ସୁନ୍ଦରଗଡ଼ : ନାମ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ । ଲକ୍ଷ୍ୟ ଅଣଜଳସେଚିତ ଚାଷଜମିକୁ ପାଣି ଯୋଗାଇବା । ପ୍ରକଳ୍ପରେ ରହିଛି ଦୁଇ ମହଲାର ମୋଟର ଘର, କର୍ମଚାରୀଙ୍କ ବାସଗୃହ ଓ ବିଶାଳ ୱାଚ୍ ଟାୱାର । ଲାଗିଛି ବଡ଼ବଡ଼ ଯନ୍ତ୍ରପାତି, ଲମ୍ବିଛି ବିଶାଳ ପାଇପ୍ । ଏଥିପାଇଁ ବ୍ୟୟ ହୋଇଛି ୧୨୦ କୋଟି । କିନ୍ତୁ ପ୍ରକଳ୍ପ କାମରେ ଆସୁନି, ଚାଷଜମିକୁ ମିଳୁନି ପାଣି । କାରଣ ଜଳସେଚନର ପ୍ରମୁଖ ବା ମୂଳ ଉପାଦାନ ଜଳଉତ୍ସ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ । ଯୋଜନାବିହୀନ ଭାବେ କେବଳ ଏକ ଛୋଟିଆ ନଦୀର ଭରସାରେ ଠିଆ ହୋଇଛି ଏତେ ବଡ଼ ପ୍ରକଳ୍ପ, ଯେଉଁଠି ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ ମୁନ୍ଦେ ପାଣି ମିଳିବା କଷ୍ଟ । ନଦୀ ଶୁଖିଲା ତ ପ୍ରକଳ୍ପ ବି ଶୁଖିଲା । ଜଳସେଚନର ଏହି ବିକଳ ଚିତ୍ରଟି ଆସିଛି ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ୍ ସାଲେପାଲି ଓ ବଡ଼ଗାଁ ବ୍ଲକ୍ର ଫୁଲବାରିରୁ ।
ସୁନ୍ଦରଗଡ଼ ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନାହିଁ । ବହୁ ଭାଗଚାଷୀ ବର୍ଷାଜଳ ଉପରେ ନିର୍ଭର କରିଆସୁଛନ୍ତି । କିନ୍ତୁ ଅନେକ ସମୟରେ ସ୍ବଳ୍ପ ବୃଷ୍ଟିପାତ ବା ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଥାଏ । ପ୍ରତିବର୍ଷ ମରୁଡ଼ିର ସମ୍ମୁଖୀନ ହେଉଥିବା ଚାଷୀଙ୍କୁ ଜଳସେଚନ ସୁବିଧା ଦେବାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିଲେ ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ । ଗୋଟିଏ ପ୍ରକଳ୍ପର ନିର୍ମାଣ ମୂଲ୍ୟ ୪୦ କୋଟି । ନାବାର୍ଡ ସହାୟତାରେ ଏଲ୍ ଆଣ୍ଡ ଟି କମ୍ପାନି ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ୍ ସାଲେପାଲିରେ ଗୋଟିଏ ଓ ବଡ଼ଗାଁ ବ୍ଲକ୍ ଫୁଲବାରିରେ ଦୁଇଟି ପ୍ରକଳ୍ପ ତିଆରି କରିଛି । ବଡ଼ଗାଁ ବ୍ଲକ୍ରେ ନିର୍ମିତ ଦୁଇଟି ପ୍ରକଳ୍ପରେ ବଡ଼ଗାଁ ପଞ୍ଚାୟତର ବଡ଼ଗାଁ, ଜାଙ୍ଗଲି, ବରପାଲି, ଚାରପାଲି, କଣ୍ଟିଆମୁରା ଓ ଭୋଇପାଲି ଗ୍ରାମର ୭୨୧ ହେକ୍ଟର ଜମି ଓ ସଦର ବ୍ଲକ୍ରେ ନିର୍ମିତ ପ୍ରକଳ୍ପରେ ଫୁଲବାରି ପଞ୍ଚାୟତର ବୁଦୁନା, ଫୁଲବାରି, ସାଲେପାଲି, ଛେମଡ଼ା ଓ କୁରେଇବଗା ଗ୍ରାମର ୧୨ ଶହ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା ।
ପ୍ରକଳ୍ପ ସ୍ଥାନରେ ଲାଗିଥିବା ବଡ଼ବଡ଼ ମେସିନ, ମୋଟା ପାଣି ପାଇପ୍କୁ କେହି ଦେଖିଲେ ଅଞ୍ଚଳର ଚାଷଜମିକୁ ଯେ ପାଣିର ଅଭାବ ରହୁଥିବ, ସେ କଥାକୁ ବିଶ୍ବାସ କରିବ ନାହିଁ । କିନ୍ତୁ ପ୍ରକଳ୍ପ କାମ ଶେଷ ହେବାର ଏହା ମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଜମିକୁ ପାଣି ମାଡୁନି । ପ୍ରକଳ୍ପରେ କରାଯାଇଥିବା ଆଉଟ୍ଲେଟ୍ଗୁଡ଼ିକ ଖାଲଜମିରେ ରହିଥିବାରୁ ପାଣି ଉଚ୍ଚସ୍ଥାନକୁ ଯାଇପାରୁ ନଥିବା ପ୍ରକାଶ ପାଇଛି । ବଡ଼ଗାଁ ବ୍ଲକ୍ର ମେଗା ପ୍ରକଳ୍ପରେ ୬ଟି ଗାଁର ଚାଷଜମିକୁ ପାଣି ପହଞ୍ଚାଇବାକୁ ୧୭୯ଟି ଆଉଟ୍ଲେଟ୍ ଓ ସଦର ବ୍ଲକ୍ ପ୍ରକଳ୍ପର ୫ଟି ଗାଁର ଚାଷଜମି ପାଇଁ ୨୯୬ଟି ଆଉଟ୍ଲେଟ୍ ତିଆରି କରାଯାଇଥିଲା । ଏବେ ଅନେକ ଆଉଟ୍ଲେଟ୍ ଭାଙ୍ଗି ଗଲାଣି । ଅନ୍ୟପଟେ ବଡ଼ଗାଁ ସଫେଇ ନଦୀରୁ ପାଣି ଉଠାଇ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯିବା କଥା । କିନ୍ତୁ ନଦୀ ଶୁଖିଲା ଥିବାରୁ ପ୍ରକଳ୍ପ ଅଚଳ ରହିଛି ।
