ଛଅ ବର୍ଷ ପରେ ବି ଗୋଷ୍ଠୀ ଶୌଚାଳୟ ପରିଚାଳନାରେ ଆସିନି ସୁଧାର

ଜୟପୁର : ଗତ ୬ ବର୍ଷ ହେବ ସହରର ବିଭିନ୍ନ ବସ୍ତି ଓ ସାହି ବାସିନ୍ଦାଙ୍କ ଶୌଚ ସୁବିଧା ପାଇଁ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟର ପରିଚାଳନାରେ ସୁଧାର ଆସି ପାରିନି । କେଉଁଠାରେ ପାଣି ଆସୁନି ତ ଆଉ କେଉଁଟି ଖୁଲା ମେଳା ଅବସ୍ଥାରେ ସେଭଳି ପଡ଼ିରହିଛି । ସହରରେ ଥିବା ୩୬ଟି ଗୋଷ୍ଠୀ ଶୌଚାଳୟରୁ ୨୬ଟିର ବ୍ୟବହାର ଗତ ବର୍ଷ ଠାରୁ ଆରମ୍ଭ ହୋଇଛି । ଏଥିରୁ ୯ଟିକୁ ସୁଲଭ ଶୌଚାଳୟ, ୧୪ଟିକୁ ମହିଳା ସ୍ବୟଂ ସହାୟକ ଦଳକୁ ପରିଚାଳାନା ଦାୟିତ୍ବ ଦିଆଯାଇଛି ।

ଏହା ସହ ଉପଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସରକାରୀ ଉଚ୍ଚବିଦ୍ୟାଳୟକୁ ଗୋଟିଏ ଲେଖାଏଁ ପରିଚାଳନା ପାଇଁ ଦାୟିତ୍ବ ଦିଆଯାଇଛି ।  ପରିଚାଳନା ପାଇଁ ପ୍ରତ୍ୟେକକୁ ୧୦ ହଜାର ଲେଖାଏଁ ପୌରପାଳିକା ପକ୍ଷରୁ ପ୍ରଦାନ କରାଯାଉଛି । ଏହା ବାଦେ ମଧ୍ୟ ଏଗୁଡିକର ପରିଚାଳନା ଠିକରେ ହେଉନଥିବା ଦେଖିବାକୁ ମିଳିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଖୁଲାମେଳା ରହିବା ସହ ଉପଯୁକ୍ତ ଦେଖାରଖା, ରକ୍ଷଣାବେକ୍ଷଣ ଅଭାବରୁ ପୁତ୍ତିଗନ୍ଦମୟ ହୋଇପଡ଼ିଛି ।

କିଛି  ଗୋଷ୍ଠୀ ଶୌଚାଳୟ ଗୁଡ଼ିକରେ ଅତ୍ୟାଧୁନିକ ସେବା ଓ ସୁବିଧା ଲୋକଙ୍କୁ ଯୋଗାଇବା ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ କରି ପୁନଃ ଉନ୍ନୟନ କାମ ଜାରୀ ରହିଥିବା ବେ‌ଳେ ଏହା ସରିବା ନାଁ ନେଉନି । ଜୟନଗର, ହାନାଗୁଡା, ଦଶହରାପଡ଼ିଆ , ହାଟପଦା, ମଣିକର୍ଣ୍ଣିକା ମଶାଣି, ଚିତ୍ତବିନୋଦନ କେନ୍ଦ୍ର, ଶିକ୍ଷକ କଲୋନୀ, ବେଢ଼ା ସାହି ଓ ଡିଆଇସି କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଗୋଷ୍ଠୀ ଶୌଚାଳୟ ଖତ ଖାଇଲାଣି । ଡିଆଇସି କାର୍ଯ୍ୟାଳୟ ପାର୍ଶ୍ବ ଗୋଷ୍ଠୀ ଶୌଚାଳୟକୁ ଯିବା ପାଇଁ ରାସ୍ତା ନଥିବା ବେଳେ ଏହାରି ମଧ୍ୟରେ ବିଷାକ୍ତ ଜୀବଜନ୍ତୁ, ସାପ ଆଦି ଘର କରି ସାରିଥିବା କହିଛନ୍ତି ଅଂଚଳବାସୀ ।

ଦୁରଦୃଷ୍ଟି ଅଭାବରୁ ଏହି ଗୋଷ୍ଠୀ ଶୌଚାଳୟ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ସାମାନ୍ୟ ବର୍ଷା ହେବା ମାତ୍ରକେ ନାଳ ପାଣି ସବୁ ଏହାରି ମଧ୍ୟରେ ପ୍ରବେଶ କରୁଥିବା ବି ଅଂଚଳବାସୀ କହିଛନ୍ତି । ଗୌଷ୍ଠୀ ଶୌଚାଳୟ ନାଁରେ ଲକ୍ଷାଧିକ ଟଙ୍କାର ବ୍ୟାପକ ହରିଲୁଟ୍ ହୋଇଛି, ଏହାର ବିଧିବଦ୍ଧ ତଦନ୍ତ କରାଯିବାର ବି ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ, ଆଇନଜୀବୀ ମାନେ ଦାବି କରିଛନ୍ତି । କିଭଳି ଏଗୁଡିକର ସଠିକ ପରିଚାଳନା ହୋଇପାରିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲ କହିଛନ୍ତି ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ।

Leave a Reply

Your email address will not be published. Required fields are marked *