ଟେଣ୍ଡର ଡକାଯାଇ,ଅଧିକ ମୂଲ୍ୟରେ ୩୩୫ କୋଟି ୭୨ ଲକ୍ଷ ଟଙ୍କାରେ ଚୁକ୍ତି କରାଯାଇଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ଡିସେମ୍ବର୧୬ରେ ଶେଷ ହେବାର ଥିଲା । ଏବେ ବି ମନ୍ଥର ଗତିରେ କାମ ଚାଲିଛି । ଜିଲ୍ଲାର ସମସ୍ତ ମେଗା ପ୍ରକଳ୍ପ ନିର୍ମାଣ କାମ ବାହାର ରାଜ୍ୟର ଠିକାସଂସ୍ଥାକୁ ଦିଆଯାଇଥିବା ବେଳେ ଆକଳନ ମୂଲ୍ୟ ଠାରୁ ଢେର ଅଧିକ ମୂଲ୍ୟରେ ଚୁକ୍ତି କରାଯାଇଛି । କିନ୍ତୁ ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ ହୋଇପାରୁନାହିଁ । ଏହି ନିର୍ମାଣ କାର୍ଯ୍ୟ ଓ ମାନ ତଦାରଖ ପାଇଁ ଆରଡବ୍ଲୁଏସଏସ ଡିଭିଜନ ଯନ୍ତ୍ରୀମାନେ କାର୍ଯ୍ୟସ୍ଥଳକୁ ଯାଉନାହାନ୍ତି । ଯାହାଫଳରେ କାର୍ଯ୍ୟର ମାନ ଓ ପାଇପ ବିଛେଇବା କାର୍ଯ୍ୟ ଠିକ ହେଉନଥିବା ଏବଂ ବ୍ୟବହୃତ ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *