ନକଲି ସାର ପାଇଁ କ୍ଷତିରେ ଚାଷୀ : କାର୍ଯ୍ୟାନୁଷ୍ଠାନ ନାହିଁ

ବାଲେଶ୍ବର : କେତେବେଳେ ଚାଷୀଙ୍କୁ ବିହନ ମିଳୁନି ତ କେତେବେଳେ ସାରର ଅଭାବ । ଆଉ କେତେବେଳେ କ୍ଷେତରେ ବିଷ ପକାଇ ଉଜୁଡ଼ିଯାଉଛି ଫସଲ । ଏହା ଉପରେ ପୁଣି ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଉପରେ ଦାଉ ସାଜୁଛି । ଏସବୁ ସମସ୍ୟା ସହ ଜୁଝି ଜୁଝି ଶେଷରେ ନିଜ ଝାଳବୁହା ଫସଲକୁ ବିକ୍ରି କରିବା ପାଇଁ ଚାଷୀଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି । ଦେଶବାସୀଙ୍କ ଭାତହାଣ୍ଡି ସାଜିଥିବା ଚାଷୀ ବର୍ଷସାରା ଏମିତି ଅସୁବିଧା ଭୋଗୁଛନ୍ତି । ଏବେ ଜିଲ୍ଲାରେ ଅଧିକାଂଶ ସମବାୟ ସମିତିରେ ସାର ନ ରହିବା ଏବଂ ସାରକୁ ନେଇ କଳାବଜାରୀ ମୁଖ୍ୟ ସମସ୍ୟା ପାଲଟିଛି ।

ଚାଷୀ ଠିକଣା ସ୍ଥାନରୁ ସାର ନ ପାଇ ବାହାରୁ ସାର କିଣୁଛନ୍ତି । ଅନ୍ୟପକ୍ଷରେ ଯେଉଁ ସାର ମିଳୁଛି ଏଥିରେ ଗୁଣବତ୍ତା ରହୁନଥିବା ଅଭିଯୋଗ ହୁଏ । ଏଥିପ୍ରତି କୃଷି ବିଭାଗ ପକ୍ଷରୁ ଯାଞ୍ଚ୍‌ କି ନମୁନା ପରୀକ୍ଷା ହେଉନାହିଁ । ମୁଣ୍ଡରୁ ଦୋଷ ଖସାଇବା ପାଇଁ ଯେଉଁ ହାତଗଣତି କେତୋଟି ନମୁନାକୁ ଭୁବନେଶ୍ବର ଲାବରୋଟୋରୀକୁ ପଠାଯାଉଛି ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବାରୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇପାରୁନାହିଁ । କୃଷି ବିଭାଗର ଏହି ଅବ୍ୟବସ୍ଥା ଭିତରେ ବଳି ପଡ଼ୁଛନ୍ତି ଚାଷୀକୁଳ । ଜିଲ୍ଲାରେ ୧୪୩ ସମବାୟ ସମିତି ରହିଥିବା ବେଳେ ଏଥିରୁ ୬୦ ପ୍ରତିଶତ ସମବାୟ ସମିତିରେ ସାର ନାହିଁ । ଧାନ କିଣିବାରେ ସମବାୟ ସମିତି ଯେତିକି ଗୁରୁତ୍ବ ଦେଉଛି ଚାଷୀଙ୍କ ପାଇଁ ସାର ରଖିବାକୁ ଗୁରୁତ୍ବ ଦେଉନାହିଁ । କର୍ମଚାରୀ ଅଭାବ, ଧାନ ଭର୍ତ୍ତି ରହିବା ଏବଂ ଗୋଦାମ୍‌ ନଥିବାରୁ ସାର ରଖିବା ସମ୍ଭବପୁର ନୁହେଁ ବୋଲି ସମିତି ସଫେଇ ଦେଉଛି । ଅନ୍ୟପକ୍ଷରେ ପୂର୍ବରୁ ଜିଲ୍ଲାକୁ ଖରିଫ୍‌ ଧାନ ଚାଷ ପାଇଁ ୫୫ ହଜାର ମେଟ୍ରିକ୍‌ ଟନ୍‌ ସାର ଆସୁଥିବା ବେଳେ ଏବେ ଏହା ୪୫ ହଜାର ମେଟ୍ରିକ୍‌ ଟନ୍‌ ଆସୁଛି । ସେହିପରି ରବି ଧାନ ଚାଷ ପାଇଁ ପାଖାପାଖି ୩୦ ହଜାର ମେଟ୍ରିକ୍‌ ଟନ୍‌ ଆସୁଥିବା ବେଳେ ଏବେ ୧୮ ହଜାର ମେଟ୍ରିକ୍‌ ଟନ୍‌ ଆସୁଥିବା ଜଣାଯାଇଛି ।

ସାର କଳାବଜାରୀକୁ ରୋକିବା ପାଇଁ କିଛିବର୍ଷ ତଳେ ସରକାର ସାର କିଣାରେ ସ୍ବଚ୍ଛତା ଆଣିଥିଲେ । ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୮ ଶହ ପାଖାପାଖି ରହିଥିବା ବ୍ୟବସାୟୀଙ୍କୁ ୭୨୦ ମେସିନ୍‌ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଆଧାରକାର୍ଡ ଦେଖାଇ ଚାଷୀଙ୍କୁ ବ୍ୟବସାୟୀ ସାର ଦେଉଛନ୍ତି । ବହୁ ସମୟରେ ଏହି ମେସିନ୍‌ ବ୍ୟବହାର କରାଯାଉନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚାଷୀଙ୍କୁ ଯେତେବେଳେ ସାର ଦରକାର ପଡ଼ୁଛି ଠିକ୍‌ ସମୟରେ ମିଳୁନାହିଁ । ନମିଳିବା ପଛରେ କାରଣ ବୁଝିବାରୁ, ସାର ଚାହିଦା ଟାର୍ଗେଟ୍‌ ପୂରଣ ହେଲା ପରେ ରୢାକ୍‌ ଆସୁଛି । ଅର୍ଥାତ୍‌ ଯେପର୍ଯ୍ୟନ୍ତ ରୢାକ୍‌ ପୂରଣ ନେଇ ଟାର୍ଗେଟ୍‌ ହୋଇନାହିଁ, ସେପର୍ଯ୍ୟନ୍ତ କମ୍ପାନିରୁ ସାର ଆସୁନାହିଁ । ଏହା ଭିତରେ ଚାଷୀ ବାଧ୍ୟ ହୋଇ ସାର ବାହାରୁ କିଣୁଛନ୍ତି ।

ବହୁ ସମୟରେ ବ୍ୟବସାୟୀ ଯେଉଁ ସାର ଦେଉଛନ୍ତି କିଛି ନବୁଝି ନଜାଣି ଚାଷୀ କ୍ଷେତ୍ରରେ ବ୍ୟବହାର କରୁଛନ୍ତି । ଆଉ ଅଧିକ ଅମଳ ଆଶା ରଖିଥିବା ଚାଷୀ ଶେଷରେ ଫସଲକୁ ଉଜାଡ଼ି ଦେଉଛି । ସେହିପରି ଯେଉଁ ବ୍ୟବସାୟୀଙ୍କ ଲାଇସେନ୍ସ ରହିଛି ସେମାନେ ସାର ଆଣି ଅନ୍ୟ ଦୋକାନୀଙ୍କୁ ଦେଉଛନ୍ତି । ଆଉ ପରେ ଏହି ସାର୍‌ରେ ନିମ୍ନମାନର ସାରକୁ ଭେଜାଲ କରି ଚାଷୀଙ୍କୁ ପ୍ରଦାନ କରାଯାଉଛି । ଅଧିକ ମୁନାଫା ପାଇଁ ସାରରେ ଅପମିଶ୍ରଣ କରାଯାଇ ଲାଭବାନ୍‌ ହେଉଛନ୍ତି ଦୋକାନୀ । କୃଷି ବିଭାଗ ପକ୍ଷରୁ ଯାଞ୍ଚ୍‌ ହେଉନଥିବାରୁ ଏହାର ପୂରା ଫାଇଦା ନେଉଛନ୍ତି ଦୋକାନୀ । ବଜାରରେ ନକଲି ସାର ମିଳୁଥିବା ଅଭିଯୋଗ ହୋଇଛି । ହେଲେ ଏ ଦିଗରେ ଆଦୌ ଯାଞ୍ଚ୍‌ ହେଉନାହିଁ ।

ସମବାୟ ସମିତିରେ ସାର ରହିଲେ ଏତେ କଳାବଜାରୀ ହୋଇପାରନ୍ତା ନାହିଁ ବୋଲି କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି । ଏ ନେଇ ପଚାରିବାରୁ ସାର ବିକ୍ରି ପାଇଁ ସମବାୟ ସମିତିକୁ ମେସିନ୍‌ ପ୍ରଦାନ କରାଯାଇଛି । ହେଲେ ବିଭିନ୍ନ ଆଳ ଦେଖାଇ ସମିତି ସାର ନେଉନାହିଁ । ଯାହାଫଳରେ ଚାଷୀ ବାହାରୁ ଅଧିକ ମୂଲ୍ୟରେ ସାର କିଣୁଛନ୍ତି । ଯେଉଁ ସମବାୟ ସାର୍‌ ନେଉନାହାନ୍ତି ସେମାନଙ୍କୁ ଦିଆଯାଇଥିବା ମେସିନ୍‌ ଫେରାଇବାକୁ ବାରମ୍ବାର ଚିଠି କରାଯାଇଛି । ହେଲେ କିଛି ସୁଫଳ ହୋଇନଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *