ଯାଜପୁର : ମାଛ ଧରାଳିର ବନିଶୀ କଣ୍ଟାରେ ଲାଗି ନଦୀ ଗର୍ଭରୁ ଉଦ୍ଧାର ହେଲା ଭଗବାନ କୃଷ୍ଣଙ୍କର ଦେଢ ଫୁଟର ମୁଗୁନି ପଥର ବିଗ୍ରହ । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଅଂଚଳରେ ।
ଶ୍ରୀବନ୍ତପୁର ଅଂଚଳରେ ରହିଛି ଜୋକଡ଼ିଆ ବ୍ୟାରେଜ । ଏହି ବ୍ୟାରେଜ ନିକଟ ନଦୀରେ ପ୍ରତିଦିନ ବନିଶୀ ପକାଇ ମାଛ ଧରନ୍ତି ଶ୍ରୀବନ୍ତପୁର ଗ୍ରାମର ଖଲିଲ ଖାନ । ତେବେ ଚାରି ପାଞ୍ଚ ଦିନ ତଳେ ଖଲିଲ ବନିଶୀରେ ମାଛ ଧରୁଥିବା ସମୟରେ ବଡ଼ମାଛ ଲାଗିଛି ଭାବି ନଦୀରେ ବୁଡି ଦେଖିଲେ ଏକ ପଥର ମୂର୍ତ୍ତି ।
ସେ ସ୍ଥାନୀୟ ଲୋକଙ୍କୁ ଡାକି ନଦୀରୁ ମୂର୍ତ୍ତିଟିକୁ ଉଦ୍ଧାର କରି ଶ୍ରୀବନ୍ତପୁର ଠାକୁର ଘରେ ରଖିଛନ୍ତି । ଏହି ମୂର୍ତ୍ତିଟି ଦେଢଫୁଟ ଉଚ୍ଚତା ଓ ୪୫ କିଲୋ ହେବ ବୋଲ ଉଦ୍ଧାରକାରୀ କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କୃଷ୍ଣଙ୍କ ସେହି ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ ଲାଗୁଛି ।
