ଏସ୍ ଏନ୍ ମାହାନ୍ତି ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା, ଵେଲଟରେ ଚାପିହୋଇ ଶ୍ରମିକ ମୃତ

ବଣାଇ : ବଣାଇ ସହର ନିକଟସ୍ଥ ବର୍ହାମୂଷା, ଦରେଇକଳା ଗ୍ରାମ ନିକଟରେ ଥିବା ଏସ୍ ଏନ୍ ମାହାନ୍ତି ସ୍ପଞ୍ଜ ଆଇରନ କାରଖାନାରେ ଆଜି ସକାଳୁ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ସବୁଦିନ ଭଳି ଆଜି ମଧ୍ୟ ସକାଳ ୬ଟା ରୁ ଶ୍ରମିକମାନେ ନିଜ ନିଜ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଲୁହାପଥର ଗୁଣ୍ଡ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ କୁର୍ଡା ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ଅଜିତ କୁମାର ମାହାନ୍ତ(୨୬) ହଠାତ୍ କ୍ରସର କନଭେୟର ଵେଲ୍ଟରେ ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।

ପୂର୍ବରୁ ମଧ୍ୟ ଏଠାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କାରଖାନା କର୍ତୁପକ୍ଷଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଫଳରେ ବିନା ସୁରକ୍ଷା ସରଞ୍ଜାମରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଵଣାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିସାନ ଘଟଣା ସ୍ଥଳରେ ଉପସ୍ଥିତ ରହି ମୃତ ଶ୍ରମିକଙ୍କ ପରିବାରକୁ କାରଖାନା କର୍ତୁପକ୍ଷଙ୍କ ତରଫରୁ ଉପଯୁକ୍ତ କ୍ଷତିପୂରଣ ଦେବା ନିମନ୍ତେ ଦାବି କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *