କଟକ : ହାରିଲେ ବିଜେଡିର ହିଂସା ଫର୍ମୁଲା । ଆଠଗଡ଼ ପରେ ଢେଙ୍କାନାଳରେ ଶାସକ ଦଳର ଆତଙ୍କରାଜ ଅଭିଯୋଗ । ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼, ପୂର୍ବରୁ ହୋଇଥିଲା ଗୁଳିମାଡ଼ । ପୌର ନିର୍ବାଚନ ପରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ । ବିଜେଡିର ଆତଙ୍କରାଜ ଅଭିଯୋଗ । ୧୦ ଦିନ ଭିତରେ ଦୁଇ ଦୁଇ ଥର ପୌରାଧ୍ୟକ୍ଷାଙ୍କ ବାସଭବନକୁ ଦୁର୍ବୃତ୍ତଙ୍କ ଆକ୍ରମଣ ।
କେତେବେଳେ ଫାଙ୍କା ଗୁଳି ଚାଳନା ତ ଆଉ କେତେବେଳେ ଘର ବାହାରେ ବୋମାମାଡ଼ । ଶନିବାର ବିଳମ୍ବିତ ରାତିରେ ଢ଼େଙ୍କାନାଳ ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଗେଟ୍ ଉପରକୁ ବୋମା ପକାଇଛନ୍ତି ଦୁର୍ବୃତ୍ତ । ଯାହାର ଫୁଟେଜ ସିସିଟିଭିରେ କଏଦ ହୋଇଛି ।
ବୋମା ଫୁଟିବା ଦ୍ଵାରା ଘରର ଗେଟ୍, ଗାଡି ଓ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ସଦର ବିଜେଡି ବିଧାୟକ ସୁଧୀର କୁମାର ସାମଲଙ୍କ ସଂପର୍କୀୟ ଓ ସହଯୋଗୀ ଏଭଳି କାଣ୍ଡ ଘଟାଇଥିବା ପୌରାଧ୍ୟାକ୍ଷା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଅଫୁଟା ବୋମା ଜବତ ସହ ତଦନ୍ତ କରୁଛି ।
ଇଏ ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଗତ ୩୦ ତାରିଖରେ ପୌରାଧ୍ୟକ୍ଷାଙ୍କ ଘର ବାହାରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ କିଛି ଦୁର୍ବୃତ୍ତ । ଏଇ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ତା’ ପୂର୍ବରୁ କିଛି ଦିନ ତଳେ ଆଠଗଡ ନିର୍ବାଚନରେ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଚେୟାରମ୍ୟାନ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ ହୋଇଥିଲା । ଆହତ ଇଲା ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏଠି ବଡ ପ୍ରଶ୍ନ, ପଞ୍ଚାୟତ ହେଉ କି ପୌରାଧ୍ୟକ୍ଷ । ହିଂସା ପରେ ହିଂସାକାଣ୍ଡ । କାହିଁକି ହାରିବା ପରେ ଏତେ ଅସହିଷ୍ଣୁ ହୋଇଯାଉଛି ଶାସକ ଦଳ ? କେଉଁ ଭୟ ଘାରିଛି ବିଜେଡିକୁ ? ପଶ୍ଚିମବଙ୍ଗ ରାସ୍ତାରେ କି ଓଡ଼ିଶା ?
