କେନ୍ଦ୍ରାପଡ଼ା : କେଶବ ମଳିକ, ୨୦ ମାସ ତଳୁ ମୃତ୍ୟୁ ହେଲାଣି । ସେହିପରି, ମାନଗୋବିନ୍ଦ ନାୟକ, ୧୭ ମାସ ହେବ ଏ ଦୁନିଆରେ ନାହାନ୍ତି । ଉଭୟଙ୍କ ଘର ରାଜକନିକା ବ୍ଲକ୍ ତରାସ ପ˚ଚାୟତ ଗୁଆଳି ଗାଁରେ । ହେଲେ ଉଭୟ ମୃତକଙ୍କ ନାଁରେ ଭତ୍ତା ଟଙ୍କା ମାସକୁ ମାସ ଉଠୁଛି । ଗଲା ମାର୍ଚ୍ଚରେ ବି ଟଙ୍କା ଉଠାଯାଇଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି । ପରିବାର ଲୋକ କହୁଛନ୍ତି ଆମେ ଜାଣିନାହୁଁ କି ମୃତ୍ୟୁ ପରଠୁ କେବେ ଭତ୍ତା ଟଙ୍କା ଗ୍ରହଣ କରିନାହୁଁ । ଏଭଳି ସ୍ଥିତିରେ ୨୦୨୦ ମସିହାରେ ମୃତ୍ୟୁ ହୋଇଥିବା ଦୁଇ ବୃଦ୍ଧଙ୍କ ନାଁରେ କିଏ ଏତେ ମାସ ହେଲାଣି ଭତ୍ତା ଟଙ୍କା ଉଠାଉଛି, ତାହାର ତଦନ୍ତ ଦାବି ଜିଲ୍ଲାପାଳଙ୍କ ପାଖେ ହୋଇଛି । ଏହି ଦୁଇ ବ୍ୟକ୍ତିଙ୍କ ଘଟଣାକୁ ଯଦି ଉଦାହରଣ ଭାବେ ନେବା, ତେବେ ସାରା ଜିଲ୍ଲାରେ ଭତ୍ତା ବଣ୍ଟନ ନାଁରେ କିଭଳି ବଡ଼ଧରଣର କେଳେଙ୍କାରୀ ଚାଲିଛି, ତାହା ସହଜେ ଅନୁମାନ କରିହେବ ।
ଆଶ୍ଚର୍ଯ୍ୟର କଥା ହେଉଛି, ତରାସ ପ˚ଚାୟତରେ ଭତ୍ତା କେଳେଙ୍କାରୀ ନୂଆ ନୁହେଁ । ଦୁଇ ବର୍ଷ ତଳେ ବି ଅନୁରୂପ କେଳେଙ୍କାରୀ ସାମ୍ନାକୁ ଆସିଥିଲା । ସେହି ଗୁଆଳି ଗାଁର ଗଙ୍ଗାଧର ନାୟକଙ୍କ ମୃତ୍ୟୁର ଦୁଇବର୍ଷ ଯାଏ ଭତ୍ତା ଟଙ୍କା ଉଠାଯାଉଥିଲା । ଗଣମାଧୢମରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ବିଡିଓ ଘଟଣାର ତଦନ୍ତ କଲେ । ଭତ୍ତା ଟଙ୍କା ହଡ଼ପର ପ୍ରମାଣ ମିଳିବା ପରେ ବି ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।
କେବଳ ତାଲିକାରୁ ସ୍ବର୍ଗତ ନାୟକଙ୍କ ନାଁକୁ ବାଦ୍ ଦେଇ କର୍ତୃପକ୍ଷ ହାତଝାଡ଼ି ବସିଗଲେ । ଏବେ ସମାନ କେଳେଙ୍କାରୀର ପୁନରାବୃତ୍ତି ଦେଖିବାକୁ ମିଳିଛି ସେହି ଗାଁର ଆଉ ଦୁଇ ମଲା ଲୋକଙ୍କ କ୍ଷେତ୍ରରେ । ବୃଦ୍ଧ କେଶବ ମଳିକଙ୍କ ୨୦୨୦, ଜୁଲାଇ ୧୮ ତାରିଖରେ ୭୦ ବର୍ଷ ବୟସରେ ହୃଦ୍ଘାତ କାରଣରୁ ମୃତ୍ୟୁ ଘଟିଥିଲା । ମାତ୍ର ମୃତ୍ୟୁର ୨୦ ମାସ ପରେ ବି ସ୍ବର୍ଗତ ମଳିକଙ୍କ ନାଁରେ ମାସକୁ ମାସ ଭତ୍ତା ଟଙ୍କା ଉଠାଯାଉଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି । ଅନୁରୂପ ଚିତ୍ର ମାନଗୋବିନ୍ଦ ନାୟକଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି ।
ବୟସାଧିକ କାରଣରୁ ୨୦୨୦, ଅକ୍ଟୋବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏବେବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଛି । ଗତ ମାର୍ଚ୍ଚରେ ବି ଉଭୟଙ୍କ ନାଁରେ ଟଙ୍କା ଉଠିଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ଉଭୟଙ୍କ ଭତ୍ତା ଗୋଟିଏ ଦିନ ୨୦୧୬, ଅକ୍ଟୋବର ୨୬ ତାରିଖରେ ହିଁ ମ˚ଜୁର ହୋଇଥିଲା । କେଶବଙ୍କ ଭତ୍ତା ଆଇଡି ନମ୍ବର ଓଆର-ଏ-୦୬୧୪୩୬୧୬ ହୋଇଥିବା ବେଳେ ମାନଗୋବିନ୍ଦଙ୍କ ଆଇଡି ନମ୍ବର ହେଉଛି ଓଆର-ଏ-୦୬୧୪୨୭୮୯ ।
ହେଲେ ପ୍ରଶ୍ନ ଉଠୁଛି, ଉଭୟଙ୍କର ୨୦୨୦ମସିହାରୁ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରଶାସନ କିଭଳି ସେମାନଙ୍କ ନାଁରେ ଭତ୍ତା ଟଙ୍କା ଇସ୍ୟୁ କରୁଛି ? କିଏ ଏମାନଙ୍କ ଭତ୍ତା ଟଙ୍କା ଉଠାଉଛି ? ସ୍ବର୍ଗତ କେଶବଙ୍କ ପୁଅ ଗଣେଶ ମଳିକ କହିଛନ୍ତି ଯେ ସେ ଗୋଆରେ ରହୁଛନ୍ତି । ବାପା ମରିବା ପରଠୁ ତାଙ୍କ ପରିବାରର କେହି ଭତ୍ତା ଟଙ୍କା ଆଣୁନାହାନ୍ତି । ସ୍ବର୍ଗତ ମାନଗୋବିନ୍ଦଙ୍କ ପୁଅ ଧନଞ୍ଜୟ ନାୟକ ବି ସମାନ କଥା ଦୋହରାଇଛନ୍ତି । ବାପାଙ୍କ ନାଁରେ ଭତ୍ତା ଉଠୁଥିବା ସ˚ପର୍କରେ ଜାଣିନାହିଁ । ଅନ୍ୟପକ୍ଷରେ ତରାସ ପ˚ଚାୟତ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ନାୟକ କହିଛନ୍ତି ଯେ ଭତ୍ତା ଟଙ୍କା ଜିଆର୍ଏସ୍ ବାଣ୍ଟନ୍ତି । ରେକର୍ଡ ଦେଖିଲା ପରେ ଯାହା କିଛି କହିଜହେବ ବୋଲି ସଫେଇ ଦେଇ ଶ୍ରୀ ନାୟକ ନିଜ ମୁଣ୍ତରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି ।
