ଅନୁଗୁଳ : ଓଡ଼ିଶାର ଦୁଇ ପ୍ରମୁଖ ନଦୀ ମହାନଦୀ ଓ ବ୍ରାହ୍ମଣୀ ଅନୁଗୁଳ ଜିଲ୍ଲା ଦେଇଯାଇଛି । ହେଲେ, ଏ ପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାଣି ମୁନ୍ଦେ ମିଳୁନି । ପ୍ରତି ଘରକୁ ଟ୍ୟାପ୍ରେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ସରକାର ଢେର ଦିନ ହେଲା କେବଳ ସ୍ବପ୍ନ ଦେଖାଇ ଚାଲିଛନ୍ତି । ମେଗା ଜଳପ୍ରକଳ୍ପ କରି ଘରେ ଘରେ ପାଣି ଦେବାକୁ ଯୋଜନା ବି ହୋଇଛି । ହେଲେ ବିଭିନ୍ନ କାରଣ ପାଇଁ ଏହା ଅଟକି ରହିଥିଲାବେଳେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପାଣି ଅଭାବରେ ଛଟପଟ ହେଉଛନ୍ତି । ଶିଳ୍ପ ସଂସ୍ଥାକୁ ପାଣି ଦେବା ପାଇଁ ସରକାର ଓ ପ୍ରଶାସନ ଯେଉଁ ଆଗ୍ରହ ଦେଖାଉଛନ୍ତି, ଲୋକଙ୍କୁ ପିଇବା ପାଣି ଦେବାପାଇଁ ଏତେଟା ଗୁରୁତ୍ବ ଦେଉ ନ ଥିବାରୁ ଲୋକଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି ।
ଖଣି ଖାଦାନ ପାଇଁ ତାଳଚେର, କଣିହାଁ ଓ ଛେଣ୍ଡିପଦାରେ ଭୂତଳ ଜଳ ମିଳିବାରେ ସମସ୍ୟା ହେଉଛି । ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ଭଲ ମାନର ପାନୀୟ ଜଳ ମିଳୁନି । ତେଣୁ ଜଳଜନିତ ରୋଗର ଶିକାର ହେଉଛନ୍ତି ଜିଲ୍ଲାବାସୀ । ବିଶେଷକରି ବିଭିନ୍ନ ବ୍ଲକ୍ରେ କିଡ୍ନିରୋଗ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା । ଏଥିରୁ ତାଳଚେର, ଛେଣ୍ଡିପଦା ଓ ପାଳଲହଡ଼ା ବ୍ଳକର ସବୁ ଗାଁ ସମେତ କଣିହାଁ ଓ ବଅଁରପାଳ ବ୍ଲକର କିଛି ଗାଁକୁ ପାଣି ଯୋଗାଇବା ପାଇଁ ଯୋଜନା କରାଯାଇଥିଲା ।
ଫଳରେ ପାଖାପାଖି ୫ ଲକ୍ଷ ଲୋକ ଉପକୃତ ହୋଇପାରିବେ । ସମଲ ବ୍ୟାରେଜରୁ ବ୍ରାହ୍ମଣୀ ପାଣି ଆଣି ତାଳଚେର, ଛେଣ୍ଡିପଦା ଓ ପାଳଲହଡ଼ା ବ୍ଳକର ସବୁ ପଞ୍ଚାୟତକୁ ଏହି ଯୋଜନାରେ ପାଣି ଯୋଗାଇ ଦିଆଯିବ । ସେହିପରି କଣିହାଁ ବ୍ଲକର ୯ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର କିଛି ପଞ୍ଚାୟତ ଏହି ପ୍ରକଳ୍ପରୁ ଫାଇଦା ପାଇବେ । କିନ୍ତୁ ବିଭିନ୍ନ କାରଣ ପାଇଁ ଏ ପର୍ଯ୍ୟନ୍ତ ଏହି ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ । ଛେଣ୍ଡିପଦା ଓ ତାଳଚେରରେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ପାଳଲହଡ଼ାରେ ଅଧପନ୍ତରିଆ ହୋଇ ପଡ଼ିଛି । ମାର୍ଚ୍ଚ ସୁଦ୍ଧା ଏହି ୩ ପ୍ରକଳ୍ପ ଶେଷ କରି ଲୋକଙ୍କୁ ପାଣି ଦେବାକୁ ଯୋଜନା କରାଯାଇଥିଲାବେଳେ ଏଥିରୁ ଲୋକେ ପାଣି ପାଇବାକୁ ଆହୁରି ଅନ୍ୟୂନ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।
ଅପରପକ୍ଷରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକ ପାଇଁ ମହାନଦୀରେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣର ଯୋଜନା ହୋଇଛି । ପ୍ରଥମ ପ୍ରକଳ୍ପରୁ କିଶୋରନଗର ବ୍ଳକର ୨୩ଟି ପଞ୍ଚାୟତ ଓ ଆଠମଲ୍ଲିକ ବ୍ଳକର ୩ଟି ପଞ୍ଚାୟତକୁ ପାଣି ମିଳିବ । ଦ୍ବିତୀୟ ପ୍ରକଳ୍ପରୁ ଆଠମଲ୍ଲିକ ବ୍ଲକର ୨୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ଦୁଇ ପ୍ରକଳ୍ପ ପାଇଁ ୩୯୬.୨୭ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ୨୪ ମାସ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ହେଲେ ଏହି ଦୁଇ ପ୍ରକଳ୍ପ କେବଳ ଟେଣ୍ଡର ପ୍ରକ୍ରିୟା ଭିତରେ ଅଟକି ରହିଛି ।
ଅପରପକ୍ଷରେ ଅନୁଗୁଳ ଓ ବଅଁରପାଳ ବ୍ଳକକୁ ପାନୀୟ ଜଳଯୋଗାଣ ପାଇଁ ଆଉ ଦୁଇଟି ମେଗା ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯିବ । ଟିକରପଡ଼ାର ଗଇଁଦି ନିକଟରୁ ମହାନଦୀରୁ ପାଣି ଅଣାଯାଇ ଏହା ଅନୁଗୁଳ ବ୍ଲକ୍ର ବିଭିନ୍ନ ଗାଁକୁ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ଅନୁଗୁଳ ପ୍ରକଳ୍ପ ପାଇଁ ୩୦୪ କୋଟି ଓ ବଅଁରପାଳ ପ୍ରକଳ୍ପ ପାଇଁ ୧୦୮ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ହେଲେ ଏହି ଦୁଇ ପ୍ରକଳ୍ପ ପାଇଁ ଏ ପର୍ଯ୍ୟନ୍ତ ଟେଣ୍ଡର ବି କରାଯାଇନି । ଏଥିନେଇ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବି.ଆର. ପଣ୍ଡା କହିଛନ୍ତି ଯେ ଛେଣ୍ଡିପଦା ବ୍ଲକ ପାଇଁ ନିର୍ମାଣାଧୀନ ପ୍ରକଳ୍ପ ପ୍ରାୟ ଶେଷ ହୋଇଗଲାଣି । ସେହିପରି ପାଳଲହଡ଼ା ଓ ତାଳଚେର ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଡିସେମ୍ବର ସୁଦ୍ଧା ଛେଣ୍ଡିପଦା ଓ ତାଳଚେର ପ୍ରକଳ୍ପରୁ ସବୁ ଲୋକଙ୍କୁ ପାଣି ମିଳିବ । ପାଳଲହଡ଼ା ପ୍ରକଳ୍ପରୁ ମାର୍ଚ୍ଚ ସୁଦ୍ଧା ଲୋକମାନେ ପାଣି ପାଇବେ । ଏପଟେ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିଲାବେଳେ ଅନୁଗୁଳ ଓ ବଅଁରପାଳ ବ୍ଳକର ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି ।
