ରାଉରକେଲା : ନୀଳଗିରି ଡାକ୍ତରଖାନାରେ ସାମ୍ବାଦିକଙ୍କୁ ବେଡ଼ି ଘଟଣା ଚର୍ଚ୍ଚାରେ ପରେ ଏବେ ରାଉରକେଲାରୁ ସାମ୍ନାକୁ ଆସିଛି ପୁଲିସର ଦାୟିତ୍ବହୀନ ଦାଦାଗିରି । ପାର୍କିଂ ଫି’ ବାବଦକୁ ମାତ୍ର ୧୦ ଟଙ୍କା ମାଗିବାରୁ ୫ ଜଣ ନାବାଳକଙ୍କ ସହ ପାର୍କିଂ ଦାୟିତ୍ୱରେ ଥିବା ଯୁବକଙ୍କୁ ରାତିସାରା ଥାନାରେ ଅଟକ ରଖାଯାଇଛି । ଜଣେ କ୍ଷମତାଲୋଭୀ ଅଧିକାରୀଙ୍କ ଅନୈତିକ କାର୍ଯ୍ୟକଳାପ ପାଇଁ କିଭଳି ସମଗ୍ର ପୁଲିସ ବିଭାଗକୁ ବଦନାମ ସହିବାକୁ ପଡେ, ତା’ର ସ୍ପଷ୍ଟ ଉଦାହରଣ ହେଉଛି ସେକ୍ଟର-୭ ଥାନାରେ ଘଟିଥିବା ଏହି ଘଟଣା ।
ସେକ୍ଟର-୫ ଭଞ୍ଜ ମଣ୍ଡପରେ ଚାଲିଛି ହ୍ୟାଣ୍ଡଲୁମ ଏକ୍ସପୋ ପ୍ରଦର୍ଶନୀ ମେଳା ବାହାରେ ଥିବା ଖୋଲା ପଡ଼ିଆରେ ଦର୍ଶକଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିନୟ କୁମାର ରାମ ନାମକ ଜଣେ ଯୁବକଙ୍କୁ ସେକ୍ଟର-୭ ପୁଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପାର୍କିଂସ୍ଥଳରେ ଟିକେଟ କାଟିବା ଓ ଗାଡ଼ିର ସୁରକ୍ଷା ଦାୟିତ୍ୱରେ ବିନୟ କିଛି ସ୍ଥାନୀୟ ସ୍କୁଲ କଲେଜ ପଢୁଆ ପିଲାଙ୍କୁ ନିୟୋଜିତ କରିଛନ୍ତି । ପ୍ରାପ୍ତ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଜଣେ ମହିଳା ପୁଲିସ ଅଧିକାରୀ ସାଦାପୋଷାକରେ ମେଳା ବୁଲିବାକୁ ଆସିଥିଲେ ।
ସେ ନିଜ ସ୍କୁଟିକୁ ପାର୍କିଂସ୍ଥଳରେ ରଖିଥିଲେ । ସେତିକିବେଳେ ସେଠାରେ ନିୟୋଜିତ ଥିବା ଜଣେ ନାବାଳକ ୧୦ ଟଙ୍କା ଫି’ ମାଗିଦେବାରୁ ମହିଳା ପୁଲିସ ଅଧିକାରୀ ହଠାତ୍ ରାଗିଯାଇଥିଲେ । ସେ ନିଜକୁ ପୁଲିସ ଅଧିକାରୀ କହିବା ସହ ଫି’ଦେବାକୁ ସିଧାସଳଖ ମନା କରିଦେଇଥିଲେ । ପରେ ପୁଲିସ ଅଧିକାରୀ ଜାଣି ସମ୍ପୃକ୍ତ ନାବାଳକ ଜଣକ ଆଉ ଫି’ ମାଗିବାକୁ ସାହସ ଜୁଟାଇନପାରି ତାଙ୍କୁ ମେଳା ଭିତରକୁ ଯିବାକୁ ନିବେଦନ କରିଥିଲେ । କିନ୍ତୁ ତାଙ୍କୁ ପାର୍କିଂ ଫି’ ମଗା ଯିବାର କଥାରେ ଉକ୍ତ ମହିଳା ପୁଲିସ ଏତେ ରାଗି ଯାଇଥିଲେ ଯେ ସହରର ଅନ୍ୟ ଏକ ଥାନାର ଥାନାଧିକାରୀ ଥିବା ନିଜ ସ୍ୱାମୀଙ୍କୁ ଫୋନ୍କରି ଜଣାଇଥିଲେ ।
ଏହାର କିଛି ସମୟ ପରେ ସେକ୍ଟର-୭ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାର୍କିଂ ଷ୍ଟାଣ୍ଡ ମାଲିକ ବିନୟଙ୍କ ସମେତ ୫ ନାବାଳକଙ୍କୁ ଉଠାଇ ଆଣିଥିଲା । ରାତି ସାରା, ଅର୍ଥାତ ଗତକାଲି ରାତି ସାଢ଼େ ୯ ଟା ରୁ ଆଜି ପୂର୍ବାହ୍ନ ସାଢେ଼ ୧୦ ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଥାନାରେ ଅଟକ ରଖିଥିଲା ସେକ୍ଟର-୭ ପୁଲିସ । ସେମାନଙ୍କୁ କେବଳ ଅଟକ ରଖାଯାଇନଥିଲା, ସମସ୍ତଙ୍କ ବିରୋଧରେ ଦାଦାବଟି ମାଗିବା ଭଳି ସଙ୍ଗୀନ ମାମଲା ରୁଜୁ କରିଥିଲା ପୁଲିସ ।
ପ୍ରକାଶଥାଉକି, ରାତିସାରା ଥାନାରେ ଅଟକ ଥିବା ଜଣେ ଥିଲେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର । ଆଜି ସକାଳେ ତାଙ୍କର ପରୀକ୍ଷା ଥିବାବେଳେ ଥାନାରୁ ମୁକୁଳି କଲେଜ ପହଞ୍ଚିଲାବେଳକୁ ଆଜିର ପରୀକ୍ଷା ଶେଷ ହୋଇସାରିଥିଲା । ଏ ଘଟଣା ନେଇ ଏବେ ବି ଚାପା ଉତ୍ତେଜନା ଲାଗିରହିଛି ।
