ରା.ଉଦୟଗିରି : ‘ରାସ୍ତା କାମରେ ବନ ବିଭାଗ ବାଧକ ସାଜିଛି । ଫଳରେ କାମ ଆଗକୁ ବଢ଼ିପାରୁନି । କିନ୍ତୁ କାଠମାଫିଆମାନଙ୍କୁ ବିଭାଗୀୟ କର୍ମଚାରୀମାନେ ପ୍ରତ୍ୟକ୍ଷରେ ପ୍ରୋତ୍ସାହିତ କରୁଛନ୍ତି’ । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ସିଆଳିଲଟି ପଞ୍ଚାୟତର ତଇଲ ଗ୍ରାମବାସୀ ଗତ କିଛି ଦିନ ହେଲା ଏହି ଅଭିଯୋଗ ଉଠାଇ ଆସୁଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଶେଷରେ ଦାବି ପୂରଣ ପାଇଁ ଗ୍ରାମବାସୀ ଜଙ୍ଗଲକୁ ନିଆଁ ଲିଭାଇବାକୁ ଆସିଥିବା ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ଗତ ୨୪ ଘଣ୍ଟା ହେଲା ଅଟକ ରଖିଛନ୍ତି । ରାସ୍ତା କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ଛାଡ଼ିବୁନି ବୋଲି ଚେତାବନୀ ଦେଇଛନ୍ତି । ଅଟକ ଦୁଇଜଣ କର୍ମଚାରୀ ହେଲେ, ମହେନ୍ଦ୍ରଗଡ଼ର ଶିବଶଙ୍କର ଦଳାଇ ଓ ଅମିତ ସାହୁ । ଉଭୟ ଗତକାଲି ଅପରାହ୍ଣ ୪ଟା ରୁ ତଇଲ ଗ୍ରାମବାସୀଙ୍କ ହେପାଜତରେ ଅଛନ୍ତି ।
ଶିବଶଙ୍କର ଓ ଅମିତ ଗତକାଲି ବନାଞ୍ଚଳରେ ନିଆଁ ଲାଗିଥିବା ଖବର ପାଇ ତଇଲ ଗ୍ରାମରେ ପହଞ୍ଚିଥିଲେ । ଏହି ସମୟରେ ଗ୍ରାମବାସୀ ଉଭୟଙ୍କୁ ଘେରିଯାଇ ପ୍ରଶ୍ନ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏହି ଅଞ୍ଚଳରୁ ରାତିରେ ମାଫିଆମାନେ ମୂଲ୍ୟବାନ କାଠ ଟ୍ରାକ୍ଟର୍ ଯୋଗେ ଚାଲାଣ କରୁଛନ୍ତି । ହେଲେ ବନ ବିଭାଗ କର୍ମଚାରୀ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି ।
କିନ୍ତୁ, ରାସ୍ତାଟିଏ ନିର୍ମାଣ ପାଇଁ ଆମକୁ କ୍ଲିୟରାନ୍ସ୍ ମିଳୁନି । ଦୁଇବର୍ଷ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାମ ବନ୍ଦ ରହିଛି । ଠିକାଦାର କାମ କରିବାକୁ ଆସୁନାହାନ୍ତି । ବନ ବିଭାଗ ଅସୁବିଧା ସୃଷ୍ଟି କରୁଛନ୍ତି । ସ୍ୱୟଂ ସହାୟିକା ଦଳ ମିଳିତ ଭାବେ ୨୦ ଦିନ କାମ କରି ନିଜେ ମାଟି ପକାଇଲେ । ହେଲେ, କେତେ ଦିନ ଏମିତି ଚାଲିବ । ପକ୍କା ରାସ୍ତା ନିର୍ମାଣ ହେଲେ ସମସ୍ତଙ୍କର ସୁବିଧା ହେବ । ଅଥଚ କାହିଁକି ସହଯୋଗ କରାଯାଉନାହିଁ ବୋଲି ତଇଲ ଗ୍ରାମର ଗୁପ୍ତେଶ୍ୱର ଓ ଉଜ୍ଜ୍ବଳେଶ୍ୱର ସ୍ୱୟଂ ସହାୟିକା ଦଳର ସଭ୍ୟାମାନେ ରାମଗିରି ବନ ବିଭାଗକୁ ଦାୟୀ କରି ପ୍ରଶ୍ନ କରିଛନ୍ତି ।
ରାସ୍ତା ଅଭାବରୁ ଆମେ କେମିତି ମେଡିକାଲ ଯାଉଛୁ, କେତେ ଜଣ ମରୁଛୁ, କେତେ ଜଣ ଫେରୁଛୁ ଏହା ବନ ବିଭାଗର ଉଚ୍ଚପଦସ୍ଥ ପଦାଧିକାରୀ ଭାବିବା ଦରକାର ବୋଲି ଉଭୟ ଦଳର ସଭାନେତ୍ରୀ ଓ ସଂପାଦିକା ସୁକାନ୍ତି ନାୟକ, ସୁବାସିନୀ ନାୟକ ଓ କୁରି ଦଳେଇ କହିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ସହଯୋଗର ହାତ ବଢ଼ାଇବାକୁ ଦାବି ହୋଇଛି ।
ଅନ୍ୟପକ୍ଷରେ ଉଭୟ କର୍ମଚାରୀଙ୍କୁ ଗ୍ରାମବାସୀ ୨୪ ଘଣ୍ଟା ହେଲା ଅଟକ ରଖିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ରେଞ୍ଜର୍, ପୁଲିସ ଓ ତହସିଲଦାର ଆସନ୍ତାକାଲି ତଇଲ ଗ୍ରାମକୁ ଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେମାନେ ପହଞ୍ଚି ପୁନଃ ରାସ୍ତା କାମ କେବେ ଆରମ୍ଭ ହେବ ପ୍ରତିଶ୍ରୁତି ଦେଲେ ହିଁ, କର୍ମଚାରୀ ଦୁହେଁ ମୁକୁଳିବେ ବୋଲି ଗ୍ରାମବାସୀ କହିଛନ୍ତି ।
