୩ ବର୍ଷରେ ଶହେ ଏକର ଜମି ଗିଳିଲାଣି ସୁବର୍ଣ୍ଣରେଖା

ଜଳେଶ୍ବର : ବାଲେଶ୍ବର ଜିଲ୍ଲାର ସମ୍ବେଦନଶୀଳ ନଦୀତଟ ଅଞ୍ଚଳ ଭାବେ ଚିନ୍ତା ବଢ଼ାଇଛନ୍ତି ଲକ୍ଷ୍ମଣନାଥ ଓ ବୀରେଶପୁର ଗାଁ । ସୁବର୍ଣ୍ଣରେଖା ନଦୀତଟରେ ଥିବା ଏହି ଦୁଇ ଗାଁର ଶହେ ଏକର ପାଳଜମି ଗତ ୩ ବର୍ଷ ମଧ୍ୟରେ ନଦୀ ଚାଟି ନେଇଛି । ପୁଣି ଚଳିତବର୍ଷ ବର୍ଷାଦିନ ଆସିବାକୁ ଆଉ ମାତ୍ର ଦୁଇମାସ ଥିବା ବେଳେ ନଦୀବନ୍ଧ ମରାମତି କାମ ଆରମ୍ଭ ନହେବା ଏହି ଦୁଇ ଗାଁ ସମେତ ଗାଁକୁ ଲାଗିଥିବା ୨୦ ମୌଜା ଲୋକଙ୍କୁ ଆତଙ୍କିତ କରୁଛି । ଅବିଳମ୍ବେ ତଟ ସୁରକ୍ଷା କାର୍ଯ୍ୟ ଆରମ୍ଭ ନହେଲେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଉପରୋକ୍ତ ଦୁଇ ଗାଁର ଅଧିବାସୀ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣରେଖା ନଦୀତଟରେ ଥିବା ଲକ୍ଷ୍ମଣନାଥ ଓ ବୀରେଶପୁର ଗାଁ ଏକଦା ଶସ୍ୟ ଶ୍ୟାମଳା ଥିଲା । ଦୁଇ ଗାଁର ସହସ୍ରାଧିକ ଚାଷୀ ନଦୀତଟରେ ଥିବା ଉର୍ବର ପାଳ ଜମିରେ ସୁନା ଫଳାଉ ଥିଲେ । ପନିପରିବା, ବିଭିନ୍ନ ଶସ୍ୟ, ଡାଲି ଜାତୀୟ, ମସଲା ଜାତୀୟ ଫସଲ ଚାଷ କ୍ଷେତ୍ରରେ ଏହି ଦୁଇ ଗାଁର ବେଶ୍ ସୁନାମ ରହିଥିଲା । ହେଲେ ଗତ ୨୦୧୯ରେ ନଦୀ ଏହି ଦୁଇ ଗାଁ ନିକଟରେ ହଠାତ୍ ତାର ଗତିପଥ ବଦଳାଇବାକୁ ଆରମ୍ଭ କଲା । ଲକ୍ଷ୍ମଣନାଥ ଓ ବୀରେଶପୁର ଗାଁ ଠାରୁ ୫୦୦ ମିଟର ଦୂରରେ ଥିବା ନଦୀ ଏବେ ଉପରୋକ୍ତ ଦୁଇ ଗାଁ ପାଖକୁ ଚାଲି ଆସିଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି । ବିଶେଷ କରି ଗୁରୁଦାସପୁର ସେତୁ ନିକଟ ଲକ୍ଷ୍ମଣନାଥଠାରୁ ବୀରେଶପୁର ଗାଁ ଯାଏ ପାଖାପାଖି ଏକ କିମି ଦୈର୍ଘ୍ୟ ସ୍ଥାନରେ ନଦୀ ଅତଡ଼ା ଖାଉଛି । ଗତବର୍ଷ ବନ୍ୟା ପରେ ବାଉଁଶ ପୋତି ବାଲି ବସ୍ତା ପକା ଯାଇଥିଲେ ମଧ୍ୟ ତାହା ତଳକୁ ଖସିଯାଇଛି ।

ନଦୀ କୂଳ ଖାଉଥିବାରୁ ଶହେ ଏକରରୁ ଊର୍ଦ୍ଧ୍ବ ପାଳଜମି ନଦୀଗର୍ଭରେ ଲୀନ ହୋଇଗଲାଣି । ଆଗକୁ ନଦୀବନ୍ଧ ମରାମତି ନହେଲେ ସମସ୍ୟା ଆହୁରି ଜଟିଳ ହେବ । ବୀରେଶପୁର ଗାଁର ଅନନ୍ତ ଜେନାଙ୍କ ପାଞ୍ଚ ଭାଇଙ୍କର ମୋଟ ଏକ ଏକରରୁ ଊର୍ଦ୍ଧ୍ବ ପାଳ ଜମି ସୁବର୍ଣ୍ଣରେଖା ନଦୀତଟରେ ଥିବା ବେଳେ ସେହି ଜମିରୁ ଯାହା ରୋଜଗାର କରୁଥିଲେ ପରିବାରର ପାଞ୍ଚପ୍ରାଣୀ କୁଟୁମ୍ବ ଆରାମରେ ଚଳୁଥିଲେ । ତେବେ ୨୦୧୯ ମସିହାରେ ସୁବର୍ଣ୍ଣରେଖାର ଗତିପଥ ବଦଳିବା ପରଠାରୁ ଏହି ପାଞ୍ଚଭାଇଙ୍କ ୬୦ ପ୍ରତିଶତ ଜମି ନଦୀରେ ମିଶି ଯାଇଛି । ଅବଶିଷ୍ଟ ଜମି ନଦୀ ଭିତରକୁ ଢଳି ରହିଥିବାରୁ କେଉଁ ମୁହୂର୍ତ୍ତରେ ତାହା ନଦୀଗର୍ଭକୁ ଚାଲିଯିବ କହି ହେବନି । ଫଳରେ ଅନନ୍ତ ଓ ତାଙ୍କ ଭାଇମାନେ ଏବେ ଚାଷ ଛାଡ଼ି ଲୋକେ ମୂଲ ଲାଗିବାକୁ ବାଧ୍ୟ ହେଉଛନ୍ତି । କେବଳ ଅନନ୍ତ ନୁହନ୍ତି ବୀରେଶପୁର ଗାଁର ଚିତ୍ତ ରଞ୍ଜନ ଘୋଷ, ରଘୁନାଥ ଜେନା, ହରେନ୍ଦ୍ର ଘୋଷ, ରବୀନ୍ଦ୍ର ଜେନା, ନଭେନ୍ଦ୍ର ଜେନା, ରବୀନ୍ଦ୍ର ମହାନ୍ତି, ବ୍ରଜେନ୍ଦ୍ର ମହାନ୍ତି, କାର୍ତ୍ତିକ ଗିରି, ଗଣେଶ ଚନ୍ଦ, ହରିହର ଦିନ୍ଦା, ପର୍ଶୁରାମ ଦଳାଇ, ସୁଶାନ୍ତ ଭୂୟାଁ ଆଦି ୫୦ ରୁ ଊର୍ଦ୍ଧ୍ବ ନଦୀ ତଟବର୍ତ୍ତୀ ଜମି ମାଲିକଙ୍କ ସମାନ ଅବସ୍ଥା ।

ସେହିପରି ଲକ୍ଷ୍ମଣନାଥ ଗ୍ରାମର ମଧ୍ୟ ନିତ୍ୟାନନ୍ଦ ମହାନ୍ତି, କାର୍ତ୍ତିକ ମହାନ୍ତି, ଗୁଣେନ୍ଦ୍ର ରାଉଳ, ସୁଶାନ୍ତ ରାଉଳ, ରମାକାନ୍ତ ମହାନ୍ତି ପ୍ରମୁଖଙ୍କୁ ମିଶାଇ ୩୦ ରୁ ଊର୍ଦ୍ଧ୍ବ ଚାଷୀଙ୍କ ଏକର ଏକର ପାଳଜମି ନଦୀରେ ମିଶିଯିବାକୁ ବସିଛି । ନଦୀର ଅପର ପାର୍ଶ୍ବ ବଜାରଶୋଳ ଗାଁ ନିକଟରେ ଦୁଇଟି ସ୍ପର‌୍ ନିର୍ମାଣ ହୋଇଥିବାରୁ ବୀରେଶପୁର ଓ ଲକ୍ଷ୍ମଣନାଥ ଗାଁ ପ୍ରତି ବିପଦ ମାଡ଼ି ଆସୁଥିବା ଯୁବ ସମାଜସେବୀ ବ୍ରଜ ଗୋପାଳ ରାଉତ ଅଭିଯୋଗ କରିଛନ୍ତି । ନଦୀବନ୍ଧ ଅବିଳମ୍ବେ ମରାମତି କରାଯାଉ ବୋଲି ଲକ୍ଷ୍ମଣନାଥ ସମିତି ସଭ୍ୟ ଜିତେନ୍ଦ୍ର ଦାସ ଦାବି କରିଛନ୍ତି । ଏନେଇ ଜଳସେଚନ ବିଭାଗର ଯନ୍ତ୍ରୀ ଧୀରେନ୍ଦ୍ରନାଥ ଦାସଙ୍କ ସହ ଯୋଗାଯୋଗ କରିବାରୁ ନଦୀବନ୍ଧ ସୁରକ୍ଷା ପାଇଁ ଯୋଜନା କରାଯାଇଛି ଓ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *